୨୦୨୪ ଜାନୁଆରୀ ୧୭ ତାରିଖ। ଭୁବନେଶ୍ୱର ଖଣ୍ଡଗିରି ନିକଟ ବହୁ ଚର୍ଚ୍ଚିତ ବୈକୁଣ୍ଠ ଆଶ୍ରମ ଉପରେ ବୁଲଡୋଜର ଚାଲିଲା। ସରକାରୀ ଜମିକୁ ଜବରଦଖଲ କରି ଆଶ୍ରମ କରାଯାଇଥିବାରୁ ବିଡିଏ ବୁଲଡୋଜର ଚଳାଇଲା। ଜବରଦଖଲକୁ ହଟାଇ ଦିଆଗଲା। ହେଲେ ବର୍ତ୍ତମାନ ଏହି ଜାଗାରେ ତିଆରି ହେଲାଣି ଅସ୍ଥାୟୀ ହୋଟେଲ ଓ ଅନ୍ୟାନ୍ୟ ଅନୁଷ୍ଠାନ। ସରକାରୀ ଜମି ଜବରଦଖଲ ହେବା ମାତ୍ରେ ଏହା ଚାରିପାଖେ ତୁରନ୍ତ ବାଡ଼ ବୁଲାଇବା ସହ ଏହା ସରକାରୀ ଜମି ବୋଲି ଫଳକ ଲଗାଇବାକୁ ଗତବର୍ଷ ଜୁଲାଇ ୬ ତାରିଖରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ରାଜସ୍ୱ ସଚିବ। ମାତ୍ର ଏସବୁ ସେମିତି କାଗଜରେ ରହିଯାଇଛି। ଦେଶର ଇନ୍ଦୋର, ଜୟପୁର, ଅହମ୍ମଦାବାଦ ଭଳି ସହରରେ ଜବରଦଖଲକୁ ଯଥେଷ୍ଟ ମାତ୍ରାରେ ନିୟନ୍ତ୍ରଣ କରାଯାଇଥିବାବେଳେ ଭୁବନେଶ୍ୱର ଓ ଓଡ଼ିଶାର ଅନ୍ୟ ବଡ଼ ସହରରେ ଜବରଦଖଲ ନିରାକରଣ ପାଇଁ ଯଥେଷ୍ଟ ପଦକ୍ଷେପ ନିଆଯାଉନାହିଁ କହିଛନ୍ତି ପୂର୍ବତନ ପ୍ରଶାସକ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ।
କିଛି ବର୍ଷ ତଳେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଅଧିକାର ଆଇନରେ ମିଳିଥବା ଉତ୍ତର ଅନୁଯାୟୀ, ଭୁବନେଶ୍ୱରରେ ୪୭୯.୦୪୪ ଏକର ସରକାରୀ ଜମି ଜବରଦଖଲ ହୋଇଛି। ସବୁଠାରୁ ଅଧିକ ୧୪୮.୧୪୩ ଏକର ଜମି ଜବରଦଖଲ ହୋଇଛି ଜୟଦେବ ବିହାର ମୌଜାରେ। ତା’ ପରେ ଚନ୍ଦ୍ରଶେଖରପୁର ମୌଜାରେ ୩୩.୨୮ ଏକର ଓ ଗାଡ଼କଣରେ ୩୦.୮୬ ଏକର ସରକାରୀ ଜମି ଜବରଦଖଲ ହୋଇଛି। ଆଉ ସାରା ରାଜ୍ୟରେ ସରକାରୀ ଜମି ଜବରଦଖଲ ଏବେ ଏକ ପ୍ରମୁଖ ସମସ୍ୟା ହୋଇଛି। ସେହିଭଳି ୨୦୨୪ ନଭେମ୍ବର ୨୬ରେ ବିଧାନସଭାରେ ଦିଆଯାଇଥିବା ଉତ୍ତର ଅନୁଯାୟୀ, ଭୁବନେଶ୍ୱରରେ ବିଡିଏ ଓ ବିଏମସି ବେଆଇନ କୋଠା ନିର୍ମାଣ ବିରୋଧରେ ୪୦୧ଟି ମାମଲା ଦାଏର କରିଥିବା ଦର୍ଶାଇଛନ୍ତି।
ରାଜ୍ୟରେ ୧୯୭୨ରୁ ସରକାରୀ ଜମି ଜବରଦଖଲ ଉଚ୍ଛେଦ ଆଇନ ଥିଲେ ବି ଏହାକୁ ଦୃଢ଼ କରିବାକୁ ରାଜ୍ୟ ସରକାର ୨୦୧୫ରେ ଓଡ଼ିଶା ସରକାରୀ ଜମି ଜବରଦଖଲ ନିରୋଧ ଆଇନ ଆଣିଥିଲେ। ଏଥିରେ ସରକାରୀ ଜମି ଜବରଦଖଲକାରୀଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଥିଲା। ମାତ୍ର ତାହା ଆଇନତଃ ଠିକ୍ ନଥିବାରୁ ତତକାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୭ ମସିହାରେ ଏହାକୁ ଫେରାଇ ଦେଇଥିଲେ। ତା’ପରେ ସେ ଆଇନ ଆଉ ସଂଶୋଧନ ହେବା ସହ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏ ନେଇ ଆମେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରିଥିଲେ ସୁଦ୍ଧା ତାହା ମିଳିପାରିନାହିଁ। ତେବେ ବର୍ତ୍ତମାନର ପ୍ରଚଳିତ ଆଇନରେ ବି ସରକାରୀ ଅଧିକାରୀମାନେ ରାଜନୈତିକ ଚାପରେ ଅବରୋଧ ହଟାଇପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଆଇନଜୀବୀ ଅରୁଣ ମହାପାତ୍ର।
ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଅପେକ୍ଷା ଏହାର ଏହାର ନିରାକରଣ ଅଧିକ ଗୁରୁତ୍ୱପୂର୍ଣ୍ଣ। ପ୍ରଚଳିତ ବ୍ୟବସ୍ଥାରେ ଅନେକ ଲୋକ ସରକାରୀ ଜମି ଜବରଦଖଲ କରି ରାଜସ୍ୱ କୋର୍ଟ ଓ ସିଭିଲ କୋର୍ଟ ଚାଲିଯାଉଥିବାବେଳେ ବର୍ଷ ବର୍ଷ ଧରି ଅବରୋଧ ହଟାଇବା କଷ୍ଟକର ହୋଇପଡ଼ୁଛି। ସରକାର ଏ ନେଇ କେବେ ସକ୍ରିୟ ହେବେ ତା ଉପରେ ନଜର ରହିଛି।
ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ