ଦେଶ ସ୍ୱାଧୀନତାର ୭୯ବର୍ଷ ପରେ ବି ବର୍ତ୍ତମାନର ଡିଜିଟାଲ ଯୁଗରେ ଓଡ଼ିଶାରେ ଗୁଣିଗାରେଡ଼ି ଓ ଡାହାଣୀକୁ ନେଇ ଅନ୍ଧବିଶ୍ୱାସ ବଳବତ୍ତର ରହିଛି । ଗୁଣିଗାରେଡ଼ି ଓ ଡାହାଣୀ ସନ୍ଦେହରେ ହତ୍ୟା ଓ ନିର୍ଯାତନା ଆଦି କୁତ୍ସିତ ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟର ଏକ ଦଶନ୍ଧି ପୁରୁଣା ଆଇନ ‘ଓଡ଼ିଶା ପ୍ରିଭେନ୍ସନ୍ ଅଫ ଉଇଚ୍ ହଂଟ ଆକ୍ଟ-୨୦୧୩’ ମଧ୍ୟ ପ୍ରଭାବୀ ହୋଇପାରିନି । ଏପରିକି ଏସବୁ ଅପରାଧର ମାତ୍ର ୬୯% ଅଭିଯୋଗ ହିଁ ପୀଡ଼ିତା ଅବା ସେମାନଙ୍କ ସମ୍ପର୍କୀୟଙ୍କ ମାଧ୍ୟମରେ ପୁଲିସ୍ ପାଖରେ ପହଂଚିପାରୁଛି । ଓଡ଼ିଶାରେ ‘ଉଇଚ୍ ହଣ୍ଟିଂ’ ମାମଲାର ପଞ୍ଜିକରଣ ପରିମାଣ ହ୍ରାସକୁ ନେଇ ଉଦବେଗ ବ୍ୟକ୍ତ କରିଛି ଭାରତ ସରକାରଙ୍କ ସଂସ୍ଥା ‘ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ପବ୍ଲିକ ଆଡମିନିଷ୍ଟ୍ରେସନସ(ଆଇଆଇପିଏ)ର ଓଡ଼ିଶା ଚାପ୍ଟର । ଏହାସହିତ ‘ଓଡ଼ିଶା ପ୍ରିଭେନ୍ସନ୍ ଅଫ ଉଇଚ୍ ହଣ୍ଟିଂ ଆକ୍ଟରେ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନର ଆବଶ୍ୟକତା ରହିଛି ବୋଲି ମଧ୍ୟ ଆଇଆଇପିଏ ମତ ଦେଇଛି ।
ଆଇଆଇପିଏ(ଓଡ଼ିଶା ଚାପ୍ଟର) ପକ୍ଷରୁ ଗୁରୁବାର ଆୟୋଜିତ ‘ଗୁଣିଗାରେଡ଼ି: ପ୍ରଶାସନ ଉପରେ ପ୍ରଭାବର ସିଂହାବଲୋକନ’ ଶୀର୍ଷକ ସେମିନାରରେ ଯୋଗ ଦେଇ ପୂର୍ବତନ ପୁଲିସ ଡିଜି ତଥା ଆଇଆଇପିଏ ସଦସ୍ୟ ବିଜୟ କୁମାର ଶର୍ମା କହିଛନ୍ତି ଯେ, ରାଜ୍ୟରେ ଗୁଣିଗାରେଡ଼ି ଓ ଡାହାଣୀ ନିର୍ଯାତନା ଆଦିର ମୁକାବିଲା ପାଇଁ ‘ଓଡ଼ିଶା ପ୍ରିଭେନ୍ସନ୍ ଅଫ୍ ଉଇଚ୍ ହଣ୍ଟିଂ ଆକ୍ଟ’ କାର୍ଯ୍ୟକାରୀ କରୁଛି । କିନ୍ତୁ ଏଥିରେ କେବଳ ୧୧ଟି ଧାରା ରହିଛି ଓ ଏସମସ୍ତ ଧାରା ମାତ୍ର ଅଢ଼େଇ ପୃଷ୍ଠା ମଧ୍ୟରେ ସୀମିତ । ଏଭଳି ଗୁରୁତର ମାମଲାଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ ମୁକାବିଲା ପାଇଁ ଆଇନରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନର ଆବଶ୍ୟକତା ରହିଛି । ସେ ରାଜ୍ୟରେ ଏଭଳି ଅପରାଧର ଅଭିଯୋଗ ମଧ୍ୟ ପୁଲିସ ପାଖରେ ଠିକ ଭାବେ ପହଂଚି ପାରୁନଥିବା ନେଇ ଉଦବେଗ ବ୍ୟକ୍ତ କରିଥିଲେ । ରାଜ୍ୟରେ ଏଭଳି ଅପରାଧର ମାତ୍ର ୬୯ ପ୍ରତିଶତ ଅଭିଯୋଗ ପୀଡ଼ିତା ଅବା ତାଙ୍କର ସମ୍ପର୍କୀୟାଙ୍କ ଦ୍ୱାରା ପୁଲିସ ନିକଟରେ ପହଂଚିପାରୁଛି । ସେଇଥିପାଇଁ ଗତ ଦୁଇବର୍ଷ ଧରି ରାଜ୍ୟରେ ଏଭଳି ଅପରାଧ ମାମଲାର ପଞ୍ଜିକରଣ ପରିମାଣ ବି ହ୍ରାସ ପାଉଛି । ଯାହାକି ଉଦବେଗର ବିଷୟ । ଓଡ଼ିଶାରେ ୨୦୨୪ ମସିହାରେ ଏଭଳି ୬୨ଟି ମାମଲା ରୁଜୁ ହୋଇଥିବାବେଳେ ୨୦୨୩ରେ ୬୯ଟି, ୨୦୨୨ରେ ୧୦୨ଟି, ୨୦୨୧ରେ ୭୯ଟି ଓ ୨୦୨୦ରେ ୯୫ଟି ମାମଲା ରୁଜୁ ହୋଇଥିଲା । ତେଣୁ ସ୍ୱାଧୀନତାର ୭୯ବର୍ଷ ପରେ ବି ରାଜ୍ୟରେ ଏଭଳି କୁତ୍ସିତ ଓ ଅନ୍ଧବିଶ୍ୱାସକୁ ମୂଳପୋଛ କରିବାକୁ ହେଲେ ପ୍ରଚଳିତ ଆଇନରେ ବ୍ୟାପକ ସଂଶୋଧନର ଆବଶ୍ୟକତା ରହିଛି ତଥା ଏହାକୁ ଅଧିକ କ୍ଷମତା ଦେବା ମଧ୍ୟ ଜରୁରୀ ।
ଶ୍ରୀ ଶର୍ମା ‘ଆସାମ ଉଇଚ୍ ହଣ୍ଟି (ପ୍ରୋହିଭିସନ, ପ୍ରିଭେନ୍ସନ ଆଣ୍ଡ ପ୍ରୋଟେକ୍ସନ)ଆକ୍ଟ-୨୦୧୫’ର ଉଦାହରଣ ଦେଇ କହିଥିଲେ ଯେ, ଯଦି ପୀଡ଼ିତାକୁ ଡାହାଣୀ ବୋଲି ଅଭିହିତ କରାଯାଉଥିବା ନେଇ ସରକାରୀ କର୍ମଚାରୀମାନେ ସ୍ଥାନୀୟ ପୁଲିସକୁ ନଜଣାଇବେ ସେମାନଙ୍କୁ ବି ଉତ୍ତରଦାୟୀ କରାଯାପାରିବ । ଯଦି ପୀଡ଼ିତାଙ୍କୁ ଡାହାଣୀ ଭାବେ ଚିତ୍ରଣ କରାଯାଏ ଅବା ଡାହାଣୀ ଯୋଗୁ ହତ୍ୟା କରାଯାଇଥାଏ ଏବଂ ଅଭିଯୁକ୍ତକୁ ପୁରା ଗାଁ ସମର୍ଥନ କରୁଥାଏ ତେବେ ସେଭଳି ସ୍ଥିତିରେ ସରପଂଚ ଓ ଗ୍ରାମରକ୍ଷୀ ସ୍ଥାନୀୟ ପୁଲିସକୁ ସୂଚନା ଦେବା ଗୁରୁତ୍ୱପୂର୍ଣ୍ଣ । ଗୁଣିଗାରେଡ଼ି ଓ ଡାହାଣୀ କେବଳ ମହିଳାଙ୍କ ସହ ନୁହେଁ ପୁରୁଷମାନେ ବି ଏଭଳି ଅପରାଧର ଶିକାର ହେଉଛନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି । ୨୦୨୧ରୁ ୨୦୨୩ ମସିହା ମଧ୍ୟରେ ରାଜ୍ୟର ବିଭିନ୍ନ ଭାଗରେ ଗୁଣିଗାରେଡ଼ି ସନ୍ଦେହରେ ପ୍ରାୟ ୪ଜଣ ଲୋକଙ୍କୁ ହତ୍ୟା କରିଦିଆଯାଇଥିବା ସେ କହିଛନ୍ତି ।
ସେହିପରି ଆଇଆଇପିଏ ଓଡ଼ିଶା ଚାପ୍ଟର ସଭାପତି ତଥା ଅବସରପ୍ରାପ୍ତ ଆଇଏଏସ୍ କରୁଣାକର ପଟ୍ଟନାୟକ କହିଥିଲେ ଯେ, ରାଜ୍ୟର ଦୁର୍ଗମ ଓ ଗ୍ରାମାଂଚଳରେ ଏଭଳି ଗୁଣିଗାରେଡ଼ି ସହ ଜଡ଼ିତ ଅପରାଧ ଘଟଣା ସଂଘଟିତ ହେଉଛି । ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ଗୁରୁତ୍ୱର ସହ ପଦକ୍ଷେପ ନେବା ଓ ବିଶେଷକରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ।
ଆଇଆଇପିଏ୍ କହିବାନୁସାରେ ୨୦୧୪ରୁ ୨୦୨୨ ମସିହା ମଧ୍ୟରେ ଗୁଣିଗାରେଡ଼ି ସନ୍ଦେହଜନିତ ହତ୍ୟା ଘଟଣାରେ ଓଡ଼ିଶା ଦେଶର ଦ୍ୱିତୀୟ ସ୍ଥାନରେ ରହିଥିଲା । ଏହି ଅବଧି ମଧ୍ୟରେ ଗୁଣିଗାରେଡ଼ି ସନ୍ଦେହରେ ପ୍ରାୟ ୩୮୨ଜଣଙ୍କ ହତ୍ୟା କରାଯାଇଥିଲା । ରାଜ୍ୟର ୧୨ଟି ଜିଲ୍ଲାରେ ଏହି ଗୁଣିଗାରେଡ଼ି ଜନିତ ଅପରାଧ ଏବେବି ସଂଘଟିତ ହେଉଛି ।
ସୂଚନାଯୋଗ୍ୟ,ଆଇଆଇପିଏ ହେଉଛି ପବ୍ଲିକ ଆଡମିନିଷ୍ଟ୍ରେସନ୍ ଓ ଗଭର୍ଣ୍ଣାନ୍ସ କ୍ଷେତ୍ରରେ ଗବେଷଣା ଓ ପ୍ରଶିକ୍ଷଣ ପାଇଁ କାର୍ଯ୍ୟ କରୁଥିବା ଭାରତ ସରକାରଙ୍କ ସଂସ୍ଥା ।