Advertisment

ମହଙ୍ଗା ମାଡ଼: ଆଳୁ ଦର ୩୦ ଛୁଇଁଲା, ଡାଲି ବି ମହଙ୍ଗା ହେଲା

୧୫ ଦିନରେ ଆଳୁ ଦର ଦେଢ଼ଗୁଣା ହୋଇ କେଜି ପିଛା ୩୦ ଟଙ୍କା ଛୁଇଁଛି।

Potato

Potato

Advertisment

ନିର୍ବାଚନ ବର୍ଷରେ ମହଙ୍ଗା ମାଡ଼ ଲୋକଙ୍କୁ ଆଉଟ ପାଉଟ କରିବା ଆରମ୍ଭ କଲାଣି। ୧୫ ଦିନରେ ଆଳୁ ଦର ଦେଢ଼ଗୁଣା ହୋଇ କେଜି ପିଛା ୩୦ ଟଙ୍କା ଛୁଇଁଛି। ହରଡ଼ ଡାଲି ୮ ଟଙ୍କା ଓ ପାମୋଲିନ୍ ତେଲ ୫ ଟଙ୍କା ବଢ଼ିଗଲାଣି। ବିଭିନ୍ନ ଖାଦ୍ୟ ସାମଗ୍ରୀର ଏମିତି ଉଚ୍ଚା ଦର ସାଧାରଣ ଖାଉଟିଙ୍କ ପକେଟକୁ ଢେର୍ ବାଧୁଛି।

Advertisment

ବିଶେଷ କରି ଆଳୁ ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି। ୧୫ ଦିନରେ ଏହି ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ୧୦ ଟଙ୍କା ମହଙ୍ଗା ହୋଇଛି। ୧୫ ଦିନ ତଳେ ଆଳୁ କେଜି ପିଛା ୨୦ ଟଙ୍କାରେ ବିକ୍ରି ହେଉଥିଲା। ସପ୍ତାହକ ତଳେ ହଠାତ୍ କେଜି ୨୫ ଟଙ୍କା ହୋଇଥିଲା। ଆଉ ଏବେ କେଜି ୩୦ ଟଙ୍କା ଛୁଇଁଛି।

ରୋଷେଇ ଘରର ଏ ମୁଖ୍ୟ ସାମଗ୍ରୀର ଏମିତି ଉଚ୍ଚା ଦର ଦେଖି ଖାଉଟି ଆବାକାବା। ହେଲେ ନିହାତି ଆବଶ୍ୟକ ଥିବାରୁ କାନମୁଣ୍ଡ ଆଉଁସି ଚଢ଼ା ଦରରେ ସେମାନେ କିଣିବାକୁ ବାଧ୍ୟ ହେଉଛନ୍ତି। ଖୁଚୁରା ବେପାରୀ କହୁଛନ୍ତି, ଯେହେତୁ ପାଇକାରୀ ବଜାରରେ ଆଳୁ ଦର ଦୈନିକ ବଦଳୁଛି, ତେଣୁ ସେମାନେ ଦର ବଢ଼ାଇବାକୁ ବାଧ୍ୟ ହେଉଛନ୍ତି।

Advertisment

ଏପଟେ ପାଇକାରୀ ବ୍ୟବସାୟୀଙ୍କ କହିବା କଥା ଓଡ଼ିଶାରେ ପର୍ଯ୍ୟାପ୍ତ ଆଳୁ ଉତ୍ପାଦନ ହେଉନି। ଆଳୁ ପାଇଁ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼େ। କିଛି ଦିନ ହେଲା ପଶ୍ଚିମବଙ୍ଗ ଶୀତଳଭଣ୍ଡାରେ ନୂଆ ଆଳୁ ଲୋଡିଂ ଚାଲିଥିଲା। ୟୁପି ଆଳୁ ଏଯାଏ ଓଡ଼ିଶା ପହଞ୍ଚିନି। ତେଣୁ ବଜାରରେ ଆଳୁ ଅଭାବ ଦେଖାଦେଇଛି। ଏହି କାରଣ ପାଇଁ ଆଳୁ ଦାମ ବୃଦ୍ଧି ପାଇଛି।

ଖାଲି ଆଳୁ ନୁହେଁ, ଅନ୍ୟ ଖାଦ୍ୟ ସାମଗ୍ରୀ ଦର ବି ବଢ଼ିଗଲାଣି । ଗତ ୧୫ ଦିନ ଭିତରେ ଡାଲି କେଜି ପିଛା ୮ ଟଙ୍କା ଯାଏ ଓ ତେଲ ଲିଟର ପିଛା ୫ ଟଙ୍କା ମହଙ୍ଗା ହେଲାଣି। ସପ୍ତାହକ ତଳେ ହରଡ଼ ଡାଲିର କେଜି ପିଛା ଦାମ ୧୩୦ ଟଙ୍କାରୁ ୧୫୦ ଟଙ୍କା ଥିଲା। ଏବେ ହରଡ଼ ଡାଲି କେଜି ପିଛା ୧୩୮ରୁ ୧୫୫ ଟଙ୍କାରେ ବିକ୍ରି ହେଉଛି। ବିରି ଡାଲି ଦାମ ୫ରୁ୭ ଟଙ୍କା ବଢ଼ି ୧୨୦ରୁ ୧୩୨ ଟଙ୍କା ଛୁଇଁଛି।

ସେହିପରି ପାମୋଲିନ ତେଲ ଦର ଲିଟର ପିଛା ୫ ଟଙ୍କା ବଢ଼ି ୧୦୦ ଟଙ୍କାର ନିକଟତର ହୋଇଛି। ବ୍ୟବସାୟୀ ମହାସଂଘ କହିଛି, ଏବେଠୁ ଲୋକଙ୍କୁ ଚାଷ ପାଇଁ ପ୍ରୋତ୍ସାହିତ ନ କରାଗଲେ, ଆଗାମୀ ଦିନରେ ଭାରତରେ ବି ଶ୍ରୀଲଙ୍କା ଓ ପାକିସ୍ତାନ ଭଳି ଖାଦ୍ୟ ସଙ୍କଟ ଘନେଇବ।

Odisha Potato
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe