ରାଜ୍ୟ ପୁଲିସ ଫୋର୍ସ ମୁଖିଆ ପଦବୀ ଏବେ ସଙ୍କଟରେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ କେନ୍ଦ୍ର ସରକାରଙ୍କ ବାରମ୍ବାର ତାଗିଦ୍ ସତ୍ତ୍ୱେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଯୋଗୁ ପୁଲିସ ବାହିନୀର ସର୍ବୋଚ୍ଚ ‘ଡିଜିପି’ ପଦବୀର ବିଶ୍ୱସନୀୟତା ସଙ୍କଟ ଭିତରକୁ ଠେଲି ହୋଇଯିବାରେ ଲାଗିଛି । ବିଜେଡି ଶାସନକାଳରେ ‘ପୁଲିସ ଡିଜି’ ପଦବୀ ନିଜର ଗାରିମା ବଂଚାଇବା ପାଇଁ ସଂଘର୍ଷ କରୁଥିବାବେଳେ ଏବେ ମୋହନ ମାଝୀଙ୍କ ସରକାର ଏହି ପଦବୀର କ୍ଷମତାକୁ ସଙ୍କୁଚିତ କରିଦେଇଛନ୍ତି।
ପୁଲିସ ବିଭାଗର ଅତିରିକ୍ତ ଏସପି ପାହ୍ୟା ପର୍ଯ୍ୟନ୍ତ ଅଫିସରମାନଙ୍କ ବଦଳି ଓ ନିଯୁକ୍ତି ସଂକ୍ରାନ୍ତରେ ନିଷ୍ପତ୍ତି ନେବା ପାଇଁ ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଥିବା ‘ରାଜ୍ୟ ପୁଲିସ ଏଷ୍ଟାବ୍ଲିସମେଂଟ ବୋର୍ଡ’କୁ ଗତ ଦୁଇଦିନ ତଳେ ନିରସ୍ତ୍ର କରିଦେଇଛନ୍ତି ସରକାର । ଯାହାକି ବିଜେଡି ଶାସନକାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଭରଶୀଳତା ଓ ଭିକେ ପାଣ୍ଡିଆନଙ୍କ ଛତ୍ରଛାୟାରେ ରହି ଡିଏସ୍ କୁଟ୍ଟେଙ୍କ ଭଳି ଅଫିସର ଯେପରି ‘ପୁଲିସ ବାହିନୀକୁ’ ନିଜର ହାତବାରିସି କରିଦେଇଥିଲେ ଏବେ ପୁଣିଥରେ ଅନୁରୂପ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଥିବା ପାୱାର କରିଡରରେ ଚର୍ଚ୍ଚା।
ରାଜ୍ୟ ଗୃହ ବିଭାଗ ପକ୍ଷରୁ ଗତ ୨୪ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପୁଲିସ ଡିଏସପି ଓ ଅତିରିକ୍ତ ଏସପି ପାହ୍ୟାର ଅଫିସରଙ୍କ ବଦଳି ଓ ନିଯୁକ୍ତି ସରକାରଙ୍କ ସ୍ତରରେ କରିବା ପ୍ରସ୍ତାବ ବିଗତ କିଛିଦିନ ଧରି ରାଜ୍ୟ ସରକାରଙ୍କ ବିଚାରଧୀନ ରହିଥିଲା । ସରକାରୀସ୍ତରରେ ‘ବଦଳି ଓ ନିଯୁକ୍ତି କମିଟି’ ସହ ପରାମର୍ଶ ପରେ ଗୃହ ବିଭାଗ ଦ୍ୱାରା ପୁଲିସ ଡିଏସପି, ଡେପୁଟି କମାଣ୍ଡାଣ୍ଟ, ଅତିରିକ୍ତ ଏସପି ଓ ଆସିଷ୍ଟାଂଟ କମାଣ୍ଡାଣ୍ଟ ପାହ୍ୟାର ଅଫିସରଙ୍କ ବଦଳି ଓ ନିଯୁକ୍ତି ନିଷ୍ପତ୍ତି ନିଆଯିବ।
ସରକାରଙ୍କ ଏହି ‘ବଦଳି ଓ ନିଯୁକ୍ତି କମିଟି’ରେ ମୋଟ୍ ୩ଜଣ ସଦସ୍ୟ ରହିବେ । ଗୃହ ବିଭାଗର ଅତିରିକ୍ତ ମୁଖ୍ୟସଚିବ/ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଏହି କମିଟିରେ ପୁଲିସ ଡିଜିଙ୍କ ସମେତ ଗୃହ ବିଭାଗର ଏଷ୍ଟାବ୍ଲିସମେଂଟ ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ସଚିବ ଅବା ଅତିରିକ୍ତ ସଚିବ ଅବା ଯୁଗ୍ମ ସଚିବ ମଧ୍ୟ ସଦସ୍ୟ ରହିବେ । ଏହି ୩ଜଣିଆ କମିଟି ମଧ୍ୟ ଉକ୍ତ ଅଫିସରଙ୍କ ନିଯୁକ୍ତି ଓ ବଦଳି ସଂକ୍ରାନ୍ତ ଆପତ୍ତି ଶୁଣିବା ପାଇଁ ‘ଅପିଲ୍ ଫୋରମ’ ଭାବେ କାର୍ଯ୍ୟ କରିବ । ଏ ସଂକ୍ରାନ୍ତରେ ପୂର୍ବରୁ ଜାରି ସମସ୍ତ ବିଜ୍ଞପ୍ତି,ସର୍କୁଲାର ଓ ନିର୍ଦ୍ଦେଶନାମା ବଦଳରେ ଏହି ନୂଆ ବିଜ୍ଞପ୍ତି ପ୍ରକାଶିତ ହେବାଦିନଠୁ କାର୍ଯ୍ୟକ୍ଷମ ହେବ।
ତେବେ ପ୍ରଶ୍ନ ଉଠୁଛି, ସୁପ୍ରିମକୋର୍ଟଙ୍କଠୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ନିର୍ଦ୍ଦେଶନାମା ରାଜ୍ୟରେ ପୁଲିସ ଡିଜି ପଦବୀକୁ ଅଧିକ ଚାପମୁକ୍ତ ଓ ନିରପେକ୍ଷ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଉଥିଲେ ମଧ୍ୟ ରାଜ୍ୟ ସରକାର କାହିଁକି ଏହି ପଦବୀ ଉପରେ ବାରମ୍ବାର ହାମଲା କରିଚାଲିଛନ୍ତି । ବିଜେଡି ସରକାର ଯେଉଁସବୁ ତ୍ରୁଟି କରି ରାଜ୍ୟରେ ପୁଲିସ ବାହିନୀକୁ ‘ସରକାରଙ୍କ ଗୁଣ୍ଡା’ ସଜାଇ ଦେଇଥିଲା ସେଭଳି ନୀତି ଓ ଆଭିମୁଖ୍ୟରେ ପରିବର୍ତ୍ତନ କରିବା ବଦଳରେ ବିଜେଡି ସରକାରର ନିଷ୍ପତ୍ତି ଉପରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାରରେ କିଏ ଓ କାହିଁକି ମୋହର ମାରିବାରେ ଲାଗିଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି।
ସୁପ୍ରିମକୋର୍ଟ ୨୦୦୬ ମସିହାରେ ପ୍ରକାଶ ସିଂ ବନାମ କେନ୍ଦ୍ର ସରକାର ମାମଲାର ବିଚାର କରି ‘ପୁଲିସ ସଂସ୍କାର’ ନିମନ୍ତେ ଦେଇଥିବା ନିର୍ଦ୍ଦେଶନାମାକୁ ପାଳନ ପାଇଁ ବାରମ୍ବାର ତାଗିଦ୍ କରି ଆସୁଛନ୍ତି । ଏପଟେ କେନ୍ଦ୍ର ସରକାର ମଧ୍ୟ ବିଭିନ୍ନ ସମୟରେ ଓଡ଼ିଶା ସରକାରଙ୍କୁ ‘ରାଜ୍ୟ ସୁରକ୍ଷା କମିଶନ ଗଠନ’, ପୁଲିସ ଅଭିଯୋଗ ପ୍ରାଧିକରଣ, ‘ଦକ୍ଷତା ଓ ପାରଦର୍ଶୀ ପ୍ରକ୍ରିୟାରେ ସର୍ବନିମ୍ନ ଦୁଇବର୍ଷ ପାଇଁ ପୁଲିସ ଡିଜି ନିଯୁକ୍ତି, ଆଇନଶୃ୍ଙ୍ଖଳା ଓ ତଦନ୍ତ ପାଇଁ ଦୁଇଟି ଭିନ୍ନ ଶାଖା ଗଠନ, ଥାନା ଅଫିସରଙ୍କଠୁ ଆରମ୍ଭ କରି ଏସପିଙ୍କ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ସର୍ବନିମ୍ନ ଦୁଇବର୍ଷ କାର୍ଯ୍ୟକାଳ ପାଇଁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇ ଆସୁଛନ୍ତି। ଏହାସହିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁରୂପ ରାଜ୍ୟରେ ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ‘ପୁଲିସ ଏଷ୍ଟାବ୍ଲିସମେଂଟ ବୋର୍ଡ’ ଗଠନ କରି ଅତିରିକ୍ତ ଏସପି ପାହ୍ୟା ପର୍ଯ୍ୟନ୍ତ ଅଫିସରଙ୍କ ନିଯୁକ୍ତି ଓ ବଦଳିର ନିଷ୍ପତ୍ତି ନେବା ସହ ଏସପିଙ୍କଠୁ ଉପର ପାହ୍ୟାର ଅଫିସରଙ୍କ ନିଯୁକ୍ତି ଓ ବଦଳି ସଂକ୍ରାନ୍ତ ନିଷ୍ପତ୍ତି ପାଇଁ ସରକାରଙ୍କୁ ସୁପାରିଶ କରିବାକୁ ମଧ୍ୟ ତାଗିଦ୍ କରିଛନ୍ତି।
ମାତ୍ର ଆଶ୍ଚର୍ଯ୍ୟର କଥା, ଓଡ଼ିଶା ସରକାର ଦୀର୍ଘ ଦେଢ଼ ଦଶନ୍ଧି ପରେ ମଧ୍ୟ ଏହି ୭ଟି ନିର୍ଦ୍ଦେଶନାମାରୁ କୌଣସି ଗୋଟିଏକୁ ବି ଠିକ୍ ଭାବେ ପାଳନ କରିବାରେ ସକ୍ଷମ ହୋଇନାହାନ୍ତି । ଏସବୁ ମଧ୍ୟରୁ ଯେଉଁ ଗୋଟିଏ ନିର୍ଦ୍ଦେଶନାମାକୁ ଆଂଶିକ ପାଳନ କରୁଥିଲେ ତାକୁ ମଧ୍ୟ ବର୍ତ୍ତମାନର ସରକାର ଗତ ୨୪ତାରିଖରେ ନିରସ୍ତ୍ର କରିଦେଇଛନ୍ତି।
ଯଦିଓ ୨୦୦୭ ଏପ୍ରିଲ ୬ତାରିଖରେ ଗୃହ ବିଭାଗ ଏକ ବିଜ୍ଞପ୍ତି ଜାରି କରି ରାଜ୍ୟରେ ଡିଜିପିଙ୍କ ଅଧ୍ୟକ୍ଷତାରେ ମୋଟ ୫ଜଣିଆ ‘ରାଜ୍ୟ ପୁଲିସ ଏଷ୍ଟାବ୍ଲିସମେଂଟ ବୋର୍ଡ’ ଗଠନ କରିଥିଲେ । ପୁଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଏହି ବୋର୍ଡରେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ୨ଜଣ ଅତିରିକ୍ତ ଡିଜି ଅବା ଆଇଜି ପାହ୍ୟା ଅଫିସର, ଡିଜିପିଙ୍କ ଦ୍ୱାରା ମନୋନୀତ ଜଣେ ଡିଆଇଜି ପାହ୍ୟା ଅଫିସର ଓ ବୋର୍ଡର ଆବାହକ ସଦସ୍ୟ ଭାବେ ପ୍ରଶାସନିକ ଡିଆଇଜି ରହିଥିଲେ । ଏହି ବୋର୍ଡ ରାଜ୍ୟରେ ଅତିରିକ୍ତ ଏସପି ପାହ୍ୟାଠୁ ତଳକୁ ଥିବା ପୁଲିସ ଅଫିସରମାନଙ୍କ ବଦଳି ଓ ନିଯୁକ୍ତି ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ କ୍ଷମତାପ୍ରାପ୍ତ ଥିଲା । ଅବଶ୍ୟ ରାଜ୍ୟ ସରକାର ଚାହିଁଲେ ବୋର୍ଡ ନିଷ୍ପତ୍ତିରେ ହସ୍ତକ୍ଷେପ କରି ଲିଖିତ କାରଣ ଦେଇ ଏହାକୁ ପରିବର୍ତ୍ତନ ମଧ୍ୟ କରିବାର ପ୍ରାବଧାନ ଏହି ନିର୍ଦ୍ଦେଶନାମାରେ ରହିଥିଲା ।
ଏପରିକି ସଂସଦୀୟ ଷ୍ଟାଣ୍ଡିଂ କମିଟିର ୨୩୭ତମ ରିପୋର୍ଟ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗତ ୨୦୨୨ ମେ’ ୨ତାରିଖରେ ଗୃହ ସଚିବ ଓ ପୁଲିସ ଡିଜିଙ୍କୁ ଚିଠି ଲେଖି ‘ପୁଲିସ ଏଷ୍ଟାବ୍ଲିସମେଂଟ ବୋର୍ଡ’ ଗଠନ କରି ପୁଲିସ ଅଫିସରଙ୍କ ବଦଳି ଓ ନିଯୁକ୍ତିରେ ପାରଦର୍ଶିତା ଓ ନିରପେକ୍ଷତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । କେବଳ ସେତିକି ନୁହେଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟରେ ପୁଲିସ ସଂସ୍କାର ପାଇଁ ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର କେତେ ଅନୁପାଳନ ହୋଇଛି ସେନେଇ ବାରମ୍ବାର ରିପୋର୍ଟ ତଲବ କରିଛନ୍ତି।
ତେବେ ଏସବୁ ସତ୍ତ୍ୱେ ରାଜ୍ୟରେ ଦୀର୍ଘ ୭ମାସରୁ ଧରି ‘ପୁଲିସ ଡିଜି’ ପଦବୀକୁ ଅସ୍ଥାୟୀ ଓ ଅତିରିକ୍ତ ଦାୟିତ୍ୱରେ ରଖିଥିବା ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ନେବା ବଦଳରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ‘ପୁଲିସ ଡିଜି’ଙ୍କୁ ମିଳିଥିବା କ୍ଷମତାକୁ ବି ସଙ୍କୁଚିତ କରିବାକୁ ନେଇଥିବା ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି ।
୨୦୦୭ ଏପ୍ରିଲ ୬ତାରିଖର ବିଜ୍ଞପ୍ତିରେ ଡିଜିପିଙ୍କ ଅଧ୍ୟକ୍ଷତାରେ ଥିବା ରାଜ୍ୟ ପୁଲିସ ଏଷ୍ଟାବ୍ଲିସମେଂଟ ବୋର୍ଡ ନିଷ୍ପତ୍ତିକୁ ବଦଳାଇବାର କ୍ଷମତା ରାଜ୍ୟ ସରକାରଙ୍କର ରହିଥିଲେ ମଧ୍ୟ ଏବେ କାହିଁକି ସେହି ବୋର୍ଡର କ୍ଷମତାକୁ ସଙ୍କୁଚିତ କରିବା ଭଳି ପଦକ୍ଷେପ ସରକାର ନେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାଦ୍ୱାରା ପୁଣିଜଣେ ‘ଡିଏସ କୁଟ୍ଟେ’ଙ୍କ ଭଳି କେହି ପୁଲିସ ବାହିନୀର ଅଘୋଷିତ ସର୍ବେସର୍ବା ହେବା ପାଇଁ ମାର୍ଗ ପ୍ରଶସ୍ତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି । ଏପଟେ ପୂର୍ବତନ ଡିଜିପି ବିପିନ ବିହାରୀ ମିଶ୍ର ଓ ଅନ୍ୟମାନେ ମଧ୍ୟ ଡିଜିପିଙ୍କଠୁ କ୍ଷମତା ଛଡ଼ାଇ ନେବା ଅନୁଚିତ୍ ବୋଲି ଗଣମାଧ୍ୟମକୁ କହିଛନ୍ତି।