ପୁଣି ଚର୍ଚ୍ଚାରେ ଗନ୍ଧମାର୍ଦ୍ଦନ: କାହିଁକି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସୁରକ୍ଷା ଲୋଡ଼ିଲେ ବରଗଡ଼ ସାଂସଦ?

ଏହି ପାହାଡ଼ରେ ବହୁ ପରିମାଣର ଉଚ୍ଚ ଗୁଣାତ୍ମକ ମାନର ବକ୍ସାଇଟ, ଗ୍ରାନାଇଟ୍ ଓ ଚୂନପଥର ଥିବା ଯୋଗୁ ଏହା ଏବେ ଖଣି ମାଫିଆଙ୍କ ନଜର ରହିଛି ।

Gandhamardan Hills

ଗନ୍ଧମାର୍ଦ୍ଧନ ପାହାଡ଼

Ordigital Desk
  • Published: Tuesday, 11 February 2025
  • , Updated: 11 February 2025, 06:13 PM IST

ଓଡ଼ିଶା ସରକାରଙ୍କ ଦ୍ୱାରା  ୨୦୨୩ ମାର୍ଚ୍ଚ ମାସରେ ଜୈବବିବିଧତା ଐତିହ୍ୟ ସ୍ଥଳ ଭାବେ ମାନ୍ୟତାପ୍ରାପ୍ତ ଗନ୍ଧମାର୍ଦ୍ନ ପାହାଡ଼ ପୁଣିଥରେ ଚର୍ଚ୍ଚାରେ । ଆର‌୍ୟୁବେଦର ସ୍ୱର୍ଗ ଭାବେ ପରିଚିତ ଏହି ପାହାଡ଼ର ସାଂସ୍କୃତିକ,ଐତିହାସିକ ଓ ଧାର୍ମିକ ଗୁରୁତ୍ୱକୁ ରେଖାଙ୍କିତ କରି ଏହାର ତୁରନ୍ତ ସଂରକ୍ଷଣ ପାଇଁ ବରଗଡ଼ର ବିଜେପି ସାଂସଦ ପ୍ରଦୀପ ପୁରୋହିତ ସୋମବାର କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟି ଲିଖିତ ଦାବି ଜଣାଇବା ପରେ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଏହି ପାହାଡ଼ରେ ବହୁ ପରିମାଣର ଉଚ୍ଚ ଗୁଣାତ୍ମକ ମାନର ବକ୍ସାଇଟ, ଗ୍ରାନାଇଟ୍ ଓ ଚୂନପଥର ଥିବା ଯୋଗୁ ଏହା ଏବେ ଖଣି ମାଫିଆଙ୍କ ନଜର ରହିଛି । କିନ୍ତୁ ସ୍ଥାନୀୟ ଲୋକମାନଙ୍କ ତୀବ୍ର ବିରୋଧ ଓ ତୀକ୍ଷ୍ଣ ନଜର ଯୋଗୁ ଏହି ପାହାଡ ତା’ର ସମୃଦ୍ଧ ଜୈବବିବିଧତାକୁ ଏପର୍ଯ୍ୟନ୍ତ ବଜାୟ ରଖିପାରିଛି।

ବରଗଡ଼ ସାଂସଦ ଶ୍ରୀ ପୁରୋହିତ ସୋମବାର କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟି ଏହି ଜୈବବିବିଧତାପୂର୍ଣ୍ଣ ଗନ୍ଧମାର୍ଦ୍ଦନ ପାହାଡର ପ୍ରାକୃତିକ ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ବୋଲି ଦର୍ଶାଇବା ସହ ଜାତୀୟ ଐତିହ୍ୟସ୍ଥଳୀର ମାନ୍ୟତା ଦେବାକୁ ଅନୁରୋଧ କରିଛନ୍ତି। ଏହି ପାହାଡ଼ର ଗୁରୁତ୍ୱ ସମ୍ପର୍କରେ ଚୀନ ପରିବ୍ରାଜକ ହୁୟେନ ସାଂ ତାଙ୍କ ପୁସ୍ତକରେ ଏହି ପାହାଡ଼ରେ ବୌଦ୍ଧ କୀର୍ତ୍ତିରାଜିକୁ ନେଇ ଦେଇଥିବା ତଥ୍ୟ ଓ ଏଠାରେ ପ୍ରାଚୀନ କାଳରେ ନିର୍ମିତ ପ୍ରଭୁ ନୃସିଂହନାଥ ଓ ପ୍ରଭୁ ହରିଶଙ୍କରଙ୍କ ମନ୍ଦିର ରହିଥିବା ନେଇ ମଧ୍ୟ ଶ୍ରୀ ପୁରୋହିତ ତାଙ୍କ ଦାବିପତ୍ରରେ ଦର୍ଶାଇଛନ୍ତି। କଂଗ୍ରେସ ସରକାର ସମୟରେ ଏହି ପାହାଡ଼ରେ ଥିବା ଖଣିଜ ସମ୍ପଦକୁ ୪୭ ବର୍ଷ ଲିଜରେ କିଭଳି ବାଲକୋ କମ୍ପାନୀକୁ ଟେକି ଦିଆଯାଇଥିଲା ଓ ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ଯୋଗୁ ଏଠାରେ ଖନନ ସମ୍ଭବପର ହୋଇନଥିଲା ତାହା ମଧ୍ୟ ଅବଗତ କରାଇଛନ୍ତି।

ଏହି ପାହାଡ଼ର ଜୈବବିବିଧତା, ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହାସିକ ପୃଷ୍ଠଭୂମି, ଧାର୍ମିକ ଓ ଆର‌୍ୟୁବେଦିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜାତୀୟ ଐତିହ୍ୟ ସ୍ଥଳୀର ମାନ୍ୟତା ଦେବା ପାଇଁ ଶ୍ରୀ ପୁରୋହିତ ଅନୁରୋଧ କରିଛନ୍ତି। ତାଙ୍କ ନେତୃତ୍ୱରେ ସ୍ଥାନୀୟ ଅଂଚଳରେ ଦୀର୍ଘବର୍ଷ ଧରି ‘ଗନ୍ଧମାର୍ଦ୍ଦନ ସୁରକ୍ଷା ସଂଘର୍ଷ ସମିତି’ ସଫଳତାର ସହ ଖନନ ଗତିବିଧିକୁ ବିରୋଧ କରିଆସୁଛି ବୋଲି ଅବଗତ କରାଇବା ସହ ଶ୍ରୀ ଶାହଙ୍କୁ ମଧ୍ୟ ଗନ୍ଧମାର୍ଦ୍ଦନ ପାହାଡ଼ ବୁଲି ଆସିବାକୁ ଅନୁରୋଧ ଶ୍ରୀ ପୁରୋହିତ କରିଛନ୍ତି।

କାହିଁକି ଚର୍ଚ୍ଚାରେ ଗନ୍ଧମାର୍ଦ୍ଦନ ପାହାଡ଼

ଗତ ୪ଦିନ ପୂର୍ବରୁ ପାହାଡ଼ର ବଲାଙ୍ଗୀର ଜିଲ୍ଲା ପାର୍ଶ୍ୱରେ ଥିବା ଜଙ୍ଗଲରେ ମାଓବାଦୀ ଓ ପୁଲିସ ମଧ୍ୟରେ ଗତ ଗୁରୁବାର ଗୁଳି ବିନିମୟ ହୋଇଥିବା ଖବର ଆସିଥିଲା। ଏହାପରେ ସୋମବାର ଶ୍ରୀ ପୁରୋହିତ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହଙ୍କୁ ଭେଟିଛନ୍ତି। ଦୀର୍ଘବର୍ଷର ନିରବତା ପରେ ଗନ୍ଧମାର୍ଦ୍ଦନ ପାହାଡ଼ରେ ପୁଣିଥରେ ମାଓବାଦୀ ସକ୍ରିୟ ହେବାକୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି। ଗତବର୍ଷ ନଭେମ୍ବର ମାସରେ ଅଦାନୀ ଗ୍ରୁପର କମ୍ପାନୀ ମହାନଦୀ ମାଇନ୍ସ ଆଣ୍ଡ ମିନେରାଲନ୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଜମି କ୍ରୟ କରାଯାଇଥିବା ଜଣାପଡ଼ିଥିଲା।

ଯଦିଓ କମ୍ପାନୀ କର୍ତ୍ତୃପକ୍ଷ ଏହି ଜମି କ୍ଷତିପୂରଣ ବନୀକରଣ କାର୍ଯ୍ୟକ୍ରମ ପାଇଁ କ୍ରୟ କରାଯାଇଛି ବୋଲି ଦର୍ଶାଇଥିଲେ କିନ୍ତୁ ରାଜ୍ୟରେ ରାଜନୀତିକ ହଟଚମଟ ଦେଖିବାକୁ ମିଳିଥିଲା। ଏପରିକି ବରଗଡ଼ ସାଂସଦ ଶ୍ରୀ ପୁରୋହିତ ନିଜେ ଆଗକୁ ଆସି ଗନ୍ଧମାର୍ଦ୍ନ ପାହାଡ଼ରେ କୌଣସି ପ୍ରକାରର ଖନନ କାର୍ଯ୍ୟକୁ ପ୍ରଶୟ ଦିଆଯିବ ନାହିଁ ଓ ତୀବ୍ର ବିରୋଧ କରାଯିବ ବୋଲି ଗଣମାଧ୍ୟମକୁ ଜଣାଇଥିଲେ। ରାଜ୍ୟ ସରକାର ମଧ୍ୟ ଏହା କ୍ଷତିପୂରଣ ବନୀକରଣ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ବୋଲି ସେତେବେଳେ ବୟାନ ଦେଇଥିଲେ।

ରାଜ୍ୟର ତୃତୀୟ ଜୈବବିବିଧତା ଐତିହ୍ୟ ସ୍ଥଳୀ ମାନ୍ୟତା

ଓଡ଼ିଶା ସରକାର ୨୦୨୩ ମାର୍ଚ୍ଚ ମାସରେ ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର ୧୮,୯୬୩.୮୯୮ ହେକ୍ଟର ପରିବ୍ୟାପ୍ତ ଅଂଚଳରେ ଥିବା ଗନ୍ଧମାର୍ଦ୍ଦନ ପାହାଡ଼କୁ ରାଜ୍ୟର ତୃତୀୟ ଜୈବବିବିଧତା ଐତିହ୍ୟ ସ୍ଥଳୀର ମାନ୍ୟତା ଦେଇଥିଲେ। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ଜୈବବିବିଧତା ଆଇନର ଧାରା ୩୭ ଓ ଓଡ଼ିଶା ଜୈବବିବିଧତା ରୁଲସ-୨୦୧୨ର ରୁଲସ-୨୦(୨)ର ପ୍ରାବଧାନ ଆଧାରରେ ଏହି ମାନ୍ୟତା ଦେଇଥିଲେ। ରାଜ୍ୟ ସରକାରଙ୍କ ଏହି ବିଜ୍ଞପ୍ତି ପରେ ଗନ୍ଧମାର୍ଦ୍ଦନ ପାହାଡ଼ ଦେଶର ୩୭ତମ ଜୈବବିବିଧତା ଐତିହ୍ୟସ୍ଥଳୀ ପାଲଟିଥିଲା। ଗନ୍ଧମାର୍ଦ୍ଦନ ପାହାଡ଼ରେ ୨୪୦ପ୍ରକାରରୁ ଅଧିକ ଜୀବନରକ୍ଷକ ବିରଳ ଔଷଧୀୟ ବୃକ୍ଷ ଓ ୫୦୦ ପ୍ରଜାତିର ଔଷଧୀୟ ଗଛଲତା ରହିଛି। ଦେଶବିଦେଶର ଆର‌୍ୟୁବେଦ ଗବେଷକଙ୍କ ପାଇଁ ଏହା ଭୂସ୍ୱର୍ଗ ଭାବେ ପରିଚିତ।  ଗନ୍ଧମାର୍ଦ୍ନ ପାହାଡ଼ ହେଉଛି ସ୍ଥାନୀୟ ଆୟୁର୍ବେଦ ଗବେଷକମାନଙ୍କ ପାଇଁ ଏକମାତ୍ର ଯେଉଁଠି ସେମାନେ ବିଭିନ୍ନ ଔଷଧୀୟ ବୃକ୍ଷଲତା ଆଦିର ପରୀକ୍ଷାନିରୀକ୍ଷା କରିବାର ସୁଯୋଗ ପାଇଥାନ୍ତି। ଯେଉଁଥିପାଇଁ ଏଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଆର‌୍ୟୁବେଦ ବିଶ୍ୱବିଦ୍ୟାଳୟ ମଧ୍ୟ କାର୍ଯ୍ୟ କରୁଛି, ଯାହା ନୃସିଂହନାଥ ଆୟୁର୍ବେଦ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ।

ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଖଣିମାଫିଆଙ୍କ ନଜର

ଗନ୍ଧମାର୍ଦ୍ଦନ ପାହାଡରେ ୧୦୪.୭୮ ନିୟୁତ ଟନ୍ ବକ୍ସସାଇଟ୍ ଗଚ୍ଛିତ ଥିବା ଆକଳନ କରାଯାଉଛି। ଏହାଛଡ଼ା ବହୁ ପରିମାଣର ଗ୍ରାନାଇଟ୍ ଓ ଚୂନପଥର ମଧ୍ୟ ପାହାଡ଼ରେ ରହିଛି। କଂଗ୍ରେସ ସରକାର ସମୟରେ ବାଲକୋ କମ୍ପାନୀକୁ ୪୭ ବର୍ଷ ପାଇଁ ଏଠାରୁ ବକ୍ସାଇଟ୍ ଖନନ ନିମନ୍ତେ ଅନୁମତି ଦିଆଯାଇଥିଲା। କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଏହା ସମ୍ଭବପର ହୋଇପାରିନଥିଲା। ସ୍ଥିତି ଏପରି ହେଲା ଯେ ବାଲକୋ କମ୍ପାନୀ ଏବେ ଇତିହାସ ପାଲଟି ଯାଇଛି। ସେବେଠୁ ସରକାର ଏହି ପାହାଡ଼ରେ ଖନନ ପାଇଁ କାହାରିକୁ ଅନୁମତି ଦେଇନାହାନ୍ତି ଯଦିଓ ଦେଶବିଦେଶର କମ୍ପାନୀଗୁଡ଼ିକ ଏହାର ବକ୍ସାଇଟ୍ ଉପରେ କ୍ରମାଗତ ନଜର ପକାଇ ନିଜର ଗୋଟିଚାଳନା କରୁଛନ୍ତି। ଗନ୍ଧମାର୍ଦ୍ଧନ ପାହାଡ଼ରେ ଯେତିକି ବକ୍ସାଇଟ୍ ଗଚ୍ଛିତ ଅଛି ତାହା ନିୟମଗିରି ପାହାଡ଼ଠୁ ପ୍ରାୟ ୩୦ ନିୟୁତ୍ ଟନ୍ ଅଧିକ ବୋଲି ଆକଳନ କରାଯାଉଛି।

Related story