ପଶ୍ଚିମବଙ୍ଗ ସରକାରଙ୍କୁ ପାନେ ଦେବା ପାଇଁ ୨୦୧୫ ମସିହାରେ ଓଡ଼ିଶା ସରକାର ଗଢ଼ିଥିଲେ ‘ଆଳୁ ମିଶନ୍’। ଓଡ଼ିଶାରେ ଆଳୁ ଉତ୍ପାଦନ ବୃଦ୍ଧି ଓ ପଶ୍ଚିମବଙ୍ଗ ଉପରେ ନିର୍ଭତା କମ୍ କରିବା ପାଇଁ ବିଜେଡି ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ। ଏଥିପାଇଁ ୧୩୦ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ସେହି ଅର୍ଥରେ କୃଷି ମନ୍ତ୍ରୀ ଓ କିଛି ଅଧିକାରୀ ଦକ୍ଷିଣ ଆମେରିକାରର ‘ପେରୁ’ରେ ଥିବା ୱାର୍ଲଡ୍ ପଟାଟୋ ସେଣ୍ଟର ବୁଲି ଆସିଥିଲେ। ତଥାପି ଓଡ଼ିଶାରେ ଫେଲ୍ ମାରିଲା ଆଳୁ ମିଶନ୍। ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ଯୋଜନା ସତ୍ତ୍ୱେ କ’ଣ ପାଇଁ ଫେଲ୍ ମାରିଲା ଆଳୁ ମିଶନ୍? କ’ଣ କରୁଛନ୍ତି ବିଶେଷଜ୍ଞ?
କୃଷୀ ବିଶେଷଜ୍ଞ ଜଗଦୀଶ ପ୍ରଧାନଙ୍କ କହିବା ଅନୁସାରେ ଆଳୁ ଓଡ଼ିଶା କିମ୍ୱା ଭାରତର ପାରମ୍ପରିକ ଚାଷ ନୁହେଁ। ୩୦୦ରୁ ସାଢ଼େ ୩୦୦ ବର୍ଷ ତଳେ ଭାରତରେ ଆରମ୍ଭ ହୋଇଥିଲା ଆଳୁ ଚାଷ। ତେଣୁ ସେହି ଦୃଷ୍ଟିରେ ଦେଖିଲେ ଆଳୁ ଓଡ଼ିଶାର ପ୍ରଧାନ ଫସଲ ନୁହେଁ। ତେବେ ଏଠି ପ୍ରଶ୍ନ ଉଠୁଛି ଆଳୁ ଚାଷରେ ଓଡ଼ିଶା ଅପେକ୍ଷା ପଶ୍ଚିମବଙ୍ଗ କେମିତି ସଫଳ ହେଲା? ୧୯୪୮ ମସିହା ମଧ୍ୟ ଭାଗରେ ପଶ୍ଚିମବଙ୍ଗରେ ଦାମୋଦର ଭେଲ୍ଲୀ ଡ୍ୟାମ୍ କର୍ପୋରେସନ୍ କାମ ଆରମ୍ଭ ହୋଇଥିଲା। ୫ରୁ ୬ ବର୍ଷ ଭିତରେ ଡ୍ୟାମ୍ ନିର୍ମାଣ କାମ ସରିଥିଲା। ତା’ପରେ ଜଳସେଚନ ପାଇଁ ଦାମୋଦର ଭେଲ୍ଲୀ ଡ୍ୟାମ୍ ତଳେ ଆଉ ୪ଟି ଡ୍ୟାମ୍ ନିର୍ମାଣ କରାଯାଇଥିଲା ବୋଲି ଶ୍ରୀ ପ୍ରଧାନ କହିଥିଲେ।
ସେ କହିଛନ୍ତି, ଦାମୋଦର ଭେଲ୍ଲୀ ଡ୍ୟାମ୍ ପାଣିକୁ ବ୍ୟବହାର କରି ଅଳ୍ପ ସମୟରେ ହେଉଥିବା ଧାନ ଚାଷ କରିବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଦେଇଥିଲେ ପଶ୍ଚିମବଙ୍ଗ ସରକାର। ତେଣୁ ଚାଷୀମାନେ ଧାନ ଚାଷ ପରେ ଆଳୁ ଚାଷ କରୁଥିଲେ। ଏହାସହିତ ଆଳୁ ଉତ୍ପାଦନ ବୃଦ୍ଧି ପାଇଁ ସେମାନେ ବର୍ଷବର୍ଷ ଧରି ପରୀକ୍ଷା ନିରୀକ୍ଷା କରିଥିଲେ। ନିରନ୍ତର ପ୍ରୟାସ ପରେ ଅର୍ଥାତ ୧୯୫୦ ମସିହା ପରବର୍ତ୍ତୀ ସମୟରେ ସେମାନେ ସଫଳ ହୋଇଥିଲେ। ଆଉ ଆଜି ସେମାନେ ଆଳୁ ଚାଷରେ ସଫଳ ହୋଇପାରିଲେ। କେବଳ ଚାଷ ନୁହେଁ, ଆଳୁ ସଂରକ୍ଷଣ ପାଇଁ ମଧ୍ୟ ପଶ୍ଚମବଙ୍ଗ ସରକାର ବ୍ୟବସ୍ଥା କରିଥିଲେ। ୪ଟି ଜିଲ୍ଲାରେ ୪୫୦ରୁ ଅଧିକ ଶୀତଳଭଣ୍ଡାର ନିର୍ମାଣ କରିଥିଲେ। ଚାଷ ଜମି ମଝିରେ ତିଆରି କରାଯାଇଥିଲା ଏହି ସବୁ ଶୀତଳଭଣ୍ଡାର। ଏଥିସହ ଶୀତଳଭଣ୍ଡାରକୁ ରାସ୍ତା ମଧ୍ୟ କରିଥିଲେ। ତେଣୁ ଚାଷୀମାନେ ଉତ୍ପାଦିତ ଆଳୁକୁ ଶୀତଳଭଣ୍ଡାରରେ ରଖୁଛନ୍ତି। ଏହାଛଡ଼ା ଚାଷୀମାନଙ୍କ ପାଖରେ ବିହନ ଯୋଗାଇ ଦିଆଯାଉଛି। ତେଣୁ ସେମାନଙ୍କୁ ଆଉ ଦୂରକୁ ଯିବାକୁ ପଡ଼ୁନି। ଚାଷୀଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି।
ପଶ୍ଚିମବଙ୍ଗ ପରି ଓଡ଼ିଶାରେ ସେମିତିକା ବ୍ୟବସ୍ଥା ହୋଇନି। ଓଡ଼ିଶାରେ ହୀରାକୁଦ, ରେଙ୍ଗାଲି, କୋଲାବ, ସୁନ୍ଦରୀ ପରି ଅନେକ ଡ୍ୟାମ୍ ଓ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି। ହେଲେ ଚାଷୀଙ୍କ କ୍ଷେତକୁ ପହଞ୍ଚାଇବା ପାଇଁ ସେପରି କୌଣସି ବ୍ୟବସ୍ଥା ହୋଇନାହିଁ। ଯାହାଫଳରେ ଚାଷୀମାନେ ପାରମ୍ପରିକ ଧାନ ଚାଷ କରିବାକୁ ବାଧ୍ୟ ହେଉଛନ୍ତି।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ୨୦୧୫ ମସିହା ଏପ୍ରିଲ ୩୦ ତାରିଖରେ ଓଡ଼ିଶାରେ ଆଳୁ ମିଶନ୍ ଲଞ୍ଚ ହୋଇଥିଲା। ଲୋକେ ଭାବିଥିଲେ ଏଥର ଓଡ଼ିଶାରୁ ଆଳୁ ଅଭାବୀ ଦୂର ହେବ। ସେଥିପାଇଁ ୧୩୦ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ସେହି ଅର୍ଥରେ କୃଷି ମନ୍ତ୍ରୀ ଓ କିଛି ଅଧିକାରୀ ଦକ୍ଷିଣ ଆମେରିକାର ‘ପେରୁ’ (ୱାର୍ଲଡ୍ ପଟାଟୋ ସେଣ୍ଟର) ଯାଇଥିଲେ। ସେଠାରୁ ଅଭିଜ୍ଞତା ନେଇ ଆସିଥିଲେ। ସେଠାରୁ ଆସିଲା ପରେ ଶୀତଳଭଣ୍ଡାର କଲେନାହିଁ। ପୂର୍ବରୁ ଯେଉଁସବୁ ଶୀତଳଭଣ୍ଡର ଥିଲା, ତାହା ବନ୍ଦ ହୋଇଗଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଉଦ୍ୟାନ ବିଭାଗ ପ୍ରକାଶ କରିଥିବା ରିପୋର୍ଟକୁ ନେଇ ସନ୍ଦେହ ପ୍ରକାଶ ପାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ତାଙ୍କ କହିବା କଥା, ୨୦୧୫-୧୬ ମସିହାରେ ଓଡ଼ିଶାରେ ୩ ଲକ୍ଷ ୨୦ ହଜାର ମେଟ୍ରିକ୍ ଟନ୍ ଆଳୁ ଉତ୍ପାଦନ ହେଉଥିଲା। ତା’ପର ବର୍ଷ ତାହା ଖସିଆସି ୨ ଲକ୍ଷ ୯୮ ହଜାରରେ ପହଞ୍ଚିଲା। ତା’ପର ବର୍ଷ ୨ ଲକ୍ଷ ୯୦କୁ ଆସିଲା। ପରବର୍ତ୍ତୀ ସମୟରେ ଆଳୁ ଉତ୍ପାଦନ କମି କମି ଯାଉଛି। ସବୁଠାରୁ ମଜାଦାର କଥା ହେଉଛି, ଯଦି ଏତେ ପରିମାଣର ଆଳୁ ଉତ୍ପାଦନ ହେଉଛି, ତାହାହେଲେ ସେହି ଆଳୁର ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ଆବଶ୍ୟକତା ରହିଛି। ହେଲେ ଓଡ଼ିଶାରେ ଏତେ ଶୀତଳଭଣ୍ଡାର ନାହିଁ। ତେଣୁ ଉତ୍ପାଦନ ହେଉଥିବା ଆଳୁକୁ ନେଇ ସନ୍ଦେହ ପ୍ରକାଶ ପାଉଛି ବୋଲି ଶ୍ରୀ ନାୟକ କହିଛନ୍ତି।
ରିପୋର୍ଟ-ଭୁବନେଶ୍ୱରରୁ ସ୍ୱାତୀ ଜେନା