ନୂଆଦିଲ୍ଲୀ: ପୁଣି ଭାରତ-ପାକ ଆନ୍ତର୍ଜାତୀୟ ସୀମାରେଖାରେ ପୁଣି ଅଶାନ୍ତି ଦେଖାଦେଇଛି । ଯୁଦ୍ଧ ବିରାମକୁ ଉଲ୍ଲଂଘନ କରି ପାକିସ୍ତାନ ସେନା ଅନ୍ତର୍ଜାତୀୟ ସୀମାରେ ରବିବାର ରାତିସାରା ଗୁଳିଗୋଳା ବର୍ଷଣ କରିଛି । ଏହାସହ ଜାମ୍ମୁ ଜିଲ୍ଲାର ଭାରତ-ପାକ ସୀମାର କିଛି ଭାରତୀୟ ସେନା ଶିବିର ଉପରେ ଗୁଳି ଓ ମୋଟର ମାଡ କରିଛି । ସୀମାରେ ମୁତୟନ ବିଏଓଏଫ ଯବାନମାନେ ଏହାର ଉଚିତ ଜବାବ ଦେଇଛନ୍ତି । ବିଏସଏଫର ଜଣେ ଅଧିକାରୀ କହିଛନ୍ତି ଯେ, ପାକିସ୍ତାନୀ ରିଞ୍ଜରୁ ଜାମ୍ମୁ ଜିଲ୍ଲାର ଅରନିୟା ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେଖାରେ ଭାରତର ୬ଟି ସୀମା ଶିବିରକୁ ଟାର୍ଗେଟ କରିଥିଲେ ପାକିସ୍ତାନୀ ସୈନିକ । ଅଧିକାରୀ ଜଣଙ୍କ କହିଛନ୍ତି, ପାକିସ୍ତାନ ସେନା ଛୋଟ ଯୁଦ୍ଧାସ୍ତ୍ର ବ୍ୟବହାର କରିବା ସହ ୮୨ ଏମଏମ ମୋଟର ମାଡ କରିଥିଲେ । ପାକିସ୍ତାନର ଏଭଳି ଗୁଳି ବର୍ଷଣକୁ ନେଇ ସୀମାରେ ରହୁଥିବା ଭାରତୀୟ ଗ୍ରାମଗୁଡିକରେ ଆତଙ୍କ ଖେଳି ଯାଇଥିଲା ।
ଭାରତୀୟ ଯବାନଙ୍କ ପକ୍ଷରୁ ଏହାର ଉଚିତ ଜବାବ ଦିଆଯାଇଥିଲା । ରବିବାର ରାତିରୁ ଆରମ୍ଭ ହୋଇଥିବା ଏହି ଗୁଳିଗୋଳା ବର୍ଷଣ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ କୌଣସି ଧନଜୀବନ କ୍ଷତି ହୋଇ ନ ଥିବା ଅଧିକାରୀ ଜଣଙ୍କ କହିଛନ୍ତି । ସ୍ଥିତି ଉପରେ ନଜର ରଖାଯିବା ସହ ଯବାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାମ୍ମୁ ସେକ୍ଟରର ଅନ୍ତର୍ଜାତୀୟ ସୀମାରେ ଗତ ୧୨ ଘଣ୍ଟା ମଧ୍ୟରେ ପାକିସ୍ତାନୀ ସେନା ୩ଥର ଯୁଦ୍ଧ ବିରାମର ଉଲ୍ଲଂଘନ କରିଛି । ପାକିସ୍ତାନ ସେନା ରବିବାର ୬ଟା ୫୨ରୁ ୬ଟା ୫୫ମିନିଟ ମଧ୍ୟରେ ୨୫ରୁ ୩୦ଟି ଗୋଳି ଚଳାଇଥିଲେ । ଅଧିକାରୀଙ୍କ ଅନୁସାରେ, ୭ଟା ୧୫ ମିନିଟ ପାଖାପାଖିରେ ପାକିସ୍ତାନୀ ସେନା ପୁଣି ଗୁଳିମାଡ କରିଥିଲେ । ଭାରତୀୟ ଯବାନ ଏହାର ଜବାବ ଦେବା ସହ ଉଭୟ ପକ୍ଷ ମଧ୍ୟରେ ୮୦ ମିନିଟରୁ ଅଧିକ ଗୁଳି ମାଡ ହୋଇଥିଲା । ରାତି ପ୍ରାୟ ୮ଟା ୧୫ରେ ଏହା ବନ୍ଦ ହୋଇଥିଲା । ପରେ ପୁଣି ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ କରାଯାଇଥିଲା । ପାକିସ୍ତାନ ସେନା ଗତ ୨୨ ତାରିଖରେ ଜାମ୍ମୁ ଜିଲ୍ଲାର ଆରଏସପୁରା ସେକ୍ଟରର ସୀମାରେ ଯୁଦ୍ଧ ବିରାମକୁ ଉଲ୍ଲଂଘନ କରି ଭାରତୀୟ ସୈନା ଶିବିରକୁ ଗୁଳିମାଡ କରିଥିଲେ । କାଶ୍ମୀର ଘାଟିରେ ମଧ୍ୟ ପାକିସ୍ତାନୀ ସୈନିକ ରବିବାର ରାତିରେ କୁପୱାଡା ଜିଲ୍ଲାର ମାଛିଲୀ ସେକ୍ଟରର ନୈଗାମ ପଟ୍ଟିରେ ନିୟନ୍ତ୍ରଣ ରେଖାକୁ ଲାଗି ରହିଥିବା ଭାରତୀୟ ସୈନା ଶିବିର ଉବରେ ବହୁ ପରିମାଣଣେ ଗୁଳିମାଡ କରିଥିଲେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।