ନୂଆଦିଲ୍ଲୀ: କଣ୍ଡୋମ। ସୁରକ୍ଷିତ ଯୌନ ସମ୍ବନ୍ଧ ଏବଂ ପରିବାର ନିୟନ୍ତ୍ରଣର ସବୁଠୁ ବଡ଼ ସାଧନ ହେଉଛି ଏହି କଣ୍ଡୋମ । ହେଲେ ଏହି କଣ୍ଡୋମକୁ ନେଇ ଏବେ ଭାରତୀୟଙ୍କ ଭିତରେ ଭିନ୍ନ ଧାରଣା ରହିଛି। ମେଡିସିନ ଦୋକାନରେ ଖୋଲାଖୋଳି ମାଗିବାକୁ ଜଣେ ସଙ୍କୋଚ ଓ ଲଜ୍ଜା ଅନୁଭବ କରେ। ମାଗିବା ବେଳେ ସେ ତାର ଚତୁଃପାର୍ଶ୍ୱକୁ ବୁଲି ଚାହେଁ। ସାମାଜିକ ଦୃଷ୍ଟିରୁ କଣ୍ଡୋମ ପ୍ରତି ଏହି ନକରାତ୍ମକ ଭାବନା ଯୋଗୁ ପ୍ରାୟ ୫ ପ୍ରତିଶତ ଭାରତୀୟ ଏହି ସାମଗ୍ରୀକୁ ବ୍ୟବହାର କରିଥାଆନ୍ତି। ଏପରିସ୍ଥଳେ ଦେଶରେ ଏକ ସଂସ୍ଥା ପକ୍ଷରୁ ଫ୍ରି କଣ୍ଡୋମ ଷ୍ଟୋର ଖୋଲା ଯାଇଥିବା ବେଳେ ୬୯ ଦିନରେ ୧୦ ଲକ୍ଷ କଣ୍ଡୋମ ଅର୍ଡ଼ର ହୋଇ ଡେଲିଭେରି ହେବା ଚର୍ଚ୍ଚାର ବିଷୟ ପାଲଟିଛି।
୨୮ ଏପ୍ରିଲରେ ଲଞ୍ଚ ହୋଇଥିବା ଏହି ଫ୍ରି କଣ୍ଡୋମ ଷ୍ଟୋରରୁ ୬୯ ଦିନରେ ୯.୫୬ ଲକ୍ଷ ଅର୍ଡ଼ର ହୋଇ ଡେଲିଭେରି ହୋଇଛି। ଏଡ୍ସ ହେଲଥ କେୟାର ସୋସାଇଟି ପକ୍ଷରୁ ଏହି ଷ୍ଟୋର ଲଞ୍ଚ କରାଯାଇଛି। ଦିଲ୍ଲୀ ଏବଂ କର୍ଣ୍ଣାଟକରେ ଥିବା ଏହି ଷ୍ଟୋରରୁ ସବୁଠୁ ଅଧିକ ଅର୍ଡ଼ର ହୋଇଛି। ଏଡ୍ସ ହେଲଥ କେୟାର ସୋସାଇଟି ସହାୟତାରେ ସରକାରଙ୍କ ଦ୍ୱାରା ସଞ୍ଚାଳିତ ହିନ୍ଦୁସ୍ଥାନ ଲାଟେକ୍ସ ଲିମିଟେଡ ପକ୍ଷରୁ ସ୍ୱତନ୍ତ୍ର ବ୍ରାଣ୍ଡର କଣ୍ଡମ ତିଆରି କରାଯାଇଛି। ଫାଉଣ୍ଡେସନର ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ ଆହୁରି ୫୦ ଲକ୍ଷ କଣ୍ଡମ ଅର୍ଡ଼ର ବାକି ରହିଛି । ତାଙ୍କ କହିବା ଅନୁଯାୟୀ କଣ୍ଡୋମ ବ୍ୟବହାର ନେଇ ଅନଲାଇନ୍ରେ ଯେଭଳି ରେସପନ୍ସ ମିଳୁଛି ତାହା ଖୋଲା ମାର୍କେଟରେ ମିଳୁ ନାହିଁ।
କାରଣ ଷ୍ଟୋରକୁ ଯାଇ କଣ୍ଡୋମ ମାଗିବାକୁ ଭାରତୀମାନେ ଏବେ ବି ଲଜ୍ଜା ଅନୁଭବ କରୁଛନ୍ତି। ଜାତୀୟ ପରିବାର ସର୍ଭେ ରିପୋର୍ଟ ଅନୁଯାୟୀ ପରିବାର ନିୟୋଜନ ପାଇଁ ସମୁଦାୟ ଜନସଂଖ୍ୟାର ପ୍ରାୟ ୫.୬ ପ୍ରତିଶତ ଲୋକେ କଣ୍ଡୋମ ବ୍ୟବହାର କରି ଥାଆନ୍ତି। କୋଲକତାର ୧୯ ପ୍ରତିଶତ, ଦିଲ୍ଲୀର ୧୦ ପ୍ରତିଶତ, ବେଙ୍ଗାଲୋରରେ ୩.୬ ପ୍ରତିଶତ ଲୋକେ କଣ୍ଡୋମ ବ୍ୟବହାର କରୁଛନ୍ତି। ଜାତୀୟସ୍ତରରେ ୫୪ ପ୍ରତିଶତ ମହିଳା ଏବଂ ୭୭ ପ୍ରତିଶତ ପୁରୁଷ ଏହାକୁ ବ୍ୟବହାର କରୁଛନ୍ତି। ଭାରତରେ କଣ୍ଡୋମ ବେପାର ୨୦୦ରୁ ୨୨୦ କୋଟି ଭିତରେ ସୀମିତ ରହିଛି।