କାନପୁର: ଗୋଟିଏ ମାସରେ ୧୧ଟି 'ଲଭ୍ ଜିହାଦ' ମାମଲା ସାମ୍ନାକୁ ଆସିବା ପରେ ଉତ୍ତର ପ୍ରଦେଶ ପୁଲିସ ୮ ଜଣିଆ ସ୍ୱତନ୍ତ୍ର ଅନୁସନ୍ଧନକାରୀ ଟିମ୍ (ଏସଆଇଟି) ଗଠନ କରିଛି। ଉତ୍ତରପ୍ରଦେଶର କାନପୁରରେ ବିବାହର ବାହାନା କରି ବଳ ପୂର୍ବକ ଭାବରେ ଧର୍ମ ପରିବର୍ତ୍ତନ କରି ପ୍ରାୟ ୧୧ଟି ବିବାହ ବଳପୂର୍ବକ କରାଯାଇଥିବା ଅଭିଯୋଗ ହୋଇଛି।
ଏହାକୁ ନେଇ ହିନ୍ଦୁ ସଂଗଠନ କାନପୁର ଆଇଜି ମୋହିତ ଅଗ୍ରୱାଲଙ୍କୁ ଭେଟି ଘଟଣାର ତଦନ୍ତ ପାଇଁ ଦାବି କରିଥିଲେ। ଏମିତିକି ଏଫଆଇଆର ମଧ୍ୟ ଦେଇଥିଲେ। ଏହାପରେ କାନପୁର (ଦକ୍ଷିଣ) ଆଇଜି ଦୀପକ ଭୁକରଙ୍କ ନେତୃତ୍ୱରେ ଏହି ଘଟଣାରେ ତଦନ୍ତ କରିବା ପାଇଁ ଏସଆଇଟି ଟିମ୍ ଗଠନ କରାଯାଇଛି।
କାନପୁରରେ ସକ୍ରିୟ ହୋଇ ଉଠିଥିବା 'ଲଭ୍ ଜିହାଦ' ରାକେଟକୁ କିଏ ଆର୍ଥିକ ସହାୟତା ଯୋଗାଉଛି ତାର ତଦନ୍ତ ମଧ୍ୟ ପୁଲିସ କରିବ ବୋଲି ଜଣାପଡ଼ିଛି।
ଖବର ସରବରାହ ସଂସ୍ଥା ଆଇଏନ୍ଏସକୁ ଜଣେ ଅଧିକାରୀ କହିଛନ୍ତି, “କିଛି ଇସଲାମିକ ସଂଗଠନ ଏଭଳି ଦେଶ ବିରୋଧୀ କାର୍ଯ୍ୟରେ ଜଡ଼ିତ ଅଛନ୍ତି।
ସୂଚନାଯୋଗ୍ୟ, ଏଭଳି ଅଭିଯୋଗ କାନପୁରର ଜୁହି ଅଞ୍ଚଳରୁ ଆସୁଛି। ଏଥିରେ ସମ୍ପୃକ୍ତ ଯୁବକମାନଙ୍କୁ ବିଦେଶରୁ ଅର୍ଥ ପ୍ରଦାନ କରାଯାଉଛି କି ନାହିଁ ତାହା ଜାଣିବା ପାଇଁ କାନପୁର ପୁଲିସ ତଦନ୍ତ କରୁଛି।
ଅନ୍ୟପଟେ ଏସପି ଦୀପକ ଭୁକର କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ ଆସିଥିବା ସମସ୍ତ 'ଲଭ୍ ଜିହାଦ' ମାମଲାର ରିପୋର୍ଟ ଏସଆଇଟି ସ୍ଥାନୀୟ ଥାନା ମାନଙ୍କୁ ଦେଇଛି।
ଗତ ଜୁଲାଇରେ ଜଣେ କାନପୁର ମହିଳା ଶାଲିନୀ ଯାଦବ ଜଣେ ମୁସଲମାନ ପୁରୁଷ ଫୈଜଲଙ୍କୁ ବିବାହ କରିଥିଲେ। ଝିଅର ପରିବାର ଅନୁଯାୟୀ, ଏହା ଥିଲା ‘ଲଭ୍ ଜିହାଦ’। ତେବେ ଏହି ଦମ୍ପତି ଦିଲ୍ଲୀର ଏକ କୋର୍ଟ ନିକଟକୁ ଯାଇ ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ଅଭିଯୋଗକୁ ଅସ୍ୱୀକାର କରିଥିଲେ। ତେବେ ଶାଲିନୀ ସୋଶାଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଥିଲେ ଯେ ସେ ନିଜ ପସନ୍ଦ ଅନୁଯାୟୀ ବିବାହ କରିଛନ୍ତି ଏବଂ ଧର୍ମ ପରିବର୍ତ୍ତନ କରିଛନ୍ତି।
ତେବେ ଏହାରି ଭିତରେ କାନପୁର ପୁଲିସ 'ଲଭ୍ ଜିହାଦ' ମାମଲାରେ ମୋହସିନ୍ ଖାନ୍ ଏବଂ ଆମୀର ଦୁଇ ଜଣଙ୍କୁ ଧରିଛି। ଜଣେ ଅଧିକାରୀ କହିଛନ୍ତି ଯେ ମୋହସିନ୍ ଖାନ୍ ସମୀର ଭାବରେ ଅଭିନୟ କରିଥିଲେ ଏବଂ ଜଣେ ଝିଅ ସହିତ ବନ୍ଧୁତା କରିଥିଲେ ଏବଂ ପରେ ତାଙ୍କୁ ବିବାହ କରିଥିଲେ।
ଏହି ଖବର ଅନୁଯାୟୀ ଅନ୍ୟ ଧର୍ମର ଯୁବତୀଙ୍କୁ ବିବାହ କରିବା ପାଇଁ କିଛି ଯୁବକ ନିଜର ପରିଚୟ ଲୁଚାଇ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଛନ୍ତି। ଯାହାକି ବେଆଇନ୍। ପୁଲିସ ମୁଖ୍ୟତଃ ଏହି ମାମଲା ଉପରେ ତଦନ୍ତ କରୁଛି।