ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ହୁହୁ ହୋଇ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆହୁରି ୧୧୧୮ ଜଣ କରୋନା ପଜିଟିଭ କେସ ସାମ୍ନାକୁ ଆସିଛି। ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୩୩ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ ୩୯ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏବେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୪ଶହ ମୁହାଁ ହୋଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଏବେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୯୨ ଛୁଇଁଛି। କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ମେ’ ୩ ଯାଏ ଲକଡାଉନ ଘୋଷଣା କରାଯାଇଛି। ତଥାପି ଦେଶରେ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା କମିବାର ନାଁ ଧରୁନି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ୧୧୯୩୩ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୧୩୪୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାର ଅର୍ଥ ଦେଶର ବିଭିନ୍ନ ହସ୍ପିଟାଲରେ ୧୦୧୯୭ ଜଣ ଚିକିତ୍ସିତ ହେଉଛନ୍ତି। କରୋନା ଯୋଗୁ ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୨୬୮୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭୮ ଜଣ ପ୍ରାଣ ହରାଇଥିବା ବେଳେ ୨୫୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ମଧ୍ୟରେ ଏଠାରେ ୧୮୩ଟି ପଜିଟିଭ କେସ ଆସିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ହେଲେ ମନ୍ତ୍ରଣାଳୟ ତଥ୍ୟରେ ଏହାକୁ ମିଶାଯାଇନାହିଁ। ଆସନ୍ତାକାଲି ଏହାକୁ ମିଶାଇ ତଥ୍ୟ ପ୍ରକାଶ କରାଯିବ।
ମହାରାଷ୍ଟ୍ର ପରେ ଦିଲ୍ଲୀରେ ସର୍ବାଧିକ କରୋନା ଆକ୍ରାନ୍ତ ରହିଛନ୍ତି। ଆଜି ସୁଦ୍ଧା ଏଠାରେ ୧୫୬୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୦ ଜଣ ସୁସ୍ଥ ହୋଇଥିବା ବେଳେ ୩୦ ଜଣ ପ୍ରାଣ ହରାଇଛନ୍ତି। ଏକ ହଜାର ଉପରେ କରୋନା ହୋଇଥିବା ତାଲିକାରେ ତାମିଲନାଡୁ ୧୨୦୪ ଓ ରାଜସ୍ଥାନ ୧୦୦୫ ରହିଛନ୍ତି।
ଆଜି ମଧ୍ୟ ଉତ୍ତର ପ୍ରଦେଶରେ ୬୯ଟି, ତାମିଲନାଡୁରେ ୩୮, କେରଳରେ ୧ ଓ ଜମ୍ମୁ-କଶ୍ମୀରରେ ୨୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତାଲିକାରେ ସ୍ଥାନ ଦେଇନାହିଁ।
ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଆନ୍ଧ୍ର ପ୍ରଦେଶରେ ୫୦୩, ଆସାମରେ ୩୩, ବିହାରରେ ୩୩, ଚଣ୍ଡିଗଡ଼ ୨୧, ଛତିଶଗଡ଼ରେ ୩୩, ଗୁଜରାଟରେ ୬୯୫, ହରିଆଣାରେ ୧୯୯, ଜମ୍ମୁ-କଶ୍ମୀରରେ ୨୭୮, କର୍ଣ୍ଣାଟକାରେ ୨୭୭, କେରଳରେ ୩୮୭, ମଧ୍ୟପ୍ରଦେଶରେ ୯୮୭, ଓଡ଼ିଶାରେ ୬୦, ପଞ୍ଜାବରେ ୧୮୬, ତେଲେଙ୍ଗାନାରେ ୬୪୭, ଉତ୍ତର ପ୍ରଦେଶ ୭୩୫ ଓ ପଶ୍ଚିମବଙ୍ଗରେ ୨୧୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।