ନୂଆଦିଲ୍ଲୀ: ୧୬ ବର୍ଷର ପିଲାର ମାସକୁ ଦରମା ୧୨ ଲକ୍ଷ ଟଙ୍କା। ଚଣ୍ଡିଗଡ଼ର ହର୍ଷିତ ଶର୍ମାଙ୍କୁ ଗୁଗୁଲ ଏହି ସୁଯୋଗ ଦେଇଛି। କିଛି ଦିନ ତଳେ ଏହି ଖବର ସୋସିଆଲ ମିଡ଼ିଆରେ ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ଗୁଗଲ ଆଜି ଏହି ଖବରକୁ ଫେକ୍ ବୋଲି ଘୋଷଣା କରିଛି।
ଇଣ୍ଡିଆନ୍ ଏକ୍ସପ୍ରେସ୍ ରିପୋର୍ଟ ଅନୁସାରେ, ଭାଇରାଲ ହୋଇଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା। ଏହାର କୌଣସି ଆଧାର ନାହିଁ। ଗୁଗଲ ପକ୍ଷରୁ ଏପରି କୌଣସି ନିଯୁକ୍ତି ଦିଆଯାଇ ନାହିଁ। ଗୁଗଲ ଏହି କଥା ସ୍ପଷ୍ଟ କରିଛି।
ଏପଟେ ଗୁଗଲ ଏହି ଖବରକୁ ମିଛ ବୋଲି ଘୋଷଣା କରିବା ପରେ, ହର୍ଷିତଙ୍କ ପରିବାର ଲୋକ ଗଣମାଧ୍ୟମରେ ମୁହଁ ଖୋଲିବାକୁ ମନା କରିଦେଇଛନ୍ତି।
ଭାଇରାଲ ହୋଇଥିବା ଖବର ଅନୁଯାୟୀ, ଚଣ୍ଡିଗଡ଼ର ହର୍ଷିତ ଶର୍ମାଙ୍କୁ ଆଇକନ୍ ଡିଜାଇନ୍ କରିବା ପାଇଁ ଗୁଗଲ ଚୟନ କରିଥିଲା। ହର୍ଷିତ ଏ ବର୍ଷ ସରକାରୀ ମଡେଲ ସିନିୟର ସେକେଣ୍ଡାରୀ ସ୍କୁଲ୍ରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିଛନ୍ତି। ଅଗଷ୍ଟରେ ସେ ଆମେରିକା ଯିବେ। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଚୟନ ହୋଇଥିବା ହର୍ଷିତଙ୍କୁ ଗୁଗଲ ଏକ ବର୍ଷ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦେବ। ପ୍ରଶିକ୍ଷଣ ସମୟରେ ତାଙ୍କର ମାସିକ ଦରମା ୪ ଲକ୍ଷ ଟଙ୍କା ହେବ। ପ୍ରଶିକ୍ଷଣ ଶେଷ ହେବା ପରେ ଗୁଗଲ ତାଙ୍କୁ ମାସିକ ୧୨ ଲକ୍ଷ ଟଙ୍କା ଦେବ। ହର୍ଷିତଙ୍କୁ ଅଗଷ୍ଟ ମାସରେ ଗୁଗୁଲରେ ଜଏନ୍ କରିବେ ବୋଲି କିଛି ଦିନ ତଳେ ଏହି ଖବର ଭାଇରାଲ ହୋଇଥିଲା।
ଗଣମାଧ୍ୟମ ରିପୋର୍ଟ ଅନୁସାରେ,ହର୍ଷିତଙ୍କ ପିତାମାତା ଶିକ୍ଷକ ଅଟନ୍ତି। ତାଙ୍କର ଛୋଟ ଭାଇ ଦଶମ ଶ୍ରେଣୀରେ ପଢ଼ୁଛି। ହର୍ଷିତ ନିଜର ଦାଦାଙ୍କ ପାଖରେ ରୁହନ୍ତି।