ନୂଆଦିଲ୍ଲୀ: ୧୯୮୪ ଶିଖ୍ ଦଙ୍ଗା ଘଟଣାରେ କଂଗ୍ରେସ ନେତା ଜଗଦୀଶ ଟାଇଟଲରଙ୍କ ବିରୋଧରେ ସିବିଆଇ ତଦନ୍ତ ଜାରି ରହିବ ବୋଲି ଶୁକ୍ରବାର କଡ଼କଡ଼ଡୁମା କୋର୍ଟ କହିଛନ୍ତି। ଅକାଳୀ ଦଳ କୋର୍ଟରେ ରେଶମ୍ ସିଂ, ଆଲମ ସିଂ ଏବଂ ଚଞ୍ଚଳ ସିଂଙ୍କ ନାମକୁ ସାକ୍ଷୀ ଭାବେ ଉପସ୍ଥାପନ କରାଯାଇ ତାଙ୍କ ବିରୋଧରେ ତଦନ୍ତ କରିବାକୁ ଦାବି କରିଥିଲା।
ଏହାପୂର୍ବରୁ ସିବିଆଇ କ୍ଲୋଜର ରିପୋର୍ଟ ଦାଖଲ କରି କହିଥିଲା ଯେ ଟାଇଟଲରଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। କିନ୍ତୁ ଗତ ନଭେମ୍ୱର ୧୭ରେ ସିବିଆଇ ପୁଣି ଥରେ କୋର୍ଟରେ ଜବାବ ଦାଖଲ କରି କହିଥିଲା ଯେ ଏହି ଘଟଣାର ପୁଣି ଥରେ ତଦନ୍ତ କରିବାକୁ ସେମାନେ ପ୍ରସ୍ତୁତ ଅଛନ୍ତି।
ଏହି ମାମଲାରେ କଡ଼କଡ଼ଡୁମା କୋର୍ଟ ୩୦ଅକ୍ଟୋବରରେ ସିବିଆଇ ଓ ପୀଡିତଙ୍କ ବୟାନ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ। ଏହି ଘଟଣାରେ ଟଇଟଲରଙ୍କ ବିରୋଧରେ ପ୍ରର୍ଯ୍ୟାପ୍ତ ପ୍ରମାଣ ଥାଇ ମଧ୍ୟ ସିବିଆଇ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ପୀଡିତମାନେ ଅଭିଯୋଗ କରିଥିଲେ।
ସୂଚନାଯୋଗ୍ୟ, ୧୯୮୪ ନଭେମ୍ୱର ୧ରେ ନୂଆଦିଲ୍ଲୀର ପୁଲବଙ୍ଗସ ସ୍ଥିତ ଏକ ଗୁରୁଦ୍ୱାରରେ ବାଦଲ ସିଂ, ଠାକୁର ସିଂ ଏବଂ ଗୁରୁ ଚରଣ ସିଂଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ଟାଇଟଲରଙ୍କୁ ଅଭିଯୁକ୍ତ କରାଯାଇଛି। ଟାଇଟଲର ଏହି ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି।