ବିମୁଦ୍ରିକରଣ ପରେ ଦେଶରେ କଳାଧନର ହେରଫେର ହୋଇଛି। ୨୧ ହଜାର କୋଟି ଟଙ୍କାର କଳାଧନ ହେରଫେର ହୋଇଥିବା ଜଣାପଡ଼ିଛି। ବିମୁଦ୍ରିକରଣର ବର୍ଷେ ପରେ କେନ୍ଦ୍ର ସରକାରଙ୍କ ନିକଟକୁ ବିଭିନ୍ନ ବ୍ୟାଙ୍କରୁ ଆସିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଦେଶର ମୋଟ ୬୨,୩୦୦ଟି କଂପାନୀ ସେମାନଙ୍କର ୮୮,୦୦୦ଟି ବ୍ୟାଙ୍କ ଖାତା ସହାୟତାରେ ଏହି ହେରଫେର କରିଛନ୍ତି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିମୁଦ୍ରିକରଣ ସମୟରେ ଅର୍ଥ ହେରଫେର କରିଥିବା ଏହି କଂପାନୀଗୁଡ଼ିକ ଏବେ କଂପାନୀ ଆକ୍ଟ ଅନୁଯାୟୀ ଡିରେଜିଷ୍ଟର ହୋଇସାରିଛନ୍ତି। ଗତ ଦୁଇ ବର୍ଷ ଧରି ନିଷ୍କ୍ରିୟ ରହିବା ଅଥବା ନିୟାମକଗୁଡ଼ିକୁ ପାଳନ ନକରିବା ହେତୁ ଏହି କଂପାନୀଗୁଡ଼ିକର ପଞ୍ଜୀକରଣକୁ ପ୍ରତ୍ୟାହାର କରି ନିଆଯାଇଛି।
କେନ୍ଦ୍ର ସରକାରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏଭଳି ଆହୁରି ୧.୬ ଲକ୍ଷ କଂପାନୀର ଯାଞ୍ଚ ଚାଲିଛି। ଏହା ପରେ ହୁଏତ କଳାଧନରେ ହୋଇଥିବା ହେରଫେରର ପରିମାଣ ବଢ଼ିଯିବ ବୋଲି କୁହାଯାଉଛି। ଏହା ସହିତ ସରକାର ସେହି ସବୁ ବ୍ୟାଙ୍କଗୁଡ଼ିକ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାର କରୁଛନ୍ତି, ଯେଉଁମାନେ ବିମୁଦ୍ରିକରଣ ସମୟରେ ଏହି କଂପାନୀଗୁଡ଼ିକର ଟ୍ରାଞ୍ଜାକ୍ସନର ସୂଚନା ଟ୍ୟାକ୍ସ ବିଭାଗକୁ ତୁରନ୍ତ ଜଣାଇ ନଥିଲେ।
କେନ୍ଦ୍ର ସରକାର ଏହି ସବୁ କଂପାନୀଗୁଡ଼ିକ ସଂପର୍କିତ ସମସ୍ତ ସୂଚନା ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି), ଫାଇନାନ୍ସିଆଲ୍ ଇଣ୍ଟେଲିଜେନ୍ସ ୟୁନିଟ୍, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ସମେତ ସମସ୍ତ ପ୍ରବର୍ତ୍ତନ ବିଭାଗକୁ ଦେଇ ଦେଇଛନ୍ତି। ଏହା ସହିତ କେନ୍ଦ୍ର ସରକାର ଉକ୍ତ କଂପାନୀଗୁଡ଼ିକର ପ୍ରାୟ ୩ ଲକ୍ଷ ଡାଇରେକ୍ଟରଙ୍କୁ ଅଯୋଗ୍ୟ ଘୋଷଣା କରି ସାରିଛନ୍ତି, ଯେଉଁଗୁଡ଼ିକ ୨୦୧୬ ମାର୍ଚ୍ଚ ସୁଦ୍ଧା ନିଜର ତିନି ବର୍ଷର ସଂପୂର୍ଣ୍ଣ ତଥ୍ୟ ଟ୍ୟାକ୍ସ ବିଭାଗକୁ ହସ୍ତାନ୍ତର କରିନାହାନ୍ତି।
କେନ୍ଦ୍ର ସରକାରଙ୍କଠାରୁ ମିଳିଥିବା ସୂଚନା ମୁତାବକ ଦେଶର ଅନେକ କଂପାନୀ ବର୍ଷ ବର୍ଷ ଧରି ନିଷ୍କ୍ରିୟ ପଡ଼ିଥିଲେ ଓ ବ୍ୟାଙ୍କରେ ଏମାନଙ୍କ ଟ୍ରାଞ୍ଜାକସନ୍ ହେଉନଥିଲା। କିନ୍ତୁ ବିମୁଦ୍ରିକରଣ ଘୋଷଣା ହେବା ପରେ ଏହି କଂପାନୀଗୁଡ଼ିକ କୋଟି କୋଟି ଟଙ୍କାର ନେଣଦେଣ କରିଥିଲେ। ଫଳରେ ଏହି କଂପାନୀଗୁଡ଼ିକ ସଂପର୍କରେ ସଂପୂର୍ଣ୍ଣ ସୂଚନା ପାଇଁ ତଦନ୍ତର ଆବଶ୍ୟକତା ରହିଛି। ଏହି କଂପାନୀଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଗଠିତ ଟାକ୍ସଫୋର୍ସ ପରାମର୍ଶ ଦେଇଥିଲେ।