୨୬/୧୧ ପୂର୍ବରୁ ଦୁଇ ଥର ମୁମ୍ବାଇ ହମ୍‌ଲା ଉଦ୍ୟମ ହୋଇଥିଲା: ହେଡ୍‌ଲି

ନୂଆଦିଲ୍ଲୀ: ୨୬/୧୧ ମୁମ୍ୱାଇ ଆକ୍ରମଣ ମାମଲାରେ ସୋମବାର ଭିଡିଓ କନଫେରେନ୍ସିଂ ଦ୍ୱାରା ଡେଭିଡ୍ ହେଡଲିର ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ସାକ୍ଷ୍ୟ ଗ୍ରହଣ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି ହେଡଲି। ସେ ଭାରତକୁ ୯ ଥର ଆସିଥିବା  ସ୍ୱୀକାର କରିଛି। ୨୬/୧୧ ଆକ୍ରମଣ ଘଟଣା ପୂର୍ବରୁ ୮ଥର ଏବଂ ଘଟଣା ପରେ ଥରେ ଭାରତ ଆସିଥିବା ଆଜି ଚାଲିଥିବା ଭିଡିଓ କନଫେରେନସିଂ ସାକ୍ଷ୍ୟ ଗ୍ରହଣରେ ସ୍ୱୀକାର କରିଛି। ଏମିତିକି ସହଜରେ ପାସପୋର୍ଟ ହାସଲ କରିବା  ପାଇଁ ନିଜ […]

headley-story_

Rakesh Mallick
  • Published: Monday, 08 February 2016
  • , Updated: 08 February 2016, 04:13 PM IST

ନୂଆଦିଲ୍ଲୀ: ୨୬/୧୧ ମୁମ୍ୱାଇ ଆକ୍ରମଣ ମାମଲାରେ ସୋମବାର ଭିଡିଓ କନଫେରେନ୍ସିଂ ଦ୍ୱାରା ଡେଭିଡ୍ ହେଡଲିର ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ସାକ୍ଷ୍ୟ ଗ୍ରହଣ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି ହେଡଲି। ସେ ଭାରତକୁ ୯ ଥର ଆସିଥିବା  ସ୍ୱୀକାର କରିଛି। ୨୬/୧୧ ଆକ୍ରମଣ ଘଟଣା ପୂର୍ବରୁ ୮ଥର ଏବଂ ଘଟଣା ପରେ ଥରେ ଭାରତ ଆସିଥିବା ଆଜି ଚାଲିଥିବା ଭିଡିଓ କନଫେରେନସିଂ ସାକ୍ଷ୍ୟ ଗ୍ରହଣରେ ସ୍ୱୀକାର କରିଛି। ଏମିତିକି ସହଜରେ ପାସପୋର୍ଟ ହାସଲ କରିବା  ପାଇଁ ନିଜ ନାଁ ମଧ୍ୟ ବଦଳାଇଥିବା ସେ ସ୍ୱୀକାର କରିଛି।

ହେଡଲି  ଆହୁରି ମଧ୍ୟ କହିଛି ଯେ ୨୬/୧୧ ଆକ୍ରମଣ ପୂର୍ବରୁ ମୁମ୍ବାଇରେ ୨ ଥର ହମ୍‌ଲା ଉଦ୍ୟମ କରାଯାଇଥିଲା। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହିତ ସମ୍ପର୍କକୁ ମଧ୍ୟ ସେ ସ୍ୱୀକାର କରିଛି।

ହେଡଲିର ପ୍ରକୃତ ନାମ ଦାଉଦ ଗିଲାନୀ ଥିବାବେଳେ, ସହଜରେ ଭିସା ପାଇବା ପାଇଁ ଏହାକୁ ବଦଳାଇ ସେ ଡେଭିଡ୍ ହେଡଲି କରି ଦେଇଥିଲା। ଏଥିପାଇଁ ପାକିସ୍ତାନର ସାଜିଦ୍ ମୀର ନାମ ଜଣେ ବ୍ୟକ୍ତିକୁ ସାକ୍ଷାତ କରିଥିବା ହେଡଲି ସ୍ୱୀକାର କରିଛି। ଏହାସହ ଆକ୍ରମଣ ପଛରେ ଲସ୍କର-ଇ-ତୋଇବାର ହାତ ଥିବା ହେଡଲି ସ୍ୱୀକାର କରିଛି।

ହେଡଲିକୁ ପ୍ରଥମେ ମୁମ୍ୱାଇରେ ରହି ସବୁ ସ୍ଥାନରେ ଭିଡିଓ ପଠାଇବା ପାଇଁ କୁହାଯାଇଥିଲା। ସାକ୍ଷ୍ୟରେ ହେଡଲି ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ସ୍ୱୀକାର କରିଛି। ୨୦୦୨ ମସିହାରେ ହେଡଲି ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଥିଲା। ପ୍ରାୟ ଦୁଇ ବର୍ଷ ଟ୍ରେନିଂରେ ବିଭିନ୍ନ ବନ୍ଧୁକ ଚାଳନାର ଶିକ୍ଷା ନେଇଥିବା ସେ କହିଥିଲା। ସାକ୍ଷ୍ୟ ଗ୍ରହଣ ବେଳେ ଏଏନଆଇ ଏବଂ ମୁମ୍ୱାଇ ପୋଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭାରତର ବିଚାର ଇତିହାସରେ ପ୍ରଥମ ଥର ପାଇଁ ଜଣେ ବିଦେଶୀ ଆତଙ୍କବାଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ଆତଙ୍କବାଦ ସମ୍ପର୍କିତ ତଥ୍ୟ ପ୍ରଦାନ କରିଛି। ବିଚାର ସମୟରେ ହେଡଲିର ସମସ୍ତ ତଥ୍ୟକୁ ରେକର୍ଡିଂ କରାଯାଇଛି।

୨୦୦୮ ମୁମ୍ୱାଇ  ଆକ୍ରମଣରେ ୧୬୬ ଜଣ ପ୍ରାଣ ହରାଇଥିଲେ। ୩୦୦ରୁ ଅଧିକ ଆହତ ହୋଇଥିଲେ। ୨୦୦୯ ଅକ୍ଟୋବରରେ ହେଡଲି ଚିକାଗୋ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପାକିସ୍ତାନ ଅଭିମୁଖେ ଯିବାକୁ ବିମାନ ଚଢୁଥିବାବେଳେ ଏଫବିଆଇ ତାକୁ ଗିରଫ କରିଥିଲା। ମୁମ୍ୱାଇ ଆକ୍ରମଣରେ ତାର ସମ୍ପୃକ୍ତି ଥିବା ନେଇ ସରକାର ଅନେକ ତଥ୍ୟ ଉପସ୍ଥାପନ କରିଥିଲେ। ଦୀର୍ଘ ୪ ବର୍ଷ ଧରି ମାମଲା ଚାଲିବା ପରେ ୨୦୧୩ ଜାନୁଆରୀ ୧୪ରେ ଆମେରିକାର ଏକ କୋର୍ଟ ହେଡଲିକୁ ୩୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ।

Related story