ମୁମ୍ବାଇ: ୨୦୦୮। ଠିକ୍ ଆଜିର ଦିନ। ଥରି ଉଠିଥିଲା ସାରା ମୁମ୍ବାଇ ସହର। ସବୁବେଳେ ଚଳଚଞ୍ଚଳ ରହୁଥିବା ତଥା ଭାରତର ବିତ୍ତୀୟ ପ୍ରାଣକେନ୍ଦ୍ର ବୋଲାଉଥିବା ଏହି ସହରରେ ଥିଲା ଭୟର ବାତାବରଣ। ଆତଙ୍କବାଦୀଙ୍କ ଗୁଳିମାଡ଼ ଓ ବିସ୍ଫୋରଣରେ ଥରୁ ଥିଲା ସାରା ସହର। ଛତ୍ରପତି ଶିବାଜୀ ଟ୍ରର୍ମିନସ୍, ତାଜ୍ ହୋଟେଲ, ଗେଟ୍ୱେ ଅଫ୍ ଇଣ୍ଡିଆ, କାଫେ ଲିୟୋପୋଲ୍ଡ, କାମା ହସ୍ପିଟାଲ, ଦ’ ଓବରୋଇ ଟ୍ରାଇଡେଣ୍ଟ ଓ ନରିମନ ହାଉସ୍ ଭଳି ସ୍ଥାନକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ। ୧୦ ଜଣ ଆତଙ୍କବାଦୀ ୬୦ ଘଣ୍ଟା ଧରି ଜାରି ରଖିଥିଲେ ଆତଙ୍କ। ଏଥିରେ ଲିଭି ଯାଇଥିଲା ଅନେକ ନିରୀହ ଲୋକଙ୍କ ଜୀବନ ଦୀପ। ୧୬୪ ଜଣ ଲୋକ ଏଥିରେ ନିହତ ହୋଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ। ଏଭଳି ଏକ ସ୍ଥିତିକୁ ମୁମ୍ବାଇ ପୋଲିସ୍ ଓ ଭାରତୀୟ ସେନା ଦୃଢ଼ ମୁକାବିଲା କରିଥିଲା। ଜଣେ ଆତଙ୍କବାଦୀ ଅଜମଲ କସାବକୁ ଜୀବନ୍ତ ଧରା ଯାଇଥିବା ବେଳେ ଅନ୍ୟମାନେ କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଥିଲେ। ମୁମ୍ବାଇ ଆଣ୍ଟି ଟେରୋରିଷ୍ଟ୍ ସ୍କ୍ୱାଡ୍ର ମୁଖ୍ୟ ହେମନ୍ତ କରକରେ, ଅଶୋକ କାମତେ, ଏନ୍କାଉଣ୍ଟର ସ୍ପେଶାଲିଷ୍ଟ୍ ବିଜୟ ସାଲାସ୍କର, ମେଜର ସନ୍ଦୀପ ଉନ୍ନିକ୍ରିଷ୍ଣନ ଓ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ତୁକାରାମ ଗୋପାଲ ଓମ୍ବଲେ ପ୍ରମୁଖ ସହିଦ ହୋଇଥିଲେ। ଅଜମଲ କସାବକୁ ଧରିବାରେ ତୁକାରାମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ। ୯ ବର୍ଷ ତଳର ଏହି ଘଟଣା କଥା ମନେ ପକାଇଲେ ଏବେ ବି ଦେହ ଶୀତେଇ ଯାଏ। ହେଲେ ଦୁର୍ଭାଗ୍ୟର କଥା ଏହି କାଣ୍ଡର ମାଷ୍ଟର ମାଇଣ୍ଡ ହାଫିଜ ସଇଦ ଏବେବି ପାକିସ୍ତାନରେ ଖୋଲାଖୋଲି ବୁଲୁଛି।
କେମିତି ଥିଲା ଆକ୍ରମଣର ଚିତ୍ର:
ଆରବ ସାଗରର ନୀଳ ଢେଉକୁ ଚିରି ଭାରତ ମାଟିକୁ ଛୁଇଁଥିଲା ଲସ୍କର-ଏ-ତୋଏବାର ଏହି ପାକ୍ ଆତଙ୍କବାଦୀ । ଛତ୍ରପତି ଶିବାଜୀ ଟିର୍ମିନସ ମଧ୍ୟରେ ଥିବା ଯାତ୍ରୀଗୃହରେ ପ୍ରବେଶ କରିଥିଲେ ଦୁଇ ଜଣ ରକ୍ତମୁଖା ଆତଙ୍କବାଦୀ- ଇସ୍ମାଇଲ୍ ଖାନ୍ ଓ ଅଜମଲ କସାବ। ସେତେବେଳକୁ ସମୟ ହେଉଛି ରାତି ସାଢ଼େ ୯ଟା। ସେମାନେ ଏକେ-୪୭ରୁ ଆଖିବୁଜା ଗୁଳି କରିଥିଲେ। ଏଥିରେ ସେଠାରେ ୫୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୪ ଜଣ ଆହତ ହୋଇଥିଲେ। ସେଠାରୁ ସେମାନେ ବାହାରି ଆସି ରାସ୍ତାରେ ଯିବାଆସିବା କରୁଥିବା ଲୋକଙ୍କ ଉପରକୁ ତଥା ଉପସ୍ଥିତ ପୋଲିସ୍ କର୍ମଚାରୀଙ୍କ ଉପରକୁ ଗୁଳି କରିଥିଲେ। ତା’ପରେ ସେମାନେ କାମା ହସ୍ପିଟାଲ ଆଡ଼କୁ ଯାଇଥିଲେ। ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ମାରିବାକୁ ସେମାନେ ଲକ୍ଷ୍ୟ ରଖିଥିଲେ। ତେବେ ହସ୍ପିଟାଲ୍ କର୍ତ୍ତୃପକ୍ଷ ରୋଗୀ ଥିବା ୱାର୍ଡଗୁଡ଼ିକରେ ତାଲା ପକାଇ ଦେଇଥିଲେ। ଖବର ପାଇ ମୁମ୍ବାଇ ଆଣ୍ଟି ଟେରୋରିଷ୍ଟ୍ ସ୍କ୍ୱାଡ୍ର ମୁଖ୍ୟ ହେମନ୍ତ କରକରେ, ଅଶୋକ କାମତେ, ଏନ୍କାଉଣ୍ଟର ସ୍ପେଶାଲିଷ୍ଟ୍ ବିଜୟ ସାଲାସ୍କର ଓ ସେମାନଙ୍କର ଆଉ ଦୁଇ ଜଣ ସହଯୋଗୀ ସେଠାରେ ପହଞ୍ଚିଥିଲେ। ତେବେ ଆତଙ୍କବାଦୀ ଦ୍ୱୟ ସେମାନଙ୍କ ଉପରକୁ ଆଖିବୁଜି ଗୁଳି କରିଥିଲେ। ଏଥିରେ କରକରେ, ଅଶୋକ କାମତେ, ବିଜୟ ସାଲାସ୍କର ଓ ସେମାନଙ୍କର ଜଣେ ସହଯୋଗୀ ନିହତ ହୋଇଥିଲେ। ଜଣେ ପୋଲିସ୍ ଅଧିକାରୀ ବର୍ତ୍ତି ଯାଇଥିଲେ, ତେବେ ଗୁରୁତର ଆହତ ହୋଇଥିଲେ। ସେଠାରୁ ପଳାଉଥିବା ଏହି ଦୁଇ ଆତଙ୍କବାଦୀଙ୍କୁ ବାଟରେ ପୋଲିସ୍ ଧରିବାକୁ ଉଦ୍ୟମ କରିଥିଲା। ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏଏସ୍ଆଇ ତୁକାରାମ ଓମ୍ବଲେ ସହିଦ ହୋଇଥିଲେ। ତାଙ୍କ ଯୋଗୁଁ କସାବକୁ ଜୀବନ୍ତ ଧରା ଯାଇଥିଲା।
ଦକ୍ଷିଣ ମୁମ୍ବାଇର କୋଲାବା କଜ୍ୱେ ସ୍ଥିତ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ଓ ବାର୍ ଲିୟୋପୋଲ୍ଡରେ ପ୍ରଥମେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏଠାରେ ବି ଦୁଇ ଜଣ ଆତଙ୍କବାଦୀ ସୋଏବ ଓ ନାଜିର ଆକ୍ରମଣ କରିଥିଲେ। ସନ୍ଧ୍ୟାରେ ଏହି ଆକ୍ରମଣ ହୋଇଥିଲା। ଏଥିରେ ପ୍ରାୟ ୧୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ।
ଟ୍ୟାକ୍ସିରେ ବିସ୍ଫୋରଣ
ଦୁଇଟି ଟ୍ୟାକ୍ସିରେ ଆତଙ୍କବାଦୀମାନେ ଟାଇମ୍ ବୋମା ଲଗାଇ ବିସ୍ଫୋରଣ କରିଥିଲେ। ଗୋଟିଏ ରାତି ୧୦ଟା ୪୦ରେ ପିଲେ ପାର୍ଲେଠାରେ ହୋଇଥିଲା। ଏଥିରେ ଜଣେ ଡ୍ରାଇଭର ଓ ଜଣେ ଯାତ୍ରୀ ପ୍ରାଣ ହରାଇ ଥିଲେ। ଅନ୍ୟଟି ସେହି ରାତି ୧୦ଟା ୨୦ରୁ ୧୦ଟା ୨୫ ମଧ୍ୟରେ ୱାଦି ବୁନ୍ଦରରେ ଘଟିଥିଲା। ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା।
ଦୁଇଟି ହୋଟେଲ- ଦ ତାଜ୍ ମହଲ ପ୍ୟାଲେସ୍ ହୋଟେଲ ଓ ଓବରୋଇ ଟ୍ରାଇଡେଣ୍ଟରେ ମଧ୍ୟ ଆକ୍ରମଣ ହୋଇଥିଲା। ତାଜ୍ ହୋଟେଲ୍ରେ ୬ଟି ବିସ୍ଫୋରଣ କରାଯାଇଥିବା ବେଳେ ଓବରୋଇ ଟ୍ରାଇଡେଣ୍ଟରେ ଗୋଟିଏ ବିସ୍ଫୋରଣ ହୋଇଥିଲା। ପ୍ରଥମ ରାତିରେ ଅଗ୍ନିଶମ କର୍ମଚାରୀମାନେ ତାଜ୍ ହୋଟେଲ୍ରୁ ୨୦୦ ବନ୍ଧକଙ୍କୁ ଝରକା ଦେଇ ସୁରକ୍ଷିତ ଭାବେ ବାହାର କରିଥିଲେ। ନଭେମ୍ବର ୨୯ ତାରିଖରେ ଉଭୟ ହୋଟେଲ୍ ଭିତରେ ସୁରକ୍ଷାକର୍ମୀମାନେ ପଶିଥିଲେ। ଦୁଇ ହୋଟେଲ୍ରେ ଥିବା ଆତଙ୍କବାଦୀମାନେ ନିହତ ହୋଇଥିଲେ। ତାଜ୍ ହୋଟେଲ୍ରେ ଅପରେସନ୍ ବେଳେ ମେଜର ଉନ୍ନିକ୍ରିଷ୍ଣନ ସହିଦ ହୋଇଥିଲେ। ସେ ତାଙ୍କର ଜଣେ ଆହତ କୋମାଣ୍ଡୋଙ୍କୁ ଉଦ୍ଧାର କରିବାକୁ ଯାଇ ସହିଦ ହୋଇଥିଲେ। ଓବରୋଇ ଟ୍ରାଇଡେଣ୍ଟରେ ଆତଙ୍କବାଦୀମାନେ ୩୨ ଜଣ ବନ୍ଧକଙ୍କୁ ମାରି ଦେଇଥିଲେ।
ଏଠାରେ ଦୁଇ ଜଣ ଆତଙ୍କବାଦୀ ପଶିଯାଇଥିଲେ ଓ ଅନେକ ଲୋକଙ୍କୁ ବନ୍ଧକ ବନାଇ ରଖିଥିଲେ। ଏଠାରେ ଏନ୍ଏସ୍ଜି ପକ୍ଷରୁ ଅପରେସନ୍ କରାଯାଇଥିଲା। ଅପରେସନ୍ ବେଳେ ଏନ୍ଏସ୍ଜି କୋମାଣ୍ଡୋ ହାବିଲଦାର ଗଜେନ୍ଦ୍ର ସିଂ ବିଷ୍ଟ ସହିଦ ହୋଇଥିଲେ। ଦୁଇ ଜଣ ଆତଙ୍କବାଦୀ ବି ନିହତ ହୋଇଥିଲେ। ତେବେ ଆତଙ୍କବାଦୀମାନେ ଏଠାରେ ୬ ଜଣଙ୍କୁ ହତ୍ୟା କରିଥିଲେ। ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଓ ତାଙ୍କ ସ୍ୱାମୀ ଥିଲେ।
ବାପାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ବୈଶାଳୀ
‘‘ବାପା ଫେରିବେ। ସକଳେ ଡ୍ୟୁଟି ଯାଇଥିଲେ। ସଞ୍ଜ ହେଲେ ନିଶ୍ଚିତ ଫେରିବେ।’’ ଏମିତି କେତେଧାଡି କହୁକହୁ ବୈଶାଳୀ କାନ୍ଦି ପକାଇଥିଲେ। ବୈଶାଳୀ ଓମ୍ବଲେ। ସେ ହେଉଛନ୍ତି ୨୬-୧୧ ଆତଙ୍କବାଦୀ ଆକ୍ରମଣ ବେଳେ ଅଜମଲ କସାବକୁ ଧରିବାକୁ ଉଦ୍ୟମ କରି ସହିଦ ହୋଇଥିବା ମୁମ୍ବାଇ ପୋଲିସ୍ର ଏଏସ୍ଆଇ ତୁକାରାମ ଓମ୍ବଲେଙ୍କ ଝିଅ। ଆଜିର ଦିନରେ ବାପାଙ୍କ କଥା ପଚାରୁ ପଚାରୁ ତାଙ୍କ ଆଖିରେ ଜେକଇ ଆସିଥିଲା ଲୁହ।। ବାପା କେବେ ବି ଫେରିବେନି, ଏ କଥା ସେ ଜାଣିଥିଲେ ବି ତାଙ୍କ ଫରିବା ବାଟକୁ ସେ ଚାହିଁ ରୁହନ୍ତି ବୋଲି ସ୍ପଷ୍ଟ ବାରି ହେଉଥିଲା ତାଙ୍କ କଥାରୁ।