ନୂଆଦିଲ୍ଲୀ: ବିଶ୍ୱବାସୀଙ୍କୁ କରୋନା କଲବଲ କରୁଥିବା ବେଳେ ଭାରତ ସୀମାରେ ୩୦୦ ଆତଙ୍କବାଦୀ ଅନୁପ୍ରବେଶ କରି ଅସ୍ଥିରତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ରମଜାନ ବେଳେ ପାକିସ୍ତାନର ଏହି ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରି ଆତଙ୍କରାଜ ଖେଳାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଗୁଇନ୍ଦା ରିପୋର୍ଟ ଦେଇଛି। ଏହାପରେ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହିତ ଆଲର୍ଟରେ ରହିବାକୁ ଯବାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆତଙ୍କବାଦୀ ମାନେ ଉତ୍ତର କଶ୍ମୀରର ଗୁଲମର୍ଗ ରାସ୍ତାରେ ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଗୁଇନ୍ଦା କହିଛି।
ପିଓକେରେ ଥିବା ଲଞ୍ଚିଂ ପ୍ୟାଡରେ ଏହି ଆତଙ୍କବାଦୀ ଲୁଚି ରହିଛନ୍ତି ବୋଲି ଭାରତୀୟ ସେନାର ବରିଷ୍ଠ ଅଧିକାରୀ କହିଛନ୍ତି। ଯେଉଁ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ସେମାନେ କରୋନାରେ ଆକ୍ରାନ୍ତ ବୋଲି ସେନା ଅଧିକାରୀ ସନ୍ଦେହ ପ୍ରକାଶ କରୁଛନ୍ତି। ତେଣୁ ଭାରତୀୟ ସେନା ଅଧିକ ସତର୍କତା ଅବଲମ୍ୱନ କରିଛି। ଜମ୍ମୁ କଶ୍ମୀରର ଡିଜିପି ଦିଲବାଗ ସିଂହ ମଧ୍ୟ ଏ ବାବଦରେ ପୂର୍ବରୁ କହିସାରିଛନ୍ତି।
ଏହି ୩୦୦ ଆତଙ୍କବାଦୀ ଲଶ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦର ବୋଲି ଗୁଇନ୍ଦା ରିପୋର୍ଟ ଦେଇଛି। ନିକଟରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ଆତଙ୍କବାଦୀ ମିଳିତ ଭାବରେ ନୌଶେରା ଏବଂ ଛମ୍ୱ ଅଞ୍ଚଳରେ ଆତଙ୍କବାଦୀ ଲଞ୍ଚ ପ୍ୟାଡକୁ ସକ୍ରିୟ କରିଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।