ନୂଆଦିଲ୍ଲୀ: ସୋମବାର ପାଖରୁ ଆରମ୍ଭ ହେବ ସଂସଦ। ଏହା ପୂର୍ବରୁ ସାଂସଦ ମାନଙ୍କର କରୋନା ପରୀକ୍ଷା ହୋଇଛି। ଲୋକସଭାର ସାଂସଦଙ୍କ ମଧ୍ୟରୁ ୫ଜଣ କରୋନା ପଜେଟିଭ୍ ବୋଲି ଜଣାପଡ଼ିଛି। କରୋନା ମହାମାରୀ ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗାଇଡ୍ ଲାଇନ୍ ଅନୁସାରେ ଚଳିତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି।
ସୂଚନାଯୋଗ୍ୟ, ଅଗଷ୍ଟ ମାସରେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସଂସଦରେ ଉପସ୍ଥିତ ହେବାକୁ ଥିବା ସମସ୍ତ କର୍ମଚାରୀ, ସଦସ୍ୟଙ୍କର କରୋନା ପରୀକ୍ଷା ଶୁକ୍ରବାର ପାଖରୁ ହେଉଛି। ସମସ୍ତଙ୍କର RT-PCR ଟେଷ୍ଟ ହେଉଛି। କରୋନା ଟେଷ୍ଟ ହୋଇନଥିବା ବ୍ୟକ୍ତିଙ୍କୁ ସଂସଦ ଭିତରକୁ ପ୍ରବେଶ ଉପରେ ବାରଣ ରହିଛି। ସଂସଦରେ ଉପସ୍ଥିତ ହେବାକୁ ଥିବା ମିଡିଆ କର୍ମୀଙ୍କର ମଧ୍ୟ କରୋନା ଟେଷ୍ଟ ହୋଇଥିବା ସୂଚନା ରହିଛି।
ସାସଂଦ ମାନଙ୍କର ଉପସ୍ଥାପନକୁ ଡିଜିଟାଲ ମୋଡ କରାଯାଇଛି। ଏନଆଇସି ଦ୍ୱାରା ପ୍ରସ୍ତୁତ ଆପ ଦ୍ୱାରା ସାଂସଦମାନେ ଉପସ୍ଥାପନ ପକାଇବେ। ସେହିପରି ସଂସଦ ଭିତରେ ସ୍ୱୟଂଚାଳିତ ସାନିଟାଇଜର ଲାଗିଛି। କୌଣସି ସାଂସଦ କିମ୍ୱା ସଦସ୍ୟଙ୍କର ଦେହ ଅସୁସ୍ଥ ହେଲେ ଆମ୍ବୁଲାନ୍ସ ସେବାର ବ୍ୟବସ୍ଥା ରହିଛି।
ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ଗୃହର ମୁଖ୍ୟ ହଲରେ ୨୫୭ ସାଂସଦ ଏବଂ ୧୭୨ ସାଂସଦ ଭ୍ରମଣକାରୀଙ୍କ ଗ୍ୟାଲେରୀରେ ବସିବେ। ଏହା ବ୍ୟତୀତ ଲୋକସଭାର ୬୦ ଜଣ ସଦସ୍ୟ ରାଜ୍ୟସଭାର ମୁଖ୍ୟ ଚାମ୍ବରରେ ବସିବେ। ଏଥିସହ ୫୧ ଜଣ ସଦସ୍ୟ ରାଜ୍ୟସଭାର ଗ୍ୟାଲେରୀରେ ବସିବେ।
ଓମ୍ ବିର୍ଲା କହିଛନ୍ତି ଯେ ରାଜ୍ୟସଭା ଚାମ୍ବରରେ ବସିଥିବା ସଦସ୍ୟମାନେ ଲୋକସଭାର ପ୍ରକ୍ରିୟାରେ ଭାଗ ନେବେ। କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ଏଲଇଡି ସ୍କ୍ରିନ୍ ବ୍ୟବସ୍ଥା କରାଯାଇଛି।
ସେହିପରି କରୋନା ମହାମାରୀ ପାଇଁ ଶୂନ୍ୟ କାଳ ଘଣ୍ଟାଏରୁ ଅଧ ଘଣ୍ଟା ହେବ ଏବଂ ପ୍ରଶ୍ନକାଳ ବାତିଲ କରାଯାଇଛି। ତେବେ ଲିଖିତ ପ୍ରଶ୍ନ ପଚରାଯାଇପାରିବ ଏବଂ ଯାହାର ଉତ୍ତର ଦିଆଯିବ ବୋଲି ଜଣାପଡ଼ିଛି।
ପ୍ରଥମ ଦିନ, ସେପ୍ଟେମ୍ବର ୧୪ ରେ ସକାଳ ୯ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲିବ। ଗୃହର ଅନ୍ୟାନ୍ୟ ପ୍ରକ୍ରିୟା ୧୫ ସେପ୍ଟେମ୍ବରରୁ ଅକ୍ଟୋବର ଗୋଟାଏ ଯାଏ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ। ଶନିବାର ଓ ରବିବାର ଛୁଟି ରହିବ ନାହିଁ ବୋଲି ବାଚସ୍ପତି ଓମ୍ ବିର୍ଲା ସୂଚନା ଦେଇଛନ୍ତି।