କୁଲଗାମ୍: ମଙ୍ଗଳବାର ଜମ୍ମୁ-କଶ୍ମୀରର କୁଲଗାମ୍ ଜିଲ୍ଲାରେ ୫ ଜଣ ଅଣକଶ୍ମିରୀ ଶ୍ରମିକଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଏମାନଙ୍କ ମଧ୍ୟରୁ ଜଣେ କେହି ମଧ୍ୟ ସ୍ଥାନୀୟ ନୁହେଁ ବୋଲି ପୁଲିସ୍ ସୂଚନା ଦେଇଛି। ଏମାନେ ସମସ୍ତେ ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ କଶ୍ମୀର ଯାଇ ପଥର କାରିଗର କାମ କରୁଥିଲେ।
ପୁଲିସ୍ ଡିଜିପି ଦିଲବାଗ୍ ସିଂହ ଏହି ଘଟଣା ବାବଦରେ କହିଛନ୍ତି, “ଏହି ଆକ୍ରମଣ ପଛରେ ପାକିସ୍ତାନର ହାତ ଅଛି। ଦକ୍ଷିଣ କଶ୍ମୀର ଡିଆଇଜିଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳକୁ ବାହାରିଯାଇଛି। ସଂଖ୍ୟାଧିକ ମୃତଦେହ ଉଦ୍ଧାର କରାଯାଇଛି।”
ଆତଙ୍କବାଦୀମାନେ ସୁରକ୍ଷା କର୍ମୀଙ୍କ ବ୍ୟତୀତ ବର୍ତ୍ତମାନ ସାଧାରଣ ନାଗରିକଙ୍କୁ ମଧ୍ୟ ଟାର୍ଗେଟ୍ କରୁଥିବା ଦେଖାଦେଇଛି। ଗତ କିଛି ଦିନରେ ଜମ୍ମୁ-କଶ୍ମୀର ବାହାରୁ ଯାଇଥିବା ଫଳ ବ୍ୟବସାୟୀ, ଟ୍ରକ୍ ଡ୍ରାଇଭର ଏବଂ ଶ୍ରମିକଙ୍କୁ ଏଭଳି ଟାର୍ଗେଟ୍ କରି ସ୍ଥିତି ବିଗାଡ଼ିବାର ଅପପ୍ରୟାସ ଚାଲୁରହିଛି।
ଏଭଳି ଘଟଣା ଘଟିବା ପୂର୍ବରୁ ଆତଙ୍କବାଦୀମାନେ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ହତ୍ୟା କରିଥିଲେ। ସୋପୋର୍ରେ ଘଟିଥିବା ଏହି ଘଟଣାରେ ବସ୍କୁ ଅପେକ୍ଷା କରିଥିବା କିଛି ଲୋକଙ୍କୁ ଟାର୍ଗେଟ୍ କରାଯାଇଥିଲା।
ଆଜି ଏକ ଦଶମ ଶ୍ରେଣୀ ପରୀକ୍ଷା କେନ୍ଦ୍ର ବାହାରେ ସୁରକ୍ଷାରେ ନିଯୁକ୍ତ ଅର୍ଦ୍ଧସାମରିକ ବାହିନୀ ଉପରେ ମଧ୍ୟ ଆତଙ୍କବାଦୀ ହମ୍ଲା ହୋଇଥିଲା।