ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ କରୋନା ଭାଇରସ୍ ଚିନ୍ତାର କାରଣ ପାଲଟିଛି। ଏହି ରାଜ୍ୟ ଗୁଡ଼ିକ ହେଲେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶ। ଏହି ରାଜ୍ୟ ସର୍ବାଧିକ ପ୍ରଭାବିତ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପାେର୍ଟ ଅନୁଯାୟୀ, ଦେଶର ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୬୦ ପ୍ରତିଶତରୁ ଅଧିକ ଏହି ସବୁ ରାଜ୍ୟରୁ ରହିଛନ୍ତି।
ଶନିବାର ସକାଳେ ଆସିଥିବା କରୋନା ରିପୋର୍ଟ ଅନୁଯାୟୀ ୯୭ ହଜାର ୫୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧,୨୦୧ ଜଣ ମୃତ୍ୟୁ ବରଣ କରିଛନ୍ତି। ଏବେ ଦେଶରେ କୋଭିଡ -୧୯ ମାମଲା ୪୬,୫୯,୯୮୪ ରେ ପହଞ୍ଚିଛି। ଏହି ମହାମାରୀ ଯୋଗୁଁ ଏପର୍ଯ୍ୟନ୍ତ ୭୭,୪୭୨ ଲୋକ ପ୍ରାଣ ହରାଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୯,୫୮,୩୧୬ ଏବେ ଚିକିତ୍ସାଧୀନ ଅଛନ୍ତି।
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇଛି। ଏହି ଅବଧି ମଧ୍ୟରେ ୮୧,୫୩୩ ଜଣଙ୍କୁ ଡିସଚାର୍ଜ କରାଯାଇଥିଲା। ଏଯାବତ ୩୬ ଲକ୍ଷରୁ ଅଧିକ ଆରୋଗ୍ୟ ରହିଛନ୍ତି।
ମୋଟ ମାମଲା ମଧ୍ୟରୁ ୬୦% କେବଳ ପାଞ୍ଚଟି ରାଜ୍ୟରୁ ରହିଛନ୍ତି। ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି, ତାମିଲନାଡୁ ଏବଂ କର୍ଣ୍ଣାଟକ ୫ ଲକ୍ଷ ଛୁଇଁବାକୁ ଯାଉଛି। ଶନିବାର ପ୍ରକାଶ ପାଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରୁ ମହାରାଷ୍ଟ୍ରର ୨୧.୮ ପ୍ରତିଶତ, ଆନ୍ଧ୍ରପ୍ରଦେଶର ୧୧.୮ ପ୍ରତିଶତ, ତାମିଲନାଡୁ ୧୦.୬ ପ୍ରତିଶତ, କର୍ଣ୍ଣାଟକ ୯.୫ ପ୍ରତିଶତ, ଉତ୍ତର ପ୍ରଦେଶ ୬.୪ ପ୍ରତିଶତ ରହିଛି।
କେନ୍ଦ୍ର ସରକାରଙ୍କ ଆକଳନ ଅନୁଯାୟୀ କରୋନା ମୃତ୍ୟୁ ହାର ୬୯% କେବଳ ୫ ଟି ରାଜ୍ୟରେ ଘଟିଛି। ଏଥି ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀ ରହିଛି। ଦିଲ୍ଲୀରେ କୋଭିଡ -୧୯ ମାମଲା ହ୍ରାସ ପାଇଥିଲା ହେଲେ ଗତ ଦୁଇ ସପ୍ତାହ ଧରି ସେଠାରେ ବୃଦ୍ଧି ଘଟିଛି।
କେନ୍ଦ୍ର ସ୍ୱାସ୍ଥ୍ୟାମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ଦେଶରେ ଆରୋଗ୍ୟ ହାର ୭୭.୭୭ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ୧.୬୬ ପ୍ରତିଶତ ରହିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ର ତଥ୍ୟ ଅନୁଯାୟୀ ଶୁକ୍ରବାର ଭାରତରେ ୧୦,୯୧,୨୫୧ ପରୀକ୍ଷା ରେକର୍ଡ କରାଯାଇଛି। ଏପର୍ଯ୍ୟନ୍ତ ମୋଟ୍ ୫,୫୧,୮୯,୨୨୬ ପରୀକ୍ଷା କରାଯାଇଛି।