ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ପ୍ୟାନ୍ ପରେ ଆଧାର କାର୍ଡ଼ । କେନ୍ଦ୍ର ସରକାର ପ୍ରଥମେ ୧୧ ଲକ୍ଷ ୪୪ ହଜାରରୁ ଅଧିକ ପ୍ୟାନକାର୍ଡକୁ ଅକାମୀ କରିବା ପରେ ଏବେ ୮୧ ଲକ୍ଷ ଆଧାରକାର୍ଡ଼କୁ ନିଷ୍କ୍ରିୟ କରିଦେଛନ୍ତି। ଏହି ଆଧାର କାର୍ଡ଼ (ବାୟୁମେଟ୍ରିକ୍ କାର୍ଡ଼) ନିଷ୍କ୍ରିୟ କରାଯାଇଥିବା କେନ୍ଦ୍ର ଆଇଟି ମନ୍ତ୍ରୀ(ରାଷ୍ଟ୍ର) ପିପି ଚୌଧୁରୀ ରାଜ୍ୟ ସଭାରେ ଘୋଷଣା କରିଛନ୍ତି। ବିଭିନ୍ନ କାରଣରୁ ଏହି ଆଧାର କାର୍ଡ଼କୁ ରଦ୍ଦ କରାଯାଥିବା ମନ୍ତ୍ରୀ ଯୁକ୍ତି ଦର୍ଶାଇଛନ୍ତି। ବିଶେଷକରି ୟୁନିକ୍ ଆଇଡିଏଣ୍ଟି ଫିକେଶନ୍ ଅଥରିଟି ଅଫ ଇଣ୍ଡିଆ(ୟୁଏଡିଆଇ)କୁ ମିଳିଥିବା ତଥ୍ୟରେ ତାଳମେଳ ନରହିବ, ଭୁଲ ତଥ୍ୟ ପ୍ରଦାନ କରାଯାଥିବା ଆଦି ଯାଞ୍ଚ ପରେ ଜଣାପଡ଼ିଥିଲା।
ଏହି କାରଣରୁ ଉକ୍ତ କାର୍ଡ଼କୁ ଅକାମୀ କରିଦିଆଯାଛି। ଅନୁଚ୍ଛେଦ ୨୭ ଏବଂ ୨୮ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ମୁଖତଃ ସମାନ ତଥ୍ୟ ଥାଇ ଜଣକ ନାମରେ ଏକାଧିକ କାର୍ଡ଼ ଇଶ୍ୟୁ ହେବା, ନାଗରିକ ନ ହୋଇ ଜାଲିଆ଼ତି କରି କାର୍ଡ଼ ହାତେଇଥିବା ଇତ୍ୟାଦି ବିଭିନ୍ନ ପ୍ରକାର ଅନିୟମିତତା ସାମ୍ନାକୁ ଆସିବା ପରେ ଏଭଳି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି ଆଧାର କାର୍ଡ଼ରେ ତଥ୍ୟ ଦେଲା ବେଳେ ଯଦି ପରିବାରର ୫ ବର୍ଷ ପୂର୍ବରୁ ପିଲାଙ୍କ ନାମରେ ପଞ୍ଚିକରଣ ହୋଇଥିବ ତେବେ ୫ ବର୍ଷ ହେଲେ ତଥ୍ୟ ଅପଡେଟ କରିବାକୁ ପଡ଼ିବ। ଏଥିସହ୧୫ ବର୍ଷରେ ପହଞ୍ଚିଲେ ତଥ୍ୟ ଅପଡେଟ କରିବାକୁ ପଡ଼ିବ। ଅନଲାଇନ୍ କିମ୍ବା ନିକଟସ୍ଥ ଆଧାର ସେଣ୍ଟରକୁ ଯାଇ ଏହି ତଥ୍ୟ ଅପଡେଟ କରିବାକୁ ପଡ଼ିବ ବୋଲି କୁହାଯାଇଛି।
କେମିତି ଜାଣିବେ ଆପଣଙ୍କର ରଦ୍ଦ ହୋଇଛି
ପ୍ରଥମେ UIDAI ୱେବସାଇଟକୁ ଯାଆନ୍ତୁ। ଆପଣଙ୍କ ଆଧାର ନମ୍ବରକୁ ଯାଞ୍ଚ କରନ୍ତୁ । ଭେରିଫାଏ ଆଧାର ନମ୍ବର ଅପ୍ସନ ଉପରେ କ୍ଲିକ୍ କଲେ ସଙ୍ଗେ ସଙ୍ଗେ ଆଉ ଗୋଟିଏ ପେଜ୍ ଖୋଲିବ। ସେଠାରେ ଆପଣ ନିଜର ଆଧାର ନମ୍ବର ଏବଂ ସିକ୍ୟୁରିଟି କୋଡ ଏଣ୍ଟ୍ରି କରିବେ। ପରେ ଆଉ ଗୋଟିଏ ପେଜ୍ରେ ସବିଶେଷ ତଥ୍ୟ ଆସିଯିବ। ଅର୍ଥାତ ଆପଣଙ୍କ କାର୍ଡ଼ ଆକ୍ଟିଭ୍ ଅଛି କି ଡିଆକ୍ଟିଭ କରାଯାଇଛି ତାହା ଜଣାପଡ଼ିବ।
ରଦ୍ଦ ହୋଇଥିଲେ କ’ଣ କରିବେ
ଯଦି ଆପଣଙ୍କ ଆଧାର କାର୍ଡ଼ ଡିଆକ୍ଟିଭ ବା ରଦ୍ଦ ହୋଇଥିବା ତେବେ ନିକଟସ୍ଥ ଆଧାର ସେଣ୍ଟରକୁ ଯାଇ ସମସସ୍ତ ତଥ୍ୟ ଦେଇ ନୂଆ କାର୍ଡ଼ ଇଶ୍ୟୁ କରିପାରିବେ।