ପାଟନା: ଶିକ୍ଷାର ମନ୍ଦିରରେ ପାପର ଛିଟା। ଯୌନ ନିର୍ଯାତନା ନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ନବମଶ୍ରେଣୀ ଛାତ୍ରୀ। ସମ୍ପୃକ୍ତ ଛାତ୍ରୀଙ୍କୁ ସ୍କୁଲର ପ୍ରିନ୍ସିପାଲଙ୍କ ସମେତ ୨ ଜଣ ଶିକ୍ଷକ ଏବଂ ୧୫ ଜଣ ସହପାଠୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବିହାରର ସାରନ ଜିଲ୍ଲାର ଏକ ବେସରକାରୀ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍କୁଲର ପ୍ରିନ୍ସିପାଲଙ୍କସମେତ ୧୮ ଜଣ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଛାତ୍ରୀ ଜଣକ କହିଛନ୍ତି। ଗତ ୮ ମାସ ହେଲା ସେ ଏଭଳି ବର୍ବରତାର ଶିକାର ହୋଇ ଆସୁଥିଲେ ମଧ୍ୟ ଲୋକଲଜ୍ଜା ଭୟରେ ସେ ମୁହଁ ଖୋଲୁ ନଥିଲେ। ତେବେ ଏହି ନିର୍ଯାତନା ଅସହ୍ୟ ହେବାରୁ ସେ ବାଧ୍ୟ ହୋଇ ଶୁକ୍ରବାର ଥାନାରେ ଅଭିଯୋଗ କରିବାକୁ ବାଧ୍ୟ ହୋଇଥିବା ଛାତ୍ରୀ ଜଣକ କହିଛନ୍ତି।
ଅଭିଯୋଗ ପାଇ ସ୍କୁଲର ପ୍ରିନ୍ସିପାଲଉଦୟ କୁମାର ଓରଫ ମୁକୁନ୍ଦ ସିଂହଙ୍କୁ ପୋଲିସ ଗିରଫ କରିଛି। ସେହିପରି ଏହି ଘଟଣାରେ ଶିକ୍ଷକ ବାଲାଜୀ ଏବଂ ଦୁଇ ଜଣ ନାବାଳକ ଛାତ୍ରଙ୍କୁ ପୋଲିସ ଗିରଫ କରିଛି। ସ୍ଥାନୀୟ ହସପିଟାଲରେସମ୍ପୃକ୍ତ ଛାତ୍ରୀଙ୍କ ମେଡିକାଲ ପରୀକ୍ଷା କରାଇଛି ପୋଲିସ ।
ପୋଲିସରେ ହୋଇଥିବା ଏତଲା ଅନୁଯାୟୀ, ୨୦୧୭ ଡିସେମ୍ବରରେ ପ୍ରଥମ ଥର ପାଇଁ ତାଙ୍କର ୩ ଜଣ ସହପାଠୀ ସ୍କୁଲର ଲାବରୋଟାରୀରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ସେ ସମୟରେ ସମ୍ପୃକ୍ତ ଦୁଷ୍କର୍ମକାରୀମାନେ ଛାତ୍ରୀଙ୍କ ଭିଡିଓ ଶୁଟ୍ କରିଥିଲେ। ଘଟଣା ସମ୍ପର୍କରେ କାହା ଆଗରେ ମୁହଁ ଖୋଲିଲେ ଭିଡିଓ ଭାଇରାଲ୍ କରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ। ତେବେ କିଛିଦିନ ପରେ ସମ୍ପୃକ୍ତ ଛାତ୍ରମାନେ ଉକ୍ତ ଭିଡିଓକୁ ତାଙ୍କ ସାଙ୍ଗସାଥୀଙ୍କ ମଧ୍ୟରେ ଶେୟାର୍ କରିଥିଲେ। ପରେ ଏହି ଭିଡିଓ କିଛି ଶିକ୍ଷକ ଓ ପ୍ରିନ୍ସିପାଲ୍ଙ୍କ ପାଖରେ ପହଞ୍ଚିଥିଲା। ଏହା ପରେ ଛାତ୍ରୀଜଣକ ବ୍ଲାକ୍ମେଲ୍ର ଶିକାର ହେଲେ। ଲୋକଲଜ୍ଜାକୁ ଭୟ କରି ସେ ରାଜି ହୋଇଯିବା ପରେ ସ୍କୁଲର ପ୍ରିନ୍ସିପାଲ୍ ଓ କେତେକ ଶିକ୍ଷକ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ତେବେ ଏହି ନିର୍ଯାତନା ଅତ୍ୟଧିକ ହେବାରୁ ଓ ସହିବାର ସୀମା ଟପିଯିବାରୁ ଶେଷରେ ଛାତ୍ରୀ ଜଣକ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଛନ୍ତି।
ସ୍ଥାନୀୟ ଏସ୍ପିଙ୍କ କହିବା ଅନୁଯାୟୀ, ପ୍ରିନ୍ସିପାଲ୍ ଜଣକ ସମ୍ପୃକ୍ତ ଛାତ୍ରୀଙ୍କୁ ଥରେ ଡାକି ତାଙ୍କ ଚ୍ୟାମ୍ବର୍ରେ ଦୁଷ୍କର୍ମ କରିଥିଲେ। ଏତଲାରେ ଛାତ୍ରୀ ଜଣକ ୧୮ ଜଣ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ କରିଛନ୍ତି। ଘଟଣାର ତଦନ୍ତ ପାଇଁ ଚପ୍ରା ଡିଏସ୍ପିଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଗଠନ କରାଯାଇ ଥିବା ଏସ୍ପି କହିଛନ୍ତି। ଖୁବ୍ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି। ଏକ ସରକାରୀ ରିପୋର୍ଟ ଅନୁଯାୟୀ, ବିହାରରେ ମହିଳା ବିରୋଧୀ ଅପରାଧର ହାତ ଅଧିକ ରହିଛି। ରିପୋର୍ଟ ମୁତାବକ ଚଳିତ ବର୍ଷ ପ୍ରଥମ ୩ ମାସରେ ୧୨୭ ଜଣ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ତେବେ ଜୁନ୍ ମାସ ସୁଦ୍ଧା ଏହି ସଂଖ୍ୟା ଦୁଇ ଗୁଣ ବଢ଼ିଥିବା କୁହାଯାଉଛି।