ନୂଆଦିଲ୍ଲୀ: ଆମ୍ ଆଦ୍ମୀ ପାର୍ଟିର କରୱାଲ ବିଧାୟକ କପିଲ ମିଶ୍ରାଙ୍କୁ ଶୁକ୍ରବାର ଅଯୋଗ୍ୟ ଘୋଷଣା କରାଯାଇଛି। ତାଙ୍କୁ ଦଳ ବଦଳ ନିରୋଧ ଆଇନ ଅନୁଯାୟୀ ଅଯୋଗ୍ୟ ଘୋଷଣା କରାଯାଇଥିବା ଜଣାପଡ଼ିଛି। ସେ ୨୦୧୯ ଲୋକସଭା ନିର୍ବାଚନ ସମୟରେ କପିଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଭୋଟ୍ ମାଗିଥିବା ଅଭିଯୋଗ ହୋଇଥିଲା।
ଆମ୍ ଆଦ୍ମୀ ପାର୍ଟି ନେତା ସୌରଭ ଭରଦ୍ୱାଜଙ୍କ ଆବେଦନ କ୍ରମେ ଦିଲ୍ଲୀ ବିଧାନସଭା ବାଚସ୍ପତି ରାମ ନିବାସ ଗୋଏଲ ବିଧାୟକ କପିଲ ମିଶ୍ରାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। କପିଲ ପ୍ରଧାନମନ୍ତ୍ରୀ ମୋଦିଙ୍କ ସପକ୍ଷରେ ପ୍ରଚାର କରିବା ପରେ ଗ୍ରେଟର କୈଲାଶ ବିଧାୟକ ସୌରଭ ଏହି ପିଟିସନ୍ ଦାଖଲ କରିଥିଲେ। ସମ୍ବିଧାନର ଦଶମ ସିଡ୍ୟୁଲ୍ ଅନୁଯାୟୀ ସୌରଭ କପିଲଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଜୁଲାଇ ୧ରେ ଆବେଦନ କରିଥିଲେ।
ଏଥି ସହିତ ବିଧାନସଭାରେ ସଦସ୍ୟତା ହରାଇଥିବା କପିଲ ପ୍ରତିନିଧିତ୍ୱ କରୁଥିବା କରୱାଲ ନଗର ଆସନ ବର୍ତ୍ତମାନ ଖାଲି ପଡ଼ିବ। ଏହି ସ୍ଥାନରେ ଉପନିର୍ବାଚନ ହେବ। ୨୦୧୯ ଜାନୁଆରୀ ୨୭ ତାରିଖରୁ ଏହି ନିର୍ଦ୍ଦେଶ ପିଛିଲା ଭାବେ ଲାଗୁ ହେବ। ଏହି ଦିନ ସେ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ଏବଂ ବିଜେପି ନେତା ବିଜୟ ଗୋଏଲଙ୍କ ସହ ଗୋଟିଏ ମଞ୍ଚରେ ବସି ମୋଦିଙ୍କ ସପକ୍ଷରେ ପ୍ରଚାର କରିଥିଲେ। କପିଲ ପୂର୍ବରୁ ଆପ୍ ସରକାରରେ ମନ୍ତ୍ରୀ ଥିଲେ, କିନ୍ତୁ ୨୦୧୭ରେ ତାଙ୍କଠାରୁ ମନ୍ତ୍ରୀପଦ ହଟାଇ ଦିଆଯାଇଥିଲା।
କପିଲ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, ସେ ସୋମବାର ଦିଲ୍ଲୀ ହାଇକୋର୍ଟରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବେ। ଏହାକୁ ସେ ଅଗଣତାନ୍ତ୍ରିକ ଏବଂ ବେଆଇନ କହିଛନ୍ତି। ସେ କହିଛନ୍ତି, “ମୋତେ କୌଣସି ପଚରାଉଚରା ନକରାଯାଇ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନ୍ୟ ଦଳଙ୍କ ବିରୋଧରେ ପ୍ରଚାର କରିବାକୁ ନେଇ ମୁଁ ବିଧାନସଭାରେ ସମାନ ଆବେଦନ କରିଥିଲେ ମଧ୍ୟ ମୋ ଅଭିଯୋଗ ଉପରେ କୌଣସ ପଦକ୍ଷେପ ନିଆଯାଇନାହିଁ।”