ନୂଆଦିଲ୍ଲୀ: ଆପ୍ ଏବେ ଖାପ୍ ପଞ୍ଚାୟତ ପାଲଟି ଯାଇଛି। ଏଥିରେ ମାତ୍ର ଜଣେ ନେତା ଅଛନ୍ତି। ସେ ଏକଛତ୍ରବାଦୀ ଶାସନ ଚଳାଇଛନ୍ତି। ସମସ୍ତେ ତାଙ୍କୁ ମାନିବାକୁ ବାଧ୍ୟ। ଯେ ନମାନିବ, ସେ ବିଦା ହେବ। ଆପରୁ ବହିଷ୍କୃତ ହେବାର ଗୋଟିଏ ଦିନ ପରେ ମଙ୍ଗଳବାର ପ୍ରଶାନ୍ତ ଭୂଷଣ କହିଛନ୍ତି ଏହି କଥା। ଏହା ସହିତ ସେ ଆପରେ ଥିବା ତାଙ୍କ ପୂର୍ବତନ ସହଯୋଗୀମାନଙ୍କ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ତାଙ୍କୁ ଓ ଯୋଗେନ୍ଦ୍ର ଯାଦବଙ୍କୁ ଦଳରୁ ବହିଷ୍କାର କରିଛନ୍ତି ସେହିମାନଙ୍କ ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ରହିଛି। ଯେଉଁମାନେ ଦଳୀୟ ସମ୍ବିଧାନକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ବଦଳରେ ଯୋଗେନ୍ଦ୍ର ଓ ତାଙ୍କୁ ଦଳରୁ ବାହାର କରାଯାଇଛି। ଆପର କାର୍ଯ୍ୟଶୈଳୀରେ ସେ ମର୍ମାହତ। ଏହା ଏବେ ଖାପ୍ ପଞ୍ଚାୟତରେ ପରିଣତ ହୋଇଯାଇଛି। ଏଥିରେ ଜଣେ ଏକଛତ୍ରବାଦୀ (ଅରବିନ୍ଦ କେଜ୍ରିୱାଲ୍) ଅଛନ୍ତି। ତାଙ୍କୁ ସମସ୍ତେ ଅନୁକରଣ କରିବାକୁ ବାଧ୍ୟ। ଆଉ କିଛି ଆପ ନେତା ନିଜର ମାନସମ୍ମାନ ଓ ଲାଜସରମ ସବୁ କିଛି ଭୁଲି ସାରିଛନ୍ତି। ସେମାନେ ସେମାନଙ୍କର ମୁଖିଆଙ୍କ ପାଇଁ ସବୁ କିଛି କରିପାରିବେ।
ପ୍ରଶାନ୍ତ ଆହୁରି ମଧ୍ୟ କହିଛନ୍ତି ଯେ ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ପରେ ହିଁ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ଓ ଯୋଗେନ୍ଦ୍ରଙ୍କୁ ଦଳରୁ ବାହାର କରିବାକୁ ଏକ ଅଣଆନୁଷ୍ଠାନିକ ନିର୍ଦେଶ ଜାରି କରି ସାରିଥିଲେ। ଏହି ପୂରା ବହିଷ୍କାର ନାଟକବାଜୀ ଦୁଇ ମାସ ପୁରୁଣା। ଯାହା ହେଉ ଶେଷରେ ଏହି ନାଟକବାଜୀ ଶେଷ ହେଲା।
ଅନ୍ୟପକ୍ଷରେ ଏହି ବହିଷ୍କାର ବିରୁଦ୍ଧରେ ପ୍ରଶାନ୍ତ ଓ ଯୋଗେନ୍ଦ୍ର କୋର୍ଟଙ୍କ ଦ୍ୱାରସ୍ଥ ହେବେ ନାହିଁ। ପ୍ରଶାନ୍ତ କହିଛନ୍ତି ଯେ ସେ ଓ ଯୋଗେନ୍ଦ୍ର ଏହି ବହିଷ୍କାର ବିରୁଦ୍ଧରେ କୋର୍ଟ ଯାଇପାରିବେ। ତେବେ ସେମାନେ ଆଉ ଏଥିରେ ଅଧିକ ସମୟ ନଷ୍ଟ କରିବାକୁ ଚାହୁଁ ନାହାନ୍ତି। ତା’ବଦଳରେ ସେମାନେ ରାଜନୀତିକୁ ସ୍ୱଚ୍ଛ କରିବା ପାଇଁ ସ୍ୱରାଜ ଅଭିଯାନ ଉପରେ ଅଧିକ ସମୟ ଓ ଶକ୍ତି ବ୍ୟୟ କରିବେ।