ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଜଡ଼ିତ କିଛି ତଥ୍ୟ, ସୂଚନା ଅଧୀକାର ଆଇନ୍ ବା ଆରଟିଆଇରେ ମାଗିଥିଲେ। ଏହାର ଜବାବରେ ରିଜର୍ଭ ବ୍ୟାଙ୍କ ଯେଉଁ ତଥ୍ୟ ଦେଇଛନ୍ତି ସେଗୁଡ଼ିକ ସମସ୍ତ ବ୍ୟାଙ୍କର ଗ୍ରାହକ ଜାଣିବା ନିହାତି ଦରକାର। ଉତ୍ତରାଖଣ୍ଡର ପ୍ରମୋଦ ଗୋଲ୍ଡି ନାମକ ଏହି ବ୍ୟବସାୟୀ ରିଜର୍ଭ ବ୍ୟାଙ୍କଠାରୁ କ’ଣ ସବୁ ଜାଣିବାକୁ ଚାହିଁଥିଲେ ଓ ତାଙ୍କୁ କ’ଣ ଉତ୍ତର ମିଳିଛି ସେ ବିଷୟରେ ପଢନ୍ତୁ।
ଲଞ୍ଚ୍ ଟାଇମ୍ କହି କାମ ବନ୍ଦ କରିପାରିବେ କି?
ସମସ୍ତ ବ୍ୟାଙ୍କ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ବିନା ଲଞ୍ଚ୍ ବ୍ରେକ୍ରେ ସେବା ଯୋଗାଇ ଦେବା ଆବଶ୍ୟକ। ବ୍ୟାଙ୍କର ଅଧିକାରୀମାନେ ଜଣେ ଜଣେ କରି ଖାଇବାକୁ ଯାଇପାରିବେ। ଏହି ସମୟରେ ନର୍ମାଲ ଟ୍ରାଞ୍ଜାକ୍ସନ୍ ଜାରି ରହିବା ଉଚିତ। କିନ୍ତୁ ଅଧିକାଂଶ ସାର୍ବଜନିକ ବ୍ୟାଙ୍କଗୁଡ଼ିକରେ ଏହି ସମୟରେ ଲଞ୍ଚ୍ ଟାଇମ୍ର ଏକ ବୋର୍ଡ ଲଗାଇ ଦିଆଯାଏ। ତେଣୁ ଗ୍ରାହକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥାନ୍ତି। କିନ୍ତୁ ନିୟମ ଅନୁଯାୟୀ ଏପରି ହେବା ଉଚିତ ନୁହେଁ।
ଲଞ୍ଚ ଟାଇମରେ ଗେଟ୍ ବନ୍ଦ କରିପାରିବେ କି?
ଦେଖାଯାଏ, ବ୍ୟାଙ୍କଗୁଡ଼ିକରେ ଲଞ୍ଚ ଟାଇମରେ ବ୍ୟାଙ୍କର କର୍ମଚାରୀମାନେ କଷ୍ଟମରମାନଙ୍କୁ ବାହାର କରି ଗେଟ୍ ବନ୍ଦ କରିଦିଅନ୍ତି। ହେଲେ ଏହା ନିୟମ ବିରୁଦ୍ଧ। ବ୍ୟାଙ୍କଗୁଡ଼ିକ ଏପରି କରିପାରିବେ ନାହିଁ।
କାଉଣ୍ଟର ଛାଡ଼ି ଯାଇପାରିବେ କି?
ଅନେକ ସମୟରେ ଦେଖିବାକୁ ମିଳେ ଯେ ବ୍ୟାଙ୍କରେ ଲୋକମାନେ ଲାଇନ୍ ଲଗାଇ ଛିଡ଼ା ହୋଇଥିବେ, ହେଲେ କାଉଣ୍ଟରରେ ସେମାନଙ୍କୁ ଆଟେଣ୍ଡ କରିବାକୁ କେହି ନଥିବେ। ଏଥିଯୋଗୁ କଷ୍ଟମରମାନଙ୍କୁ ଅନେକ ସମୟ ଧରି ଲାଇନ୍ରେ ଛିଡ଼ା ହେବାକୁ ପଡ଼ିଥାଏ। ରିଜର୍ଭ ବ୍ୟାଙ୍କ କହିଛନ୍ତି ଗ୍ରାହକ ଛିଡ଼ା ହୋଇଥିବା ବେଳେ ବ୍ୟାଙ୍କ କର୍ମଚାରୀ କାଉଣ୍ଟର ଛାଡ଼ି ଯାଇପାରିବେ ନାହିଁ। ସବୁବେଳେ କେହି ନା କେହି କାଉଣ୍ଟରରେ ରହିବା ଉଚିତ।
୧୧୧୧ ଓ ୨୨୨୨ ପରି ମୂଲ୍ୟର ଡିପୋଜିଟ୍ ନେବାକୁ ମନା କରିପାରିବେ କି?
ପ୍ରାୟ ସବୁ ସମୟରେ ଦେଖିବାକୁ ମିଳେ ଯେ ୧୧୧୧ ଓ ୨୨୨୨ ପରିମାଣର ଟଙ୍କା ଡିପୋଜିଟ୍ କଲେ ବ୍ୟାଙ୍କ ଗ୍ରହଣ କରିବାକୁ ମନା କରିଥାଏ। କିନ୍ତୁ ନିୟମ ଅନୁଯାୟୀ କୌଣସି ବ୍ୟାଙ୍କ ଏପରି ଡିପୋଜିଟ୍ ନେବାକୁ ମନା କରିପାରିବେ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।