ନୂଆଦିଲ୍ଲୀ: କେନ୍ଦ୍ରସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏଣିକି ଏୟାର କଣ୍ଡିସନର୍(ଏସି)ର ତାପମାତ୍ରା ୨୪ଡିଗ୍ରୀକୁ ଡିଫଲଟର୍ ରଖାଯିବ। ଅର୍ଥାତ ଏହି ତାପମାତ୍ରାରୁ ଆଉ ତଳକୁ ଖସିବ ନାହିଁ। ସେହିପରି ୨୬ ଡିଗ୍ରୀ ତାପମାତ୍ରାଠାରୁ ମଧ୍ୟ ବୃଦ୍ଧି ହେବ ନାହିଁ। ଏସି ନିର୍ମାଣକାରୀ ସଂସ୍ଥାଗୁଡ଼ିକ ଏଥିପ୍ରତି ଧ୍ୟାନ ଦେବାକୁ ସରକାର ତାଗିଦ୍ କରିବେ। ମୁଖ୍ୟତଃ ଏସି ନିର୍ମାଣକାରୀ କମ୍ପାନୀ ଗୁଡ଼ିକ ଏମିତି ଡିଫଲଟ୍ର ସେଟିଂ କରି ବଜାରରେ ବିକ୍ରି କରିବେ। ସେହିପରି ଏସି ପାଖରେ ଅନୁକୂଳ ତାପମାତ୍ରା ରଖିବା ପାଇଁ ସେଟିଙ୍ଗ୍ର ବ୍ୟବସ୍ଥା ରହିବ। ବିଜୁଳି ଶକ୍ତିର ସଞ୍ଚୟ ଏବଂ ଅଜଥା ଅପଚୟକୁ ରୋକିବା ପାଇଁ କେନ୍ଦ୍ରସରକାର ଏମିତି ଏକ ଯୋଜନାର ପରିକଳ୍ପନା କରିଛନ୍ତି। ଏନେଇ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର୍ କେ ସିଂହ ଏସି କମ୍ପାନୀଙ୍କ ସହ ବୈଠକ କରିଥିଲେ।
ଏହି ବୈଠକରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏଭଳି ପ୍ରସ୍ତାବକୁ କମ୍ପାନୀ ଗୁଡ଼ିକ ପ୍ରଶଂସା କରିଛନ୍ତି। ବିଭିନ୍ନ ମହଲରୁ ସରକାର ଏନେଇ ପ୍ରସ୍ତାବ ଆହ୍ୱାନ କରିବା ଏବଂ ସକରାତ୍ମକ ପ୍ରତିକ୍ରିୟା ଆସିବା ପରେ ସରକାର ବିଚାର ଏହି ଯୋଜନାର ପରିକଳ୍ପନା କରିଛନ୍ତି। ଏଥିପାଇଁ ସରକାର ୬ ମାସ ସମୟ ନେଇଥିଲେ। ସରକାରଙ୍କ କହିବା ଅନୁଯାୟୀ, ଏସିର ତାପମାତ୍ରା ସେଟିଙ୍ଗ୍ରେ ବୃଦ୍ଧିରେ ୬ ପ୍ରତିଶତ ବିଦ୍ୟୁତ୍ ଶକ୍ତି ବଞ୍ଚା ଯାଇପାରିବ। ମଣିଷ ଶରୀରର ତାପମାତ୍ରା ୩୬ ରୁ ୩୭ ଡ଼ିଗ୍ରୀ ରହୁଥିବା ବେଳେ ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନ, ହୋଟେଲ ଓ କାର୍ଯ୍ୟାଳୟରେ ୧୮ ରୁ ୨୧ ଡ଼ିଗ୍ରୀ ଏସି ତାପମାତ୍ରା ରହୁଛି। ଏହା ସ୍ୱାସ୍ଥ୍ୟପକ୍ଷେ ହାନିକାରକ ବୋଲି ବୈଠକରେ ଶକ୍ତି ମନ୍ତ୍ରୀ ଆର୍ କେ ସିଂ କହିଛନ୍ତି। ଏସି କାମ ନ କରିବା ଏବଂ ବିଦ୍ୟୁତ୍ ଖର୍ଚ୍ଚ ବଢ଼ିବା ଯୋଗୁଁ ଏହି ନିଷ୍ପତ୍ତି ହୋଇଛି।
ସେହିପରି ଏସି ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣରେ ବର୍ତ୍ତମାନ କାର୍ଯ୍ୟଦକ୍ଷତାକୁ ମାପିବା ପାଇଁ ଷ୍ଟାର ରେଟିଙ୍ଗ୍ ସିଷ୍ଟମ୍କୁ ରଖାଯାଇଛି। ଏସିରେ ମଧ୍ୟ ଏସ୍ଇଇଆର୍(SEER) ନାମକ ଏକ ପରିମାପକ ରହିଛି ଯାହା ଭାରତୀୟ ତାପମାତ୍ରା ଓ ଆର୍ଦ୍ରତାକୁ ସୂଚାଇବ। ୨୦୧୫ରେ ହୋଇଥିବା ଗରମ ଯୋଗୁଁ ନ୍ୟୁୟର୍କ ସିଟିର ଉପଭୋକ୍ତା ବିଭାଗ ପକ୍ଷରୁ ‘ସାମ୍ନା ଦ୍ୱାର ବନ୍ଦ କର’ ନାମରେ ସୋସିଆଲ୍ ମିଡ଼ିଆରେ ଏକ ଅଭିଯାନ ଆରମ୍ଭ କରିଥିଲେ। ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଡୋର ଖୋଲା କରି ହେଉଥିବା ଏସିର ବ୍ୟବହାରକୁ ରୋକିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇ ଥିଲା।