କଶ୍ମୀର ଯିବେ ଅଧିକ ୧୦ ହଜାର ଯବାନ, କିଛି ବଡ଼ ନିଷ୍ପତ୍ତି ନେବ କି କେନ୍ଦ୍ର

ଶ୍ରୀନଗର: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କଶ୍ମୀର ଉପତ୍ୟକାରୁ ୨ ଦିନିଆ ଗସ୍ତ କରି ଫେରିବାପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନେଇଛି ଏକ ବଡ଼ ନିଷ୍ପତ୍ତି। ଏହି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜମ୍ମୁକଶ୍ମୀରରେ ଆହୁରି ୧୦ ହଜାର ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ଏଠାରେ ନିୟୋଜିତ କରାଯିବ। ମିଳିଥିବା ସୂଚନା ଅନୁଯାୟୀ ଡୋଭାଲ ଏହି ଗସ୍ତରେ ବହୁ ବରିଷ୍ଠ ଅଧିକାରୀଙ୍କୁ ଭେଟି ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ […]

kashmir

Subrat Kumar Nayak
  • Published: Saturday, 27 July 2019
  • , Updated: 27 July 2019, 06:01 PM IST

ଶ୍ରୀନଗର: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କଶ୍ମୀର ଉପତ୍ୟକାରୁ ୨ ଦିନିଆ ଗସ୍ତ କରି ଫେରିବାପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନେଇଛି ଏକ ବଡ଼ ନିଷ୍ପତ୍ତି। ଏହି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜମ୍ମୁକଶ୍ମୀରରେ ଆହୁରି ୧୦ ହଜାର ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ଏଠାରେ ନିୟୋଜିତ କରାଯିବ। ମିଳିଥିବା ସୂଚନା ଅନୁଯାୟୀ ଡୋଭାଲ ଏହି ଗସ୍ତରେ ବହୁ ବରିଷ୍ଠ ଅଧିକାରୀଙ୍କୁ ଭେଟି ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ଜମ୍ମୁକଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି ରହିଛି।

ତେବେ ଅଧିକ ଯବାନଙ୍କ ନିୟୋଜନ ନେଇ ଜମ୍ମୁକଶ୍ମୀର ପୁଲିସ୍‌ ଡିଜିପି ଦିବାଙ୍ଗ ସିଂହ କହିଛନ୍ତି, ସେମାନେ ଉତ୍ତର କଶ୍ମୀର ପାଇଁ ଅଧିକ ଯବାନ ନିୟୋଜନ କରିଛନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହା ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏବଂ ଅନୁପ୍ରବେଶକୁ ଦମନ କରିବା ପାଇଁ ଉଦ୍ଦିଷ୍ଟ। ଶ୍ରୀ ସିଂହ ଆହୁରି ମଧ୍ୟ କହିଛନ୍ତି, ଉତ୍ତର କଶ୍ମୀରରେ ଆବଶ୍ୟକତାଠାରୁ କମ୍‌ ଯବାନ ଅଛନ୍ତି। ସେଥିପାଇଁ ଆମେ ଅତିରିକ୍ତ ଫୋର୍ସ ମଗାଇଲୁ। ତେବେ ବର୍ତ୍ତମାନ ୧୦୦ କମ୍ପାନୀ ଯବାନଙ୍କୁ ଏୟାର ଲିଫ୍ଟ କରାଯିବ। ସୂଚନାଯୋଗ୍ୟ, ଗୋଟିଏ କମ୍ପାନୀରେ ୧୦୦ ଜଣ ଯବାନ ଥା’ନ୍ତି। ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଅମରନାଥ ଯାତ୍ରା ପାଇଁ ୪୦ ହଜାର ଯବାନ ଅତିରିକ୍ତ ଭାବେ ନିୟୋଜିତ ହୋଇଥିଲେ।

ତେବେ ଏହି ଘଟଣାରେ ପ୍ରତିକ୍ରିୟା ରଖି ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି କହିଛନ୍ତି, "କଶ୍ମୀର ଉପତ୍ୟକାରେ ୧୦ ହଜାର ଯବାନଙ୍କ ନିୟୋଜନ ନେଇ କେନ୍ଦ୍ରର ନିଷ୍ପତ୍ତି ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ। କଶ୍ମୀରରେ ଯବାନଙ୍କ ସଂଖ୍ୟା କିଛି କମ୍‌ ନାହିଁ। ଜମ୍ମୁକଶ୍ମୀର ଏକ ରାଜନୀତିକ ସମସ୍ୟା, ଯାହାର ସମାଧାନ ସାମରିକ ହସ୍ତକ୍ଷେପ ଦ୍ୱାରା କରାଯାଇ ପାରିବ ନାହିଁ। ଭାରତ ସରକାର ତାଙ୍କର ଏହି ନୀତି ବାବଦରେ ପୁନଃ ବିଚାର କରନ୍ତୁ।"

Related story