ନୂଆଦିଲ୍ଲୀ: ୨ ଲକ୍ଷ ଟଙ୍କାର ଲାଞ୍ଚ ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଓଏସ୍ଡିଙ୍କୁ ଗିରଫ କରିବା ପରେ ଏବେ ଏହି ମାମଲାରେ ଆଉ ଜଣଙ୍କ ଘରେ ଚଢ଼ଉ କରିଛି ସିବିଆଇ। ଗତକାଲି ବିଳମ୍ବିତ ରାତିରେ ଗୋପାଲ କ୍ରିଷ୍ଣା ମାଧବ ଗିରଫ ହୋଇଥିଲେ। ଜିଏସ୍ଟି ସହ ଜଡ଼ିତ ଏକ ମାମଲାରେ ୨ ଲକ୍ଷ ଟଙ୍କା ଲାଞ୍ଚ କାରବାର ଅଭିଯୋଗ ପରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିଲା।
ତେବେ ଏଯାଏ ଏହି ମାମଲାରେ ସିସୋଡିଆଙ୍କ ସମ୍ପୃକ୍ତି ନେଇ କୌଣସି ଠୋସ୍ ପ୍ରମାଣ ମିଳିପାରିନାହିଁ। ମାଧବ ୨୦୧୫ ମସିହାରେ ସିସୋଡିଆଙ୍କ ଅଫିସ୍ରେ ନିଯୁକ୍ତ ହୋଇଥିଲେ।
ସିସୋଡିଆ ପ୍ରାଥମିକ ପ୍ରତିକ୍ରିୟାରେ କହିଛନ୍ତି, ଏହି ଅଧିକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯାଉ। ବିଜେପି ଦାବି କରିଛି ମନ୍ତ୍ରୀଙ୍କ ଅଜାଣତରେ ଅଧିକାରୀ କେବେ ଲାଞ୍ଚ ନେଇନଥିବେ। ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ହିଁ ଏଭଳି ଘଟଣା ଘଟିଛି।