ନୂଆଦିଲ୍ଲୀ: ମହମାରୀ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଲକଡାଉନ ଅବଧିକୁ ମେ’ ୩ ଯାଏ ବୃଦ୍ଧି କରିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟର ୨୧ ଦିନିଆ ଲକଡାଉନ ବେଳେ ଚାଷୀଙ୍କୁ ଯେଉଁ ସୁବିଧା ମିଳି ନଥିଲା, ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ ସେ ସୁବିଧା ମିଳିବ। ଆସନ୍ତା ୨୦ ତାରିଖରୁ ଚାଷୀମାନେ ସେମାନଙ୍କ କାମ ଆରମ୍ଭ କରିବେ।
ରବି ଫସଲକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛି। ହେଲେ ଏହା ହଟସ୍ପଟ ଚିହ୍ନଟ ହୋଇଥିବା ସ୍ଥାନଗୁଡ଼ିକରେ କାର୍ଯ୍ୟକାରୀ ହେବନାହିଁ। ଯେଉଁ ସବୁ ଅଞ୍ଚଳରେ କରୋନା ସଂକ୍ରମଣର ଆଶଙ୍କା କମ ରହିଛି ବା କୌଣସି ନୂଆ ରୋଗୀ ଚିହ୍ନଟ ହୋଇନାହାନ୍ତି, ସେଠାରେ ଚାଷୀଙ୍କୁ କ୍ଷେତକୁ ଯିବାକୁ ଅନୁମତି ମିଳିପାରିବେ।
କ୍ଷେତରେ କାମ କରିବା ସମୟରେ ସେମାନେ ସାମାଜିକ ଦୂରତା ଗାଇଡଲାଇନକୁ ପାଳନ କରିବେ। ଆଜି ଏ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଗାଇଡଲାଇନ ଜାରି କରିଛି। ଗାଇଡଲାଇନ ଅନୁଯାୟୀ-
୧-ସମସ୍ତ ପ୍ରକାରର କୃଷି ଓ ଉଦ୍ୟାନ କୃଷି କାର୍ଯ୍ୟ ୨୦ ତାରିଖଠାରୁ ସାରା ଦେଶରେ ଆରମ୍ଭ ହେବ।
୨-ଏହି ସମୟରେ ଉତ୍ପାଦିତ ଦ୍ରବ୍ୟର ସଂଗ୍ରହ, ବିକ୍ରି ଓ ଏମଏସପି ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଚାଲୁ ରହିବ।
୩-ଲକଡାଉନ ସମୟରେ ସମସ୍ତ ପ୍ରକାରର ମଣ୍ଡି ଖୋଲା ରହିବ। ଚାଷୀମାନେ ସେମାନଙ୍କ ଉତ୍ପାଦ ଦ୍ରବ୍ୟକୁ ବେଶ ଆରାମରେ ବିକ୍ରି କରିପାରିବ।
୪-ବ୍ୟବସାୟୀମାନେ ଗାଁକୁ ଯାଇ କିମ୍ବା ଚାଷୀମାନଙ୍କ ଠାରୁ ସିଧାସଳଖ ମଧ୍ୟ ସାମଗ୍ରୀ କିଣି ପାରିବେ।
୫-କୃଷି ଜାତ ଦ୍ରବ୍ୟ ଉପଲବ୍ଧ ହେଉଥିବା ସମସ୍ତ ଦୋକାନ, କୃଷି ଯନ୍ତ୍ରପାତି, ମରାମତି ଭଳି ଦୋକାନ ଖୋଲା ରହିବ। କୀଟନାଶକ ଠାରୁ ଆରମ୍ଭ କରି ବିହନ, ମଞ୍ଜି ଦୋକାନ ମଧ୍ୟ ଖୋଲା ରହିବ।
୬-ରାଜ୍ୟ ରାଜ୍ୟ ମଧ୍ୟରେ କୃଷି ଜାତ ଦ୍ରବ୍ୟ ପାଇଁ ଆବଶ୍ୟକ ମେସିନର ଯାତାୟାତ ମଧ୍ୟ କରିପାରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।