ଜନସ୍ୱାର୍ଥ ପାଇଁ ଡିଜିଟାଲ ଡାଟା ମନିଟର କରିହେବ କହିଲେ ସରକାର

ନୂଆଦିଲ୍ଲୀ: ଲୋକଙ୍କ ଡିଜିଟାଲ ଡାଟା କେତେଦୂର ସୁରକ୍ଷିତ ସେନେ ବିତର୍କ ଆରମ୍ଭ ହୋଇସାରିଛି। ତେବେ ଡିଜିଟାଲ ତଥ୍ୟ ସବୁକୁ ଜନସ୍ୱାର୍ଥ ଦୃଷ୍ଟିରୁ ଇଣ୍ଟରସେପ୍ଟ, ମନିଟର ଏବଂ ଡିକ୍ରିପ୍ଟ କରାଯାଇପାରିବ ବୋଲି ମଙ୍ଗଳବାର ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ଅବସରରେ କୁହାଯାଇଛି ସରକାରୀ ତଦନ୍ତକାରୀ ସଂସ୍ଥା ଆଇନ ଅନୁସରଣ କରୁଥିବାରୁ ସେମାନେ ଡିଜିଟାଲ ଡାଟା ମନିଟର କରିବାରେ କିଛି ସମସ୍ୟା ନାହିଁ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର କନିଷ୍ଠ ମନ୍ତ୍ରୀ ଜି କିଶନ୍‌ କୁମାର ରେଡ୍ଡି କହିଛନ୍ତି, ଯେ କୌଣସି […]

digital-data

Subrat Kumar Nayak
  • Published: Tuesday, 19 November 2019
  • , Updated: 19 November 2019, 06:44 PM IST

ନୂଆଦିଲ୍ଲୀ: ଲୋକଙ୍କ ଡିଜିଟାଲ ଡାଟା କେତେଦୂର ସୁରକ୍ଷିତ ସେନେ ବିତର୍କ ଆରମ୍ଭ ହୋଇସାରିଛି। ତେବେ ଡିଜିଟାଲ ତଥ୍ୟ ସବୁକୁ ଜନସ୍ୱାର୍ଥ ଦୃଷ୍ଟିରୁ ଇଣ୍ଟରସେପ୍ଟ, ମନିଟର ଏବଂ ଡିକ୍ରିପ୍ଟ କରାଯାଇପାରିବ ବୋଲି ମଙ୍ଗଳବାର ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହି ଅବସରରେ କୁହାଯାଇଛି ସରକାରୀ ତଦନ୍ତକାରୀ ସଂସ୍ଥା ଆଇନ ଅନୁସରଣ କରୁଥିବାରୁ ସେମାନେ ଡିଜିଟାଲ ଡାଟା ମନିଟର କରିବାରେ କିଛି ସମସ୍ୟା ନାହିଁ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର କନିଷ୍ଠ ମନ୍ତ୍ରୀ ଜି କିଶନ୍‌ କୁମାର ରେଡ୍ଡି କହିଛନ୍ତି, ଯେ କୌଣସି ଡାଟା ଯଦି ଟ୍ରାନ୍ସମିଟ୍‌ ହୋଇଥିବ, ରିସିଭ୍‌ ହୋଇଥିବ ବା କମ୍ପ୍ୟୁଟରରେ ଷ୍ଟୋର ହୋଇଥିବ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ସେସବୁକୁ ତନଖି କରିବା ପାଇଁ ଆଇନରେ ଅନୁମତି ଅଛି। ହ୍ୱାଟ୍‌ସଆପ୍‌, ଫେସବୁକ୍‌ ମେସେଞ୍ଜର, ଭାଇବର, ଗୁଗଲ କଲ୍ସ ଏବଂ ମେସେଜ୍‌ ଆଦି ଉପରେ ସରକାର ନଜର ରଖୁଥିବା ନେଇ ଅଭିଯୋଗ ଆସିବା ନେଇ ବିରୋଧୀ ଦଳର ଜଣେ ସାଂସଦ ପ୍ରଶ୍ନ କରିବାରୁ ଲିଖିତ ଉତ୍ତରରେ ଏହି ମତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

ସେ କହିଛନ୍ତି, ଆଇନ ପ୍ରକ୍ରିୟା ଅନୁଯାୟୀ କେବଳ ଅନୁମତି ପ୍ରାପ୍ତ ସଂସ୍ଥାଙ୍କ ଦ୍ୱାରା ସୂଚନା ତନଖି କରାଯାଇପାରିବ। ନିୟମ ଅନୁଯାୟୀ ସୁରକ୍ଷା ଦାୟିତ୍ୱରେ ଥିବା ଏହି ତଥ୍ୟ ତନଖି କରିପାରିବେ।

ଗତ ମାସରେ ବେଶ ଚର୍ଚ୍ଚାରେ ଥିବା ଏନ୍‌ଏସ୍‌ଓ ଗ୍ରୁପ୍‌ର ହ୍ୱାଟ୍ସଆପ୍‌ କଲ୍ ଓ ମେସେଜ୍‌ ସମ୍ପର୍କିତ ତଥ୍ୟ ଚୋରି ସଫ୍ଟୱେର ପ୍ରସଙ୍ଗରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା। କିନ୍ତୁ ସେ ଏହାର ଉତ୍ତର ଦେଇନଥିଲେ। ଗତ ମାସରେ ଖବର ଆସିଥିଲା ଯେ ସରକାରଙ୍କ ବିରୋଧରେ ମତ ରଖୁଥିବା ସାମାଜିକ କର୍ମୀ ଏବଂ ମାନବିକ ଅଧିକାର କର୍ମୀଙ୍କ ଫୋନ୍‌ କଲ୍‌ ଏବଂ ମେସେଜ୍‌ ଉପରେ ନଜର ରଖିବା ପାଇଁ ଏସବୁ ହ୍ୟାକ୍‌ ହୋଇଛି। ଏହା ପୂର୍ବରୁ ହ୍ୱାଟ୍‌ସଆପ୍‌ର ମୂଳ କମ୍ପାନୀ ଫେସବୁକ୍‌ ପକ୍ଷରୁ କୁହାଯାଇଥିଲା, ଭିଡିଓ କଲିଂ ସିଷ୍ଟମ୍‌ ଜରିଆରେ ୧୪୦୦ ମୋବାଇଲକୁ ମାଲ୍‌ୱେର ପଠାଯାଇଥିଲା। ଇସ୍ରାଏଲି କମ୍ପାନୀ ଏନ୍‌ଏସ୍‌ଓ ଏହି ମୋବାଇଲ ୟୁଜରଙ୍କ ଫୋନ୍‌ ହ୍ୟାକ୍‌ କରିଥିବା ଫେସବୁକ୍‌ ଅଭିଯୋଗ ଆଣିଥିଲା।

ତେବେ ଏଭଳି ଅଭିଯୋଗ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମନ୍ତ୍ରୀ କିଶନ୍‌ କହିଛନ୍ତି, “ଭାରତର ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ଦୃଷ୍ଟିରେ ରଖି, ଦେଶର ସୁରକ୍ଷା ଦୃଷ୍ଟିରୁ, ଅନ୍ୟ ରାଷ୍ଟ୍ର ସହ ସମ୍ପର୍କ ବଜାୟ ରଖିବା ଦିଗରେ ବା କୌଣସି ଅପରାଧିକ କାର୍ଯ୍ୟର ତଦନ୍ତ ପାଇଁ ବା ଅପରାଧିକ କାର୍ଯ୍ୟ ଅଟକାଇବା ପାଇଁ ସରକାର ଡିଜିଟାଲ ସୂଚନା ତନଖି କରିପାରିବେ।” ସେ କହିଥିଲେ, କେନ୍ଦ୍ରରେ କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏବଂ ରାଜ୍ୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏଭଳି ମାମଲାର ସମୀକ୍ଷା କରିବେ।

ବର୍ତ୍ତମାନ ସୁପ୍ରିମ୍‌କୋର୍ଟରେ ଫେସବୁକ ଡିଜିଟାଲ ଡାଟା ସମ୍ପର୍କିତ ଏକ ମାମଲା ଲଢ଼ୁଛି। ଏହାପରେ ତଥ୍ୟ ସାର୍ବଜନୀନ କରାଯିବା ନେଇ ନିଷ୍ପତ୍ତି ହେବ। ଫେସବୁକ୍‌ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ସମର୍ଥନରେ ଯୁକ୍ତି ରଖିଆସୁଛି।

Related story