ଲକ୍ଷ୍ନୌ: ବିଜେପି ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ବଛାଯିବା ପଛର ରହସ୍ୟ ଖୋଲିଛନ୍ତି। ଦକ୍ଷିଣପନ୍ଥୀଙ୍କ ପୋଷ୍ଟର ବୟ ଯୋଗୀ ପୂର୍ବରୁ କୌଣସି ମ୍ୟୁନିସିପାଲିଟି ବି ଚଳାଇବାର ଦକ୍ଷତା ନଥିବାରୁ ତାଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ କରାଯିବ ବୋଲି କହି ସେତେବେଳେ ବହୁତ ଲୋକ ବିରୋଧ କରିଥିଲେ। ଉତ୍ତରପ୍ରଦେଶ ଭାରତର ରାଜନୀତିରେ ପ୍ରମୁଖ ଭୂମିକା ତୁଲାଉଥିବାରୁ ଏହି ନିଷ୍ପତ୍ତି ନେଇ ଦଳରେ ମତଭେଦ ସୃଷ୍ଟି ହୋଇଥିଲା। ଆଜି ଉତ୍ତରପ୍ରଦେଶରେ ୬୫ ହଜାର କୋଟି ଟଙ୍କାର ନିବେଶରେ ଏକ ପ୍ରକଳ୍ପର ଭୂମି ପୂଜନ ଅବସରରେ ଶାହ ସେହି ଘଟଣା ବାବଦରେ ମନେ ପକାଇଛନ୍ତି।
ଶାହ କହିଛନ୍ତି, "କେହି ମଧ୍ୟ ଭାବିନଥିଲେ ଯୋଗୀ ମୁଖ୍ୟମନ୍ତ୍ରୀ ହେବେ। କିଛି ଲୋକ ମୋତେ ଫୋନ୍ କରି କହିଥିଲେ, ତାଙ୍କର ଗୋଟିଏ ମ୍ୟୁନିସିପାଲିଟି ଚଲାଇବାର ଅନୁଭୂତି ନାହିଁ, ଆପଣ ତାଙ୍କୁ ଏତେବଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ କରୁଛନ୍ତି କାହିଁକି। ପ୍ରକୃତରେ ଏକଥା ସତ ଯେ ସେ ଆଗରୁ ଏପରି କୌଣସି ଅନୁଭୂତିର ଅଧିକାରୀ ନଥିଲେ, ସେ ଏକ ମନ୍ଦିରର ମୁଖ୍ୟ ଥିଲେ। ତେଣୁ ଲୋକେ ପଚାରିଲେ ଏତେ ବଡ଼ ରାଜ୍ୟ ସେ କେମିତି ଚଲାଇବେ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା କଥା ଭାବିଥିଲୁ, କାରଣ ସେ କାମ କରିବାକୁ ଆଗ୍ରହୀ ଥିଲେ।"
ସୂଚନାଯୋଗ୍ୟ ଯେ, ୨୦୧୭ ମସିହାରେ ବିଜେପି ଉତ୍ତରପ୍ରଦେଶରେ ବୃହତ୍ ବିଜୟ ହାସଲ କରିଥିଲା। ଏହା ମୋଦିଙ୍କ ବିକାଶ ପ୍ରତିଶ୍ରୁତି ସପକ୍ଷରେ ଜନାଦେଶ ହୋଇଥିବା ଜଳଜଳ ଜଣାପଡ଼ୁଥିଲା। କିନ୍ତୁ ଯୋଗୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାରଙ୍କ ମଧ୍ୟରେ ନଥିଲେ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ପାଇଁ ଗୋରଖପୁରଠାରେ ଥିବା ଗୋରଖନାଥ ମନ୍ଦିରର ମୁଖ୍ୟ ଯୋଗୀଙ୍କ ନାମ ଘୋଷିତ ହେବାପରେ ସାରା ଦେଶରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। କୁହାଯାଏ ବିଜେପିର ମାତୃ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପୂର୍ବତନ ଟେଲିକମ୍ ମନ୍ତ୍ରୀ ମନୋଜ ସିହ୍ନାଙ୍କ ନାମରେ ମୋହର ମାରିଥିଲା। କିନ୍ତୁ ପରେ ସବୁକିଛି ବଦଳିଯାଇଥିଲା।