ବୋଡୋ ଶାନ୍ତିଚୁକ୍ତି ସ୍ୱାକ୍ଷରିତ, ଶାହ କହିଲେ ଐତିହାସିକ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଆସାମର ଉଗ୍ରପନ୍ଥୀ ଗୋଷ୍ଠୀ ନ୍ୟାସନାଲ ଡେମକ୍ରାଟିକ୍‌ ଫ୍ରଣ୍ଟ ଅଫ୍‌ ବୋଡୋଲ୍ୟାଣ୍ଡ ସହ ଶାନ୍ତି ଚୁକ୍ତି କରିଛନ୍ତି। ଦଶନ୍ଧି ଦଶନ୍ଧି ଧରି ଲାଗିରହିଥିବା ରକ୍ତପାତର ଏକପ୍ରକାର ଅନ୍ତ ଘଟିଛି। ଉତ୍ତର-ପୂର୍ବ ଭାରତରେ ବିଜେପିର ପ୍ରମୁଖ ନେତା ତଥା ଆସାମର ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଚୁକ୍ତିକୁ ନେଇ କହିଛନ୍ତି, ଏହା ଆସାମର ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିବ। ୧୫୦୦ କୋଟି ଟଙ୍କା ନିବେଶରେ ବୋଡୋ ଲୋକଙ୍କର ସର୍ବାଙ୍ଗୀନ ବିକାଶ କରାଯିବ ବୋଲି ସେ […]

shah

Subrat Kumar Nayak
  • Published: Monday, 27 January 2020
  • , Updated: 27 January 2020, 05:04 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଆସାମର ଉଗ୍ରପନ୍ଥୀ ଗୋଷ୍ଠୀ ନ୍ୟାସନାଲ ଡେମକ୍ରାଟିକ୍‌ ଫ୍ରଣ୍ଟ ଅଫ୍‌ ବୋଡୋଲ୍ୟାଣ୍ଡ ସହ ଶାନ୍ତି ଚୁକ୍ତି କରିଛନ୍ତି। ଦଶନ୍ଧି ଦଶନ୍ଧି ଧରି ଲାଗିରହିଥିବା ରକ୍ତପାତର ଏକପ୍ରକାର ଅନ୍ତ ଘଟିଛି। ଉତ୍ତର-ପୂର୍ବ ଭାରତରେ ବିଜେପିର ପ୍ରମୁଖ ନେତା ତଥା ଆସାମର ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଚୁକ୍ତିକୁ ନେଇ କହିଛନ୍ତି, ଏହା ଆସାମର ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିବ। ୧୫୦୦ କୋଟି ଟଙ୍କା ନିବେଶରେ ବୋଡୋ ଲୋକଙ୍କର ସର୍ବାଙ୍ଗୀନ ବିକାଶ କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏହି ଚୁକ୍ତିକୁ ଐତିହାସିକ ବୋଲି କହିଛନ୍ତି। ସେ କହିଛନ୍ତି, ଏହା ବୋଡୋ ଅଞ୍ଚଳ ଏବଂ ଆସାମର ବିକାଶ ଦିଗରେ ସହାୟକ ହେବ। ସେ କହିଛନ୍ତି, ଏହା ସମସ୍ତଙ୍କୁ ନେଇ ଏକ ଚୁକ୍ତି ହୋଇଥିବାରୁ ଏହା ସ୍ଥାୟୀ ହେବ। ପୂର୍ବ ପରି ୩ଟି ଗୋଷ୍ଠୀଙ୍କୁ ଛାଡ଼ି ଏହି ଚୁକ୍ତି ହୋଇନି।

ସୂଚନାଯୋଗ୍ୟ ଯେ, ଏହି ଚୁକ୍ତି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ଏନ୍‌ଡିଏଫ୍‌ବିର ୪ ଗୋଷ୍ଠୀ, ଏବିଏସ୍‌ୟୁ ଏବଂ କେନ୍ଦ୍ର ଦ୍ୱାରା ସ୍ୱାକ୍ଷରିତ ହୋଇଥିଲା। ଅନ୍ୟପକ୍ଷରେ ସ୍ୱତନ୍ତ୍ର ରାଜ୍ୟ ଦାବି କରୁଥିବା ଅଲ୍‌ ବୋଡୋ ଷ୍ଟୁଡେଣ୍ଟସ୍‌ ଆସିସିଏସନ୍‌ ମଧ୍ୟ ଏଥିରେ ସ୍ୱାକ୍ଷର କରିଥିଲେ। ଏହି ଚୁକ୍ତି ଅନୁଯାୟୀ, ଅଲଗା ରାଜ୍ୟଗଠନ ପାଇଁ ବନ୍ଧୁକ ଧରିଥିବା ଲୋକଙ୍କ ପାଇଁ ସରକାର ସାନ୍ତ୍ୱନାମୂଳ ମନୋଭାବ ରଖିବେ।

ଆସନ୍ତା ୩୦ ତାରିଖରେ ୧୫୦୦ ଉଗ୍ରପନ୍ଥୀ ଆତ୍ମସମର୍ପଣ କରିବାର ସମ୍ଭାବନା ରହିଛି। ସେମାନେ ଉଗ୍ରପନ୍ଥୀ ନୁହେଁ, ସେମାନେ ସମସ୍ତେ ଆମର ଭାଇ ବୋଲି ଶାହ କହିଛନ୍ତି। ଅନ୍ୟପକ୍ଷରେ ଏମାନଙ୍କ ମଧ୍ୟରୁ ଯାହାର ସ୍ୱଚ୍ଛ ରେକର୍ଡ ଥିବ ସେମାନଙ୍କୁ ଅର୍ଦ୍ଧସାମରିକ ବାହିନୀରେ ସୁଯୋଗ ମିଳିବ। ବୋଡୋ ଆନ୍ଦୋଳନରେ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ମିଳିବ। ଏହି ଚୁକ୍ତି ଅନୁଯାୟୀ ବିଟିଏଡିର ନାମ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ ରିଜିଅନ୍‌ ରଖାଯିବ। ଅନ୍ୟପକ୍ଷରେ ବୋଡୋ ଲୋକଙ୍କୁ ‘ପାର୍ବତ୍ୟ ଆଦିବାସୀ’ ମାନ୍ୟତା ଦିଆଯିବା ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବ। ସେହିଭଳି ଦେବନାଗରୀ ଭାଷାରେ ଲେଖାଯାଉଥିବା ବୋଡୋ ଆସାମର ସହଯୋଗୀ ସରକାରୀ ଭାଷାର ମାନ୍ୟତା ପାଇବ।

ଘୋଷଣା କରାଯିବାକୁ ଥିବା ଆର୍ଥିକ ପ୍ୟାକେଜ୍‌ରେ ରାଜ୍ୟ ସରକାର ୩ବର୍ଷର ବିକାଶ ପାଇଁ ୨୫୦ କୋଟି ଖର୍ଚ୍ଚ କରିବେ। ସେହିଭଳି କେନ୍ଦ୍ର ମଧ୍ୟ ସମପରିମାଣର ଖର୍ଚ୍ଚ କରିବ ଯାହାକି ମୋଟ ନିବେଶକୁ ୧୫୦୦ କୋଟି ଟଙ୍କାକୁ ବୃଦ୍ଧି କରାଇବ। ବିଭିନ୍ନ ପ୍ରକଳ୍ପ ମଧ୍ୟରେ ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌, ହୋଟେଲ ମ୍ୟାନେଜମେଣ୍ଟ, ମଦର ଡାୟରୀ ପ୍ଲାଣ୍ଟ ଏବଂ ଗୋଟିଏ ଏନ୍‌ଆଇଟି ସ୍ଥାପନ କରାଯିବାର ଅଛି।

ସୂଚନାଯୋଗ୍ୟ ଯେ, ବୋଡୋ ଲିବରେସନ୍‌ ଟାଇଗର୍ସ ସହିତ ୨୦୦୩ ମସିହାରେ ଦ୍ୱିତୀୟ ବୋଡୋ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହାଫଳରେ ବୋଡୋ ଟେରିଟୋରିଆଲ କାଉନସିଲ୍‌ (ବିଟିସି) ଗଠିତ ହୋଇଥିଲା। ଏଥିରେ ୪ଟି ଜିଲ୍ଲା ଯଥାକ୍ରମେ କୋକ୍ରାଝର, ଚିରାଙ୍ଗ, ବାସ୍କା ଏବଂ ଉଦଲଗିରି ଆଦି ରହିଥିଲା। ବିଟିସି ଅଧୀନରେ ୩୦ଟି ବିଷୟ ଯଥା ଶିକ୍ଷା, ଜଙ୍ଗଲ ଏବଂ ଉଦ୍ୟାନ କୃଷି ଆଦି ରହିଥିଲା। ପୁଲିସ୍‌, ରାଜସ୍ୱ ଏବଂ ସାଧାରଣ ପ୍ରଶାସନ ଆଦି ରହିଥିଲା। ବିଟିସି ସମ୍ବିଧାନର ଷଷ୍ଠ ଅନୁଚ୍ଛେଦ ଅନୁଯାୟୀ ଗଠନ କରାଯାଇଥିଲା।

Related story