ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ସଭାପତି ଅମିତ ଶାହ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କ୍ରିଷ୍ଣା ମେନନ ମାର୍ଗ ନିବାସରେ ରହିବେ। ନିକଟରେ ଅମିତ ଶାହ ଏହି ବାସଭବନକୁ ଆସି ପରିଦର୍ଶନ କରିବା ପରେ କିଛି ସ୍ଥାନରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏବେ ଶାହଙ୍କ ନିର୍ଦ୍ଦେଶକ୍ରମେ କିଛି ସ୍ଥାନରେ ପୁନଃନିର୍ମାଣ କାମ ଚାଲିଛି। ପାଖାପାଖି ମାସେ ମଧ୍ୟରେ ଶାହ ଏହି କ୍ରିଷ୍ଣା ମେନନ ୬-ଏ ବାସଭବନରେ ରହିବେ ବୋଲି ଜଣାପଡ଼ିଛି।
୨୦୦୪ରେ ବିଜେପି ହାରିବା ପରେ ବାଜପେୟୀ ଏହି ସ୍ଥାନରେ ରହୁଥିଲେ। ଏହାପରେ ଗତବର୍ଷ ବାଜପେୟୀଙ୍କ ଦେହାନ୍ତ ପରେ ତାଙ୍କ ପରିବାର ଲୋକେ ଏହି ଘର ସମ୍ପୂର୍ଣ୍ଣ ଛାଡ଼ି ଦେଇଥିଲେ। ୨୦୧୪ରେ ମୋଦି ସରକାର ଆସିବା ପରେ କୌଣସି ସରକାରୀ ବାସଭବନ କୌଣସି ନେତାଙ୍କ ନାମରେ ସ୍ମାରକୀ ସ୍ଥଳୀ ହୋଇପାରିବନି ବୋଲି ନିୟମ କରିଥିଲେ।
ଏବେ ବିଜେପି ସଭାପତି ଅମିତ ଶାହ ଦିଲ୍ଲୀ ସ୍ଥିତ ଆକବର ରୋଡ୍ ୧୧ରେ ରହୁଛନ୍ତି।