ନୂଆଦିଲ୍ଲୀ: ବାତ୍ୟା ନିଭାର ତାମିଲନାଡୁରେ ସ୍ଥଳ ଭାଗ ଛୁଇଁବା ପରେ ପୁଡୁଚେରୀ ହୋଇ କ୍ରମଶଃ ଦୁର୍ବଳ ହୋଇଯାଇଛି। ଏବେ ପାଣିପାଗ ବିଭାଗ ଆଉ ଏକ ରିପୋର୍ଟ ଦେଇଛି। ଯାହାକି ପୁଣିଥରେ ବାତ୍ୟା ଆଶଙ୍କା ସୃଷ୍ଟି କରିଛି। ବଙ୍ଗୋପସାଗରରେ ଏବେ ଆଉ ଏକ ଘୂର୍ଣ୍ଣି ଝଡ଼ ସୃଷ୍ଟି ହୋଇପାରେ। ଯଦି ଏହା ଆଗକୁ ବଢ଼ିବ ତାହେଲେ ତାମିଲନାଡୁ ଏବଂ ପୁଡୁଚେରୀ ଆଡକୁ ଯାଇ ଡିସେମ୍ବର ୨ରେ ଉପକୂଳ ଆଡ଼କୁ ଅଗ୍ରସର ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି।
"ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବାପରେ କେନ୍ଦ୍ରୀଭୂତ ହେବ। ଏହାପରେ ପଶ୍ଚିମ ଆଡ଼କୁ ଆହୁରି ତୀବ୍ର ହୋଇ ୨ ଡିସେମ୍ବରରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି"।
ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ନିଭାର ବୁଧବାର ବିଳିମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କରିଥିଲା। ଲ୍ୟାଣ୍ଡଫଲ କରିବା ବେଳେ ଏହା ଅତିଭୀଷଣ ରୂପ ଧାରଣ କରିଥିଲା। ଲ୍ୟାଣ୍ଡଫଲ ପ୍ରକ୍ରିୟା ରାତି ୧୧.୧୫ରୁ ଆରମ୍ଭ ହୋଇ ରାତି ୨.୩୦ ଯାଏ ଚାଲିଥିଲା। ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟାପ୍ରତି ବେଗ ୧୧୦ରୁ ୧୩୦ କିମି ଓ ସର୍ବାଧିକ ଏହା ୧୪୫ କିମି ଛୁଇଁଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ କହିଥିଲା।