ସେନାର କଡ଼ା ଚେତାବନୀ: କଶ୍ମୀରରେ ଯିଏ ବନ୍ଧୁକ ଧରିବ, ସେ ମରିବ

ନୂଆଦିଲ୍ଲୀ: କଶ୍ମୀରରେ ଯିଏ ବନ୍ଧୁକ ଧରିବ, ତାକୁ ମାରି ଦିଆଯିବ। ମଙ୍ଗଳବାର ସେନା ପକ୍ଷରୁ ଦିଆଯାଇଛି ଏମିତି ଚେତାବନୀ। ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହେବା ପରେ ଆଜି କୋର୍ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ୍ କେଜେଏସ୍‌ ଢିଲୋଁନ୍ ଏକ ସାମ୍ବାଦିକ ସମ୍ମିଳନୀରେ ଏ କଥା କହିଛନ୍ତି। ସେ କହିଛନ୍ତି, ଆତଙ୍କବାଦୀମାନଙ୍କୁ ସେମାନଙ୍କ ମା’ମାନେ ଆତ୍ମସମର୍ପଣ କରିବାକୁ କୁହନ୍ତୁ। ନ ହେଲେ ସେନା ବାଧ୍ୟ ହୋଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

indiaarmy

Jitendra Garnayak
  • Published: Tuesday, 19 February 2019
  • , Updated: 19 February 2019, 12:52 PM IST

ନୂଆଦିଲ୍ଲୀ: କଶ୍ମୀରରେ ଯିଏ ବନ୍ଧୁକ ଧରିବ, ତାକୁ ମାରି ଦିଆଯିବ। ମଙ୍ଗଳବାର ସେନା ପକ୍ଷରୁ ଦିଆଯାଇଛି ଏମିତି ଚେତାବନୀ।

ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍ ଯବାନ ସହିଦ ହେବା ପରେ ଆଜି କୋର୍ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ୍ କେଜେଏସ୍‌ ଢିଲୋଁନ୍ ଏକ ସାମ୍ବାଦିକ ସମ୍ମିଳନୀରେ ଏ କଥା କହିଛନ୍ତି।

ସେ କହିଛନ୍ତି, ଆତଙ୍କବାଦୀମାନଙ୍କୁ ସେମାନଙ୍କ ମା’ମାନେ ଆତ୍ମସମର୍ପଣ କରିବାକୁ କୁହନ୍ତୁ। ନ ହେଲେ ସେନା ବାଧ୍ୟ ହୋଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

ଢିଲୋଁନ କହିଛନ୍ତି,“କଶ୍ମୀରରେ ସାମାଜିକ ପରମ୍ପରା ଯାହା, ସେଥିରେ ମା’ମାନଙ୍କର ପ୍ରମୁଖ ଭୂମିକା ଥାଏ। ତେଣୁ କଶ୍ମୀରର ଯେଉଁ ସବୁ ଯୁବକମାନେ ଆତଙ୍କବାଦୀ ହୋଇଯାଇଛନ୍ତି, ସେମାନଙ୍କ ମା’ମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ସେମାନେ ସେମାନଙ୍କ ପିଲାମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହନ୍ତୁ। ଯଦି ସେମାନେ ଆତ୍ମସମର୍ପଣ ନ କରିବେ, ତା’ହେଲେ ସେମାନଙ୍କୁ ମାରି ଦିଆଯିବ। ଯିଏ ବି ବନ୍ଧୁକ ଧରିବ ତାକୁ ମାରି ଦିଆଯିବ।”

ସେନାର ଏହି ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗତ ସପ୍ତାହରେ ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ରହିଛି। ଆଇଏସ୍‌ଆଇ ଓ ଜୈଶ୍‌-ଇ-ମହମ୍ମଦର କମାଣ୍ଡରମାନେ ଏହି ଆକ୍ରମଣର ଷଡ଼ଯନ୍ତ୍ର ରଚିଥିଲେ।

ଏହା ସହିତ ସେ କହିଛନ୍ତି ଯେ ଆତଙ୍କବାଦକୁ ସଫା କରିବା ଉପରେ ଆମେ ଗୁରୁତ୍ୱ ଦେଉଛୁ। ତେଣୁ ଯିଏ ବି କଶ୍ମୀରରେ ପଶିବ ସେ ଜୀବିତ ଫେରି ପାରିବ ନାହିଁ। ପୁଲୱାମାରେ ଆକ୍ରମଣ ହେବାର ୧୦୦ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଆମେ କଶ୍ମୀରରେ ଥିବା ଜୈଶ୍‌ର ପ୍ରମୁଖ କମାଣ୍ଡରଙ୍କୁ ନିପାତ କରିଛୁ।
ପୁଲ୍‌ୱାମାରେ ଆତଙ୍କବାଦୀମାନେ ଯେଉଁ ଭଳି ଢଙ୍ଗରେ ଆତ୍ମଘାତୀ ଆକ୍ରମଣ କଲେ, ତାର ମୁକାବିଲା ପାଇଁ ସେନା ପାଖରେ ବହୁତ ବିକଳ୍ପ ଅଛି ବୋଲି କୋର୍ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ୍ କେଜେଏସ୍‌ ଢିଲୋଁନ୍ କହିଛନ୍ତି।

ସେ କହିଛନ୍ତି, ଲମ୍ବା ସମୟ ବ୍ୟବଧାନରେ କଶ୍ମୀରରେ କାର୍‌ରେ ବୋମା ରଖି ଆକ୍ରମଣ କରାଯାଇଛି। ତେବେ ଏଭଳି ଆକ୍ରମଣର ମୁକାବିଲ କରିବାକୁ ସେନା ପ୍ରସ୍ତୁତ ରହିଛି।

ସୂଚନାଯୋଗ୍ୟ, ସୋମବାର ସେନାର କାର୍ଯ୍ୟାନୁଷ୍ଠାନରେ ଜୈଶ୍‌-ଇ-ମହମ୍ମଦର ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ଅବଦୁଲ ରଶିଦ ଗାଜି ମଧ୍ୟ ରହିଛି। ଗାଜି ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି।

Related story