ନୂଆଦିଲ୍ଲୀ: ମଙ୍ଗଳବାର ଲୋକସଭାରେ ପୁଣି ଇତିହାସ ରଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର। ଜମ୍ମୁକଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଏବଂ ଭାରତଠାରୁ ଏକ ପ୍ରକାର ଅଲଗା କରି ରଖୁଥିବା ଧାରା ୩୭୦ର ଉଚ୍ଛେଦ ସଂକଳ୍ପ ରାଜ୍ୟସଭା ପରେ ଲୋକସଭାରେ ମଧ୍ୟ ସଫଳତାର ସହିତ ପାରିତ ହୋଇଛି। ଏଥିପାଇଁ ହୋଇଥିବା ଭୋଟିଂରେ ସଂକଳ୍ପର ସପକ୍ଷରେ ୩୫୧ ଭୋଟ୍ ମିଳିଥିବା ବେଳେ ଏହା ବିରୋଧରେ ଯାଇଥିଲା ୭୨ଟି ଭୋଟ୍। ଅନ୍ୟପକ୍ଷରେ, ଜମ୍ମୁକଶ୍ମୀରକୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ଆଗତ ବିଲ୍ ୩୭୦ଟି ଭୋଟ୍ ପାଇଥିବା ବେଳେ ୭୦ଟି ଭୋଟ୍ ବିଲ୍ ବିରୋଧରେ ପଡ଼ିଥିଲା। ସୋମବାର ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇଥିଲା।
ଏହି ବିଲ୍ ପାରିତ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩୦ କୋଟି ଭାରତୀୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି , “ଆମେ ଏକାଠି ଅଛୁ, ଆମେ ଏକାଠି ବଢ଼ିବା ଏବଂ ଏକାଠି ୧୩୦ କୋଟି ଭାରତୀୟଙ୍କ ସ୍ୱପ୍ନ ପୂରଣ କରିବା। ଏହା ଏକ ଐତିହାସିକ ମୁହୂର୍ତ୍ତ ଥିଲା। ଆଶାତୀତ ସମର୍ଥନ ପାଇ ପାରିତ ହୋଇଥିବା ଏହି ବିଲ୍ ଜମ୍ମୁ, କଶ୍ମୀର ଏବଂ ଲଦାଖକୁ ସଶକ୍ତ କରିବା ପାଇଁ ଉଦ୍ଦିଷ୍ଟ। ଏହା ଯୁବକମାନଙ୍କୁ ମୁଖ୍ୟସ୍ରୋତକୁ ଆଣିବ ଏବଂ ସେମାନଙ୍କ କୌଶଳ ଓ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ସୁଯୋଗ ଦେବ। ସ୍ଥାନୀୟ ଭିତ୍ତିଭୂମିରେ ଉଲ୍ଲେଖନୀୟ ପ୍ରଗତି ହେବ।”
ଏହି ଭୋଟିଂ ପରେ ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରହିଛି। ଏହି ଅଧିବେଶନ ଜୁନ୍ ୧୭ରେ ଆରମ୍ଭ ହୋଇଥିଲା ଏବଂ ଜୁଲାଇ ୨୬ରେ ସରିବାର ଥିଲା। କିନ୍ତୁ ପରେ ସରକାର ଅଗଷ୍ଟ ୭ ଯାଏ ଏହାର ଅବଧି ବଢ଼ାଇଥିଲେ।
ଏହି ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଥିଲେ ଯେ, ସରକାର ଦେଶର କଲ୍ୟାଣ ପାଇଁ ନିଷ୍ପତ୍ତି ନେବା କ୍ଷେତ୍ରରେ ପଛକୁ ହଟିବେ ନାହିଁ। କଶ୍ମୀର ଘାଟିରେ ଶାନ୍ତି ପ୍ରତିଷ୍ଠା କରିବା ଓ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ଏ ସରକାରଙ୍କ ଉଦ୍ଦେଶ୍ୟ। ଶାହ ଆହୁରି ମଧ୍ୟ କହିଥିଲେ, “ସାରା ଦିନର ବିତର୍କ ପରେ କେହି ଜଣେ ସଦସ୍ୟ ଧାରା ୩୭୦ର ଲାଭ ବିଷୟରେ କହିନାହାନ୍ତି, କାରଣ ୩୭୦ରୁ କୌଣସି ଲାଭ ମିଳୁନଥିଲା। ଧାରା ୩୭୦ ଯୋଗୁ ଜମ୍ମୁ ଓ କଶ୍ମୀରର ଜନତାଙ୍କୁ କୌଣସି ଲାଭ ମିଳୁନଥିଲା। ବରଂ ଏହି ଧାରା କାରଣରୁ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରୁ ନଥିଲା। ଏହି ଧାରା ମହିଳା ବିରୋଧୀ, ଗରିବ ବିରୋଧୀ, ଆଦିବାସୀ ବିରୋଧୀ। ଏହି ଧାରା ଯୋଗୁ ଜମ୍ମୁ କଶ୍ମୀରରେ ଗଣତନ୍ତ୍ରର ପ୍ରତିଷ୍ଠା ସମ୍ପୂର୍ଣ୍ଣ ହୋଇପାରିନାହିଁ।
ଶ୍ରୀ ଶାହ ଆହୁରି ମଧ୍ୟ କହିଥିଲେ ଯେ କଶ୍ମୀରର ଲୋକମାନେ ଆମର, ଆମେ ସେମାନଙ୍କୁ କୋଳେଇ ନେବୁ। ଯଦି ସେମାନଙ୍କ ମନରେ କୌଣସି ସନ୍ଦେହ ରହିଛି ତା’ହେଲେ ଆମେ ଆଲୋଚନା କରିବୁ। କିନ୍ତୁ ପାକିସ୍ତାନ ସହିତ ସମ୍ପର୍କରେ ଥିବା ଲୋକଙ୍କ ସହିତ କୌଣସି ଆଲୋଚନା ହେବ ନାହିଁ, ହୁରିୟତ ନେତାଙ୍କ ସହ କୌଣସି ଆଲୋଚନା ହେବ ନାହିଁ।
କଶ୍ମୀର ପ୍ରସଙ୍ଗ ମିଳିତ ଜାତିସଂଘର ମନିଟରିଂରେ ଥିବା କଥା ବିରୋଧୀ ଦଳ ପକ୍ଷରୁ କୁହାଯିବାର ଜବାବରେ ଶ୍ରୀ ଶାହ କହିଥିଲେ ଯେ ଏ ସମ୍ପର୍କରେ କୌଣସି ମାମଲା ପଡ଼ି ରହିନାହିଁ ଏବଂ ଜାମ୍ମୁ ଓ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ। ଭାରତର ସୀମା ଭିତରେ କୌଣସି ନିଷ୍ପତ୍ତି ନେବା ଲାଗି ସଂସଦ ନିକଟରେ କ୍ଷମତା ରହିଛି। ପ୍ରଧାନମନ୍ତ୍ରୀ ମୋଦି ସଦନରେ ପ୍ରବେଶ କରିବା ସମୟରେ ସାଂସଦମାନେ ତାଙ୍କୁ ବିପୁଳ ଅଭିବାଦନ ସହ ସ୍ୱାଗତ କରିବାକୁ ନେଇ ବିରୋଧୀ ଦଳ ପକ୍ଷରୁ ଯେଉଁ ଆପତ୍ତି ଉଠିଥିଲା ସେ ସମ୍ପର୍କରେ ଶ୍ରୀ ଶାହ କହିଥିଲେ ଯେ ୭୦ ବର୍ଷର ଯନ୍ତ୍ରଣା ଦୂର ହୋଇଥିବା କାରଣରୁ ଆନନ୍ଦର ଏଭଳି ଅଭିବ୍ୟକ୍ତି ସ୍ୱାଭାବିକ।
ଜମ୍ମୁକଶ୍ମୀର ଦେଶର ଅନ୍ୟ ରାଜ୍ୟ ଭଳି ବିକଶିତ କାହିଁକି ହୋଇପାରିଲା ନାହିଁ ବୋଲି ପ୍ରଶ୍ନ କରି ଶ୍ରୀ ଶାହ କହିଥିଲେ ଯେ ରାଜନୀତିକ ସ୍ୱାର୍ଥ ପାଇଁ ଯୁବକମାନଙ୍କୁ ଉପଯୋଗ କରାଯାଉଛି। ରାଜ୍ୟର କେବଳ ତିନୋଟି ପରିବାର ଏହି ପାଣ୍ଠିରୁ ବ୍ୟକ୍ତିଗତ ଲାଭ ପାଉଛନ୍ତି। ବିଲକୁ ବିରୋଧ କରୁଥିବା ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ଶାହ କହିଥିଲେ ଯେ ହୋହଲ୍ଲା କରିବା ବଦଳରେ ୩୭୦ ଦେଶର କେତେ କ୍ଷତି କରିଛି ତା’ ଉପରେ ଆଲୋଚନା କରାଯିବା ଆବଶ୍ୟକ।
ଶ୍ରୀ ଶାହ କହିଥିଲେ ଯେ ଧାରା ୩୭୦କୁ ଉଚ୍ଛେଦ କରାଯିବା ପରେ ଜାମ୍ମୁ-କାଶ୍ମୀରରେ ଘରୋଇ ନିବେଶର ମାର୍ଗ ଖୋଲିବ। ଫଳରେ ବିକାଶ ସମ୍ଭାବନା ବୃଦ୍ଧି ପାଇବ। ନିବେଶରୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ରାଜ୍ୟର ସାମାଜିକ, ଆର୍ଥିକ ଏବଂ ମୌଳିକ ଭିତ୍ତିଭୂମିରେ ସୁଧାର ଆସିବ। ସେ କହିଥିଲେ ଯେ ଶିଳ୍ପ ବିକାଶ ଲାଗି ବ୍ୟକ୍ତିବିଶେଷ ଏବଂ ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ନିବେଶ କରିବେ। ଫଳରେ ସ୍ଥାନୀୟ ଅର୍ଥବ୍ୟବସ୍ଥା ଅଭିବୃଦ୍ଧି ହାସଲ କରିବ। ଏହି ବିଲ ଉପରେ ଐତିହାସିକ ନିଷ୍ପତ୍ତି ଲାଗି ସମସ୍ତ ସଦସ୍ୟ ଏକଜୁଟ ହେବାକୁ ସେ ଆହ୍ୱାନ କରିଥିଲେ।