ନୂଆଦିଲ୍ଲୀ: ଦେଶରେ ଅସହିଷ୍ଣୁତା ନାହିଁ। ଅସହିଷ୍ଣୁତା ଏକ ରାଜନୈତିକ ପ୍ରସଙ୍ଗ। ତେବେ ଯେତେ ଦିନ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ଦେଶର ନ୍ୟାୟିକ ବ୍ୟବସ୍ଥାକୁ ବଜାୟ ରଖିଛନ୍ତି ସେତେ ଦିନ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଦେଶବାସୀ ଭୟଭୀତ ହେବା ଆବଶ୍ୟକ ନାହିଁ। ଏ କଥା କହିଛନ୍ତି ସୁପ୍ରିମକୋର୍ଟର ନୂଆ ବିଚାରପତି ଟି.ଏସ୍ ଠାକୁର।
ଦେଶର ମୁଖ୍ୟ ବିଚାରପତି କହିଛନ୍ତି ଯେ ସେ ଏମିତି ଏକ ସଂସ୍ଥାନର ନେତୃତ୍ୱ ନେଉଛନ୍ତି ଯାହା ଆଇନର ଶାସନକୁ ସୁନିଶ୍ଚିତ କରେ। ଆଉ ଯେତେ ଦିନ ପର୍ଯ୍ୟନ୍ତ ଆଇନ୍ ରହିଛି ଓ ନ୍ୟାୟପାଳିକାର ସ୍ୱାଧୀନତା ଅକ୍ଷୁର୍ଣ୍ଣ ରହିଛି ସେତେ ଦିନ ଯାଏଁ ଦେଶର ସମସ୍ତ ନାଗରିକଙ୍କ ଅଧିକାର ସୁରକ୍ଷିତ ରଖିବାକୁ ସେମାନେ ସକ୍ଷମ ହେବେ।
ଦେଶବାସୀଙ୍କୁ ଏହି ଭରସା ଦେବା ସହିତ ମୁଖ୍ୟ ବିଚାରପତି ଟି.ଏସ୍ ଠାକୁର କହିଛନ୍ତି ଯେ ଲୋକେ ପରସ୍ପରକୁ ଭଲ ପାଆନ୍ତୁ। ଭେଦଭାବ ଛାଡ଼ି ମିଳିମିଶି ସମସ୍ତେ ରୁହନ୍ତୁ।
ସେହିଭଳି ପ୍ରଦୂଷଣ ପ୍ରସଙ୍ଗରେ ମୁଖ୍ୟ ବିଚାରପତି କହିଛନ୍ତି ଯେ ସୁପ୍ରିମକୋର୍ଟର ବିଚାରପତିମାନଙ୍କ କାରଗୁଡ଼ିକୁ ପୁଲିଂ ସିଷ୍ଟମରେ ଚଲାଯିବା ଉଚିତ୍। ଏହା ଦ୍ୱାରା ଲୋକଙ୍କ ନିକଟକୁ ଠିକଣା ବାର୍ତ୍ତା ଯିବ। ଏହା କୌଣସି ତ୍ୟାଗ ନୁହେଁ ବରଂ ଲୋକଙ୍କୁ ପ୍ରୋତ୍ସାହିତ କରିବାର ଏକ ମାଧ୍ୟମ। ମୁଖ୍ୟ ବିଚାରପତି ପ୍ରଦୂଷଣ ମାମଲାରେ ତାଙ୍କର ପ୍ରସ୍ତାବିତ ଫର୍ମୂଲାକୁ ସମର୍ଥନ କରିଥିବାରୁ ଭାରି ଖୁସି ପ୍ରକଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ତା’ସହିତ ସେ ମୁଖ୍ୟ ବିଚାରପତିଙ୍କୁ ଧନ୍ୟବାଦ ଦେଇଛନ୍ତି।