ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଭେଟଘାଟ ବେଳେ ମମତା ଏନଆରସି ପ୍ରସଙ୍ଗରେ ଶାହଙ୍କ ସହ କଥା ହୋଇଛନ୍ତି। ଆସାମରେ ପ୍ରକାଶ ପାଇଥିବା ଏନଆରସି ତାଲିକାରୁ ଅନେକ ଭୋଟର ବାଦ୍ ପଡ଼ିଥିବା ନେଇ ଶାହଙ୍କ ଆଗରେ କହିଛନ୍ତି ମମତା। ଏନଆରସି ତାଲିକାରୁ ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କୁ ପୁଣି ଥରେ ପରୀକ୍ଷା କରାଇ ଯୋଗ୍ୟ ଲୋକଙ୍କୁ ତାଲିକାରେ ସ୍ଥାନ ଦେବାକୁ ମମତା ନିବେଦନ କରିଛନ୍ତି। ଯେଉଁମାନେ ଏନଆରସି ତାଲିକାରୁ ବାଦ୍ ପଡ଼ିଛନ୍ତି ସେମାନେ ସମସ୍ତେ ବେଙ୍ଗଲୀ, ହିନ୍ଦୀ, ଗୋରଖା ଏବଂ ଆସାମୀ ଭାଷା ଜାଣନ୍ତି ବୋଲି କହିଥିଲେ ଦିଦି।
ବୈଠକ ଶେଷ ହେବାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମମତା କହିଛନ୍ତି ମୁଁ ଆସାମର ଏନଆରସି ବାବଦରେ ଆଲୋଚନା କରିବାକୁ ଆସିଥିଲି, ପଶ୍ଚିମବଙ୍ଗର ନୁହେଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ମମତା ହଠାତ୍ ମୋଦି ଓ ଶାହଙ୍କୁ ଭେଟିବା ରାଜନୀତିକ ପାଣିପାଗରେ ପରିବର୍ତ୍ତନ ହୋଇଥିବା କୁହାଯାଉଛି। ପଶ୍ଚିମବଙ୍ଗରେ ବିଜେପି ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ହିଂସା ଘଟଣା ଏବେ ଶାନ୍ତ ହୋଇଛି। ନିର୍ବାଚନ ପରେ ବି ଉଭୟ ଦଳର କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ଲାଗି ରହିଥିଲା। ସାଧାରଣ ନିର୍ବାଚନ ବେଳେ ଶାହ, ଯୋଗୀ ଆଦିତ୍ୟନାଥଙ୍କ ଭଳି ବିଜେପି ନେତାଙ୍କ ହେଲିକପ୍ଟର ପଶ୍ଚିମବଙ୍ଗରେ ଓହ୍ଲାଇବାକୁ ଦେଇନଥିଲେ ମମତା। ଯାହାକୁ ନେଇ ମମତା ସରକାରକୁ ବିଜେପି କଡ଼ା ସାମଲୋଚନା କରିଥିଲା।