ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ଜନ୍ମଭୂମି-ବାବରୀ ମସଜିଦ ବିବାଦର ଅନ୍ତିମ ପର୍ଯ୍ୟାୟ ଶୁଣାଣି ଆଜିଠାରୁ ସୁପ୍ରିମକୋର୍ଟରେ ଆରମ୍ଭ ହେବାର ସମ୍ଭାବନା ରହିଛି। ପ୍ରଧାନ ବିଚାରପତି ଦୀପକ ମିଶ୍ରା, ବିଚାରପତି ଅଶୋକ ଭୂଷଣ ଏବଂ ବିଚାରପତି ଅବଦୁଲ ନଜିରଙ୍କୁ ନେଇ ଗଠିତ ବିଶେଷ ପୀଠ ଆଲାହାବାଦ ହାଇକୋର୍ଟଙ୍କ ୨୦୧୦ ନିଷ୍ପତ୍ତି ଉପରେ ଦାଏର ୧୩ଟି ଆବେଦନର ଶୁଣାଣି କରିବେ। ଆସନ୍ତୁ ଜାଣିବା ରାମ ଜନ୍ମଭୂମି ଓ ବାବରୀ ମସଜିଦ ବିବାଦକୁ ନେଇ ଥିବା ଘଟଣା କ୍ରମ ସମ୍ପର୍କରେ।
ହାଇକୋର୍ଟ ବିବାଦୀୟ ଜମିକୁ ୩ ଭାଗରେ ବାଣ୍ଟିଥିଲେ
ଆଲାହାବାଦ ହାଇକୋର୍ଟ ନିଜ ରାୟରେ ୨.୨୭ ଏକରର ଏହି ବିବାଦୀୟ ଜମିକୁ ୩ ପକ୍ଷ ସୁନ୍ନି ୱାକଫ୍ ବୋର୍ଡ, ନିର୍ମୋହି ଆଖଡା ଓ ଭଗବାନ ରାମ ଲିଲାଙ୍କ ମଧ୍ୟରେ ବାଣ୍ଟିବାକୁ ଆଦେଶ ଦେଇଥିଲେ। ଏହି ସମୟରେ ଉତ୍ତର ପ୍ରଦେଶର ସେଣ୍ଟାଲ ସିହା ୱାକଫ୍ ବୋର୍ଡ ବିବାଦର ସମାଧାନ ପାଇଁ ପ୍ରୟାସ କରିବା ସହ ନ୍ୟାୟାଳୟରେ ଅଯୋଧ୍ୟାର ବିବାଦୀୟ ସ୍ଥଳରୁ କିଛି ଦୂରରେ ମୁସଲମାନ ବହୁଳ ଅଞ୍ଚଳରେ ସମଜିଦ ନିର୍ମାଣ କରାଯିବାକୁ କହିଥିଲା।
୧୯୯୨ରେ ଭଙ୍ଗା ଯାଇଥିଲା ବିବାଦୀୟ ସ୍ଥଳ
ସିହା ୱାକଫ୍ ବୋର୍ଡର ଏହି ହସ୍ତକ୍ଷେପକୁ ଅଖିଳ ଭାରତୀୟ ସୁନ୍ନି ୱାକଫ୍ ବୋର୍ଡ ବିରୋଧ କରିଥିଲା। ସୁନ୍ନି ବୋର୍ଡ ଦାବି କରୁଛି, ଦୁଇ ସମୁଦାୟ ମଧ୍ୟରେ ୧୯୪୬ରେ ଏହାକୁ ମହଜିଦ ଘୋଷଣା କରାଯିବା ସହ ନ୍ୟାୟିକ ଫଇସାଲା ହୋଇସାରିଥିଲା, ଯାହାକୁ ୧୯୯୨ ଡିସେମ୍ବର ୬ ତାରିଖରେ ଭାଙ୍ଗି ଦିଆଯାଇଥିଲା। ଏହା ସୁନ୍ନି ସମୁଦାୟର।
ନିକଟରେ ଏକ ମାନବାଧିକାର ସଂଗଠନ ଏହି ମାମଲାରେ ହସ୍ତକ୍ଷେପ କରି ସୁପ୍ରିମକୋର୍ଟରେ ଆବେଦନ କରି କହିଛନ୍ତି, ଏହା କେବଳ ସମ୍ପତ୍ତି ବିବାଦ ନୁହେଁ, ଏହାର ଅନ୍ୟ ଦିଗ ମଧ୍ୟ ରହିଛି ଯାହା ଦେଶର ଧର୍ମନୀରପେକ୍ଷତା ଉପରେ ପ୍ରଭାବ ପକାଇବ।
ଯୋଗୀ ସରକାର ଇଂରାଜୀରେ ଅନୁବାଦ କଲେ ଦଲିଲ
ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଉତ୍ତରପ୍ରଦେଶର ଯୋଗୀ ସରକାର ସମସ୍ତ କାଗଜପତ୍ର ଇଂରାଜୀରେ ଅନୁବାଦ କରିଛନ୍ତି। ଏହାକୁ ସରକାର ଦଲିଲର ଆଧାର କରିପାରେ। ଏହି ଦଲିଲ ୮ଟି ଭାଷାରେ ରହିଛି।
ୟୁପି ସରକାରଙ୍କୁ ମଗା ଯାଇଥିଲା ସାକ୍ଷ୍ୟଙ୍କ ଦସ୍ତାବିଜ
ସୁପ୍ରିମକୋର୍ଟ ଗତ ଅଗଷ୍ଟ ୧୧ ତାରିଖରେ ୟୁପି ସରକାରଙ୍କୁ ୧୦ ସପ୍ତାହ ମଧ୍ୟରେ ହାକୋର୍ଟରେ ମାଲିକାନା ସମ୍ବନ୍ଧିତ ବିବାଦରେ ଥିବା ସାକ୍ଷ୍ୟଙ୍କ ଅନୁବାଦ ପୂରା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନ୍ୟାୟାଳୟ ସ୍ପଷ୍ଟ କରିଥିଲେ ସେ ମାମଲାର ଦିୱାନୀ ଅପିଲ ଛଡା ଅନ୍ୟ କୌଣସି ଦିଗକୁ ଅନୁମତି ଦେବେ ନାହିଁ ଓ ଉଚ୍ଚ ନ୍ୟାୟାଳୟ ଦ୍ୱାରା ନିଆଯାଇଥିବା ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯିବ।