ଓହରିଗଲେ ଜଷ୍ଟିସ୍‌ ୟୁୟୁ ଲଳିତ, ଅଯୋଧ୍ୟା ମାମଲାର ଶୁଣାଣି ପୁଣି ଘୁଞ୍ଚିଲା

ନୂଆଦିଲ୍ଲୀ: ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍‌ ବିବାଦ ମାମଲାର ଶୁଣାଣି ପୁଣି ଥରେ ସୁପ୍ରିମକୋର୍ଟରେ ହୋଇପାରି ନାହିଁ। ଆଜି ମାମଲାର ଶୁଣାଣି ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ହେବାକୁ ଥିବା ବେଳେ ଏହାକୁ ଜାନୁଆରୀ ୨୯ ଯାଏ ଘୁଞ୍ଚାଇ ଦିଆଯାଇଛି। ସାମ୍ବିଧାନିକ ଖଣ୍ଡପୀଠରେ ରହିଥିବା ଜଷ୍ଟିସ୍‌ ୟୁୟୁ ଲଳିତଙ୍କୁ ନେଇ ବରିଷ୍ଠ ଓକିଲ ରାଜୀବ ଧାବନ ପ୍ରଶ୍ନ ଉଠାଇବାରୁ ଅଯୋଧ୍ୟା ମାମଲରା ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। ଜଷ୍ଟିସ୍‌ ୟୁୟୁ ଲଳିତ ଅଯୋଧ୍ୟା ବିବାଦ ସହ ଜଡ଼ିତ ମାମଲାରେ ପୂର୍ବରୁ […]

aaa

Jitendra Garnayak
  • Published: Thursday, 10 January 2019
  • , Updated: 10 January 2019, 02:32 PM IST

ନୂଆଦିଲ୍ଲୀ: ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍‌ ବିବାଦ ମାମଲାର ଶୁଣାଣି ପୁଣି ଥରେ ସୁପ୍ରିମକୋର୍ଟରେ ହୋଇପାରି ନାହିଁ। ଆଜି ମାମଲାର ଶୁଣାଣି ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ହେବାକୁ ଥିବା ବେଳେ ଏହାକୁ ଜାନୁଆରୀ ୨୯ ଯାଏ ଘୁଞ୍ଚାଇ ଦିଆଯାଇଛି।

ସାମ୍ବିଧାନିକ ଖଣ୍ଡପୀଠରେ ରହିଥିବା ଜଷ୍ଟିସ୍‌ ୟୁୟୁ ଲଳିତଙ୍କୁ ନେଇ ବରିଷ୍ଠ ଓକିଲ ରାଜୀବ ଧାବନ ପ୍ରଶ୍ନ ଉଠାଇବାରୁ ଅଯୋଧ୍ୟା ମାମଲରା ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। ଜଷ୍ଟିସ୍‌ ୟୁୟୁ ଲଳିତ ଅଯୋଧ୍ୟା ବିବାଦ ସହ ଜଡ଼ିତ ମାମଲାରେ ପୂର୍ବରୁ ଓକିଲ ଭାବେ କାର୍ଯ୍ୟ କରୁଥିଲେ। ତେଣୁ ସେ ଏହାର ଶୁଣାଣି କରିବା ଠିକ୍‌ ହେବ ନାହିଁ ବୋଲି ଅଭିଯୋଗ ହୋଇଥିଲା। ଏଭଳି ଆପତ୍ତି ଉଠିବାରୁ ଜଷ୍ଟିସ୍‌ ଲଳିତ୍ ନିଜ ଆଡ଼ୁ ଖଣ୍ଡପୀଠରୁ ଓହରି ଯାଇଛନ୍ତି। ଫଳରେ ପୁଣିଥରେ ଏକ ନୂଆ ଖଣ୍ଡପୀଠ ଗଠନ ହେବ।

ଖଣ୍ଡପୀଠର ଅଧ୍ୟକ୍ଷତା କରୁଥିବା ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଛନ୍ତି, “ମାମଲାର ପରବର୍ତ୍ତୀ ଶୁଣାଣି ନୂଆ ଖଣ୍ଡପୀଠରେ ଆସନ୍ତା ଜାନୁଆରୀ ୨୯ରେ କରାଯିବ। ଏହା ପୂର୍ବରୁ ନୂଆ ଖଣ୍ଡପୀଠ ସମ୍ପର୍କରେ ଅବଗତ କରାଯିବ। ଏହି ସମୟରେ ମାମଲାର ଚୂଡ଼ାନ୍ତ ଶୁଣାଣିର ରୂପରେଖ କ’ଣ ହେବ ତା’ହା ସ୍ଥିର କରାଯିବ।”

ଜଷ୍ଟିସ୍‌ ୟୁୟୁ ଲଳିତ ଖଣ୍ଡପୀଠରୁ ଓହରି ଯାଇଥିବାରୁ ଏବେ ଏଥିରେ ଜଷ୍ଟିସ୍‌ ଏସ୍‌ଏ ବୋବଡେ, ଜଷ୍ଟିସ୍‌ ଏନ୍‌ଭି ରମଣ ଓ ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ରହିଛନ୍ତି।

ଦୀର୍ଘ ୬ ଦଶନ୍ଧି ଧରି କୋର୍ଟରେ ପଡ଼ି ରହିଥିବା ଏହି ମାମଲାରେ ସମୁଦାୟ ୧୮ହଜାର ୮୩୬ ପୃଷ୍ଠାର ଦସ୍ତାବିଜ ରହିଛି। ଏଥି ମଧ୍ୟରୁ ୨୦୧୦ରେ ହାଇକୋର୍ଟ ଦେଇଥିବା ରାୟ ସମ୍ପର୍କରେ ୪ହଜାର ୩୦୪ ପୃଷ୍ଠାର ଦସ୍ତାବିଜ୍‌ ରହିଛି।

ଆଜିର ଶୁଣାଣି ଆରମ୍ଭ ହେବା କ୍ଷଣି ମୁସଲିମଙ୍କ ପକ୍ଷରୁ ଓକିଲ ରାଜୀବ ଧାବନ କହିଥିଲେ ଯେ ୧୯୯୪ରେ କଲ୍ୟାଣ ସିଂହ ସରକାରଙ୍କ ପକ୍ଷରୁ ଜଷ୍ଟିସ୍‌ ୟୁୟୁ ଲଳିତ କୋର୍ଟରେ ଓକିଲ ଭୂମିକା ତୁଲାଇ ଥିଲେ। ତେଣୁ ସେ ଶୁଣାଣି କରିପାରିବେ ତ?

ଏପରି କହି ସେ ତୁରନ୍ତ କ୍ଷମା ମଧ୍ୟ ମାଗିଥିଲେ। ହେଲେ ଜଷ୍ଟିସ୍‌ ଗୋଗୋଇ କହିଥିଲେ, ଆପଣ କେବଳ ତଥ୍ୟ ରଖିଛନ୍ତି। କ୍ଷମା କାହିଁକି ମାଗୁଛନ୍ତି?

ଏହି ସମୟରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ଖଣ୍ଡପୀଠରେ ଜଷ୍ଟିସ୍‌ ୟୁୟୁ ଲଳିତ ରହିଲେ, କୌଣସି ଆପତ୍ତି ନାହିଁ ବୋଲି କହିଥିଲେ। ତେବେ ଖଣ୍ଡପୀଠକୁ ନେଇ ପ୍ରଶ୍ନ ଉଠିବାରୁ ଜଷ୍ଟିସ୍‌ ୟୁୟୁ ଲଳିତ ନିଜ ଆଡୁ ହିଁ ଶୁଣାଣିରୁ ଓହରି ଯାଇଥିବା ଜଷ୍ଟିସ୍‌ ଗୋଗୋଇ ସୂଚନା ଦେଇଛନ୍ତି।

ଏହା ବ୍ୟତୀତ ଖଣ୍ଡପୀଠକୁ ନେଇ ମଧ୍ୟ ଆଉ ଥରେ ପ୍ରଶ୍ନ ଉଠାଇଥିଲେ ଓକିଲ ରାଜୀବ ଧାବନ। ସେ କହିଥିଲେ, ପୂର୍ବରୁ ମାମଲା ୩ ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହେଉଥିଲା। ହଠାତ୍‌ ଏହା ୫ ଜଣିଆ ଖଣ୍ଡପୀଠକୁ କାହିଁକି ଗଲା? ଏଥିସହ ୫ ଜଣିଆ ଖଣ୍ଡପୀଠ ଗଠନ ହେଉଛି ବୋଲି କୌଣସି ଆଇନ୍‌ଗତ ଆଦେଶ ମଧ୍ୟ ଜାରି କରାଯାଇନାହିଁ।

ଏହାର ଜବାବ ଦେଇ ଖଣ୍ଡପୀଠ କହିଥିଲେ, “କେଉଁ ମାମଲାରେ କେତେ ଜଣିଆ ଖଣ୍ଡପୀଠ ଓ ସାମ୍ବିଧାନିକ ଖଣ୍ଡପୀଠ ଗଠନ ହେବ, ସେ ସମ୍ପର୍କରେ ନିଷ୍ପତ୍ତି ନେବାର ଅଧିକାର ପ୍ରଧାନ ବିଚାରପତିଙ୍କ ପାଖରେ ରହିଛି।”

ଆହ୍ଲାବାଦ ହାଇକୋର୍ଟ ଅଯୋଧ୍ୟା ମାମଲାରେ ୨୦୧୦ରେ ଏକ ରାୟ ଦେଇଥିଲେ। ବିବାଦୀୟ ୨.୭୭ ଏକର ଜମିକୁ କୋର୍ଟ ସୁନ୍ନି ୱାକଫ ବୋର୍ଡ,ନିର୍ମୋହି ଆଖଡ଼ା ଓ ରାମ ଲଲ୍ଲାଙ୍କ ମଧ୍ୟରେ ସମାନ ୩ ଭାଗରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୧ରେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଇଥିଲେ। ତେବେ ଏହା ବିରୋଧରେ ୧୪ଟି ଆବେଦନ ସୁପ୍ରିମକୋର୍ଟରେ ହୋଇଛି।

ଅନ୍ୟପକ୍ଷରେ ବିଭିନ୍ନ ହିନ୍ଦୁ ସଂଗଠନ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ତୁରନ୍ତ ଅଧ୍ୟାଦେଶ ଆଣିବାକୁ ଦାବି କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ଗୁରୁତ୍ୱ ବହନ କରୁଥିବାରୁ ସମସ୍ତଙ୍କ ନଜର ଏହି ମାମଲା ଉପରେ ରହିଛି।

Related story