ନୂଆଦିଲ୍ଲୀ: ଦୁଇ ଜଣ ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍ ରାମ ରହିମଙ୍କୁ ପଞ୍ଚକୁଲା ସିବିଆଇ ସ୍ବତନ୍ତ୍ର କୋର୍ଟ ଶୁକ୍ରବାର ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। କିଏ କେତେ ପ୍ରକାର ମନ୍ତବ୍ୟ ଦେଉଛନ୍ତି। କିଏ ତାଙ୍କ ସପକ୍ଷରେ ମନ୍ତବ୍ୟ ଦେଉଥିବା ବେଳେ କିଏ ବିରୋଧରେ ମନ୍ତବ୍ୟ ଦେଉଛନ୍ତି। ହିନ୍ଦି ନ୍ୟୁଜ୍ ଚ୍ୟାନେଲ ‘ଆଜ୍ ତକ୍’କୁ ଏକ ସାକ୍ଷାତକାରରେ ଯୋଗ ଗୁରୁ ବାବା ରାମଦେବ, ବିବାଦୀୟ ବାବା ରାମ ରହିମଙ୍କ ସଂପର୍କରେ ନିଜର ମନ୍ତବ୍ୟ ଦେଇ
କହିଛନ୍ତି- “ଆଇନକୁ ସମସ୍ତେ ସମ୍ମାନ ଦେବା ଉଚିତ। ଯିଏ ଅପରାଧ କରି ନାହିଁ, ସେ ଡରିବା ଉଚିତ ନୁହେଁ। ଯିଏ ଅପରାଧ କରିବ ତାକୁ ଦଣ୍ଡ ଭୋଗିବାକୁ ପଡ଼ିବ। ସେଥିପାଇଁ ନିଜର ଆଚରଣ ବଦଳିବା ଉଚିତ।”
ସେ ଆହୁରି କହିଛନ୍ତି- “ପ୍ରତିବର୍ଷ ୨ରୁ ୩ ବର୍ଷ ଅନ୍ତରରେ କୌଣସି ନା କୌଣସି ସାଧୁ ସନ୍ଥଙ୍କର ନାଁରେ ଅଭିଯୋଗ ଆସୁଛି। ଅଭିଯୋଗ ଆସିଲେ କେହି ଅପରାଧୀ ହୋଇ ଯାଆନ୍ତି ନାହିଁ। କୌଣସି ଅଭିଯୁକ୍ତ ଉପରେ କୋର୍ଟ ୧୫ ବର୍ଷ ଧରି ବିଚାର କରିବା ପରେ ଯଦି ସେ ଦୋଷୀ ସାବ୍ୟସ୍ତ ହୁଏ ତେବେ ତା ସହ ଅପରାଧୀ ପରି ବ୍ୟବହାର କରିହେବ। ଯେ ଭୁଲ କାମ କରିବ ଆଇନ ତାକୁ ଦଣ୍ଡ ଦେବ।”
ରାମଦେବ କହିଛନ୍ତି- “ମୋ ନାଁରେ ମଧ୍ୟ ବିଭିନ୍ନ ଅଭିଯୋଗ ଆସିଛି ଓ ମାମଲା ରୁଜୁ ହୋଇଛି। ମୁଁ ସବୁ ଅଭିଯୋଗକୁ ସାମ୍ନା କରିଛି। ମୁଁ କେବେ ଆଇନକୁ ନିଜ ହାତକୁ ନେଇ ନାହିଁ କିମ୍ବା ମୋ ସମର୍ଥକଙ୍କୁ ନେବାକୁ ଦେଇନାହିଁ।”
ସେ କହିଛନ୍ତି,“ଧାର୍ମିକ ଅପରାଧ ଓ ରାଜନୈତିକ ଅପରାଧ ଦେଶକୁ ପଛକୁ ନେଇ ଯାଇଥାଏ। ଶୀର୍ଷ ସ୍ଥାନରେ ଥିବା ବ୍ୟକ୍ତି କୌଣସି ଭୁଲ କାମ କରିବା ଉଚିତ ନୁହେଁ। ଧମର୍ର ମୁଖା ପିନ୍ଧି ଏପରି କାମ କଲେ ଝଡ଼ ଆସିଯିବ।”
ସୂଚନାଯୋଗ୍ୟ ଯେ, ଗୁରମିତ୍ ରାମ ରହିମଙ୍କ ବିରୋଧରେ ଆଜି କୋର୍ଟ ଦଣ୍ଡ ଘୋଷଣା କରିବାର ଅଛି। ୨ ଜଣ ଅନୁଗାମୀଙ୍କୁ ଦୁଷ୍କର୍ମ ମାମଲାରେ ତାଙ୍କୁ କୋର୍ଟ ପୂର୍ବରୁ ଦୋଷୀ ସାବ୍ୟସ୍ତ କରି ସାରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଆଜି ରୋହତକ୍ ଜେଲ୍ ପରିସରରେ ହିଁ ବିଚାରପତି ଦଣ୍ଡ ଘୋଷଣା କରିବେ। ଏଥିପାଇଁ ସୈନ୍ୟ ଛାଉଣିରେ ପରିଣତ ହୋଇଛି ରୋହତକ ସହର।