ନୂଆଦିଲ୍ଲୀ: ଦିଲ୍ଲୀ ନିକଟ ତଥା ଉତ୍ତର ପ୍ରଦେଶର ଦାଦ୍ରି ନିକଟରେ ଗୋ-ମାଂସ ଖାଇବାକୁ ନେଇ ହିଂସା ଦେଖା ଦେଇଛି। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ଆକ୍ରମଣରେ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ଘଟିବା ସହ ଜଣେ ୫୦ ବର୍ଷିୟ ମହିଳା ଓ ଯୁବକ ଗୁରୁତର ହୋଇଛନ୍ତି। ବିଶେଷ କରି ଯୁବକ ଜଣଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରେ ସମ୍ପୃକ୍ତ ଗୋଷ୍ଠୀର ଯୁବକମାନେ ଗାଁର କିଛି ଲୋକଙ୍କୁ ମଧ୍ୟ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି। ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସ୍ଥାନୀୟ ଏସପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ମାଡ ମାରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯାଦବ କ୍ଷୋଭ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ଅର୍ଥରାଶି ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।