କୋଲକାତା: ଶେଷରେ ସିବିଆଇରେ ଆଜି ହାଜର ହୋଇଛନ୍ତି ଚିଟଫଣ୍ଡ୍ ସ୍କାମରେ ଛନ୍ଦି ହୋଇପଡ଼ିଥିବା କୋଲକାତାର ଆଇପିଏସ ଅଫିସର ରାଜୀବ କୁମାର। ପୂର୍ବରୁ ଅନେକ ଥର ସିବିଆଇ ରାଜୀବଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ସେ ଛୁଟିରେ ଥିବାରୁ ସେ ଆସିପାରି ନଥିଲେ ବୋଲି ଦର୍ଶାଇଛନ୍ତି। ଛୁଟି ସରିବା ପରେ ସେ ଆଜି ସିବିଆଇର କୋଲକାତା ସ୍ଥିତ ଅଫିସ ଆସି ଜେରାର ସାମ୍ନା କରୁଛନ୍ତି। ଏବେ ରାଜୀବ କୁମାର ପଶ୍ଚିମବଙ୍ଗ ସିଆଇଡିର ଅତିରିକ୍ତ ନିର୍ଦ୍ଦେଶକ ପଦବୀରେ ଅଛନ୍ତି।
ବହୁଚର୍ଚ୍ଚିତ ସାରଦା ଚିଟଫଣ୍ଡ ଘୋଟାଲାରେ ଏସଆଇଟି ତଦନ୍ତ ବେଳେ ରାଜୀବ କୁମାର ପ୍ରମାଣ ଓ ତଥ୍ୟ ନଷ୍ଟ କରିଥିବା ସିବିଆଇ ପ୍ରମାଣ ପାଇଛି। ଏହାପରେ ରାଜୀବ କୁମାର ଗିରଫ ହୋଇପାରନ୍ତି ବୋଲି ଆଶଙ୍କ କରାଯାଉଛି। ଏବେ ସିବିଆଇ ରାଜୀବଙ୍କ ବିରୋଧରେ ଲୁକ୍ ଆଉଟ ନୋଟିସ୍ ମଧ୍ୟ ଜାରି କରିସାରିଛି। ଏଥିସହିତ ଏସଆଇଟି ତଦନ୍ତ ବେଳେ ରାଜୀବଙ୍କ ଟିମରେ ଥିବା ଦୁଇ ସହଯୋଗୀ ଆଇପିଏସ ଅଫିସରଙ୍କୁ ମଧ୍ୟ ସିବିଆଇ ଜେରା ପାଇଁ ନୋଟିସ ପଠାଇଥିଲା। ସେଥି ମଧ୍ୟରୁ ଜଣେ ଆଇପିଏସ ଅଫିସର ସିବିଆଇ ଜେରାର ସମ୍ମୁଖୀନ ହୋଇ ସାରିଛନ୍ତି।