ପାଟଣା: ବିହାରର ବେଗୁସରାୟ ଜିଲ୍ଲାରେ କାର୍ତ୍ତିକ ପୂର୍ଣ୍ଣିମା ମେଳା ଚାଲିଥିବା ବେଳେ ଦଳାଚକଟା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ ଜଣ ଲୋକ ଆହତ ହୋଇଛନ୍ତି।
କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରୀ ପୂର୍ଣ୍ଣିମା ଓ ଗଙ୍ଗା ସ୍ନାନ ପୂର୍ଣ୍ଣିମା କୁହାଯାଇଥାଏ। ଏହି ଅବସରରେ ବେଗୁସରାୟର ସିମରିୟା ଘାଟରେ ଲକ୍ଷାଧିକ ଶ୍ରଦ୍ଧାଳୁ ଗଙ୍ଗାସ୍ନାନ କରିବାକୁ ଏକାଠି ହୋଇଥିଲେ।
ତେବେ ଜିଲ୍ଲା ଅଧିକାରୀ ଦଳାଚକଟା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହେବା ଯୋଗୁଁ ନିଶ୍ୱାସ ନେଇ ନପାରି ୭୫ ବର୍ଷର ଦୁଇଜଣ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସେ କହିଛନ୍ତି।
ଏପରି ଘଟଣାରେ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏଁ ଟଙ୍କାର ସହାୟତା ଘୋଷଣା କରିଛନ୍ତି।