ପାଟନା: ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏଥିରେ କମ୍ ସିଟ ମିଳିବାର ଆଶଙ୍କାରେ ବିଜେପି ନେତାମାନେ ଥିବା ବେଳେ ଦଳୀୟ ଅଧ୍ୟକ୍ଷ ଅମିତ ଶାହା ପାଟନାରେ ଏକ ସମ୍ବାଦିକ ସମ୍ମିଳନୀରେ ଦଳ ବହୁମତ ପାଇବ ବୋଲି ଦାବି କରିଛନ୍ତି । ସେ କହିଛନ୍ତି, ବିହାର ଦୁଇଟି ପର୍ଯ୍ୟାୟ ହୋଇଥିବା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଛି । ପ୍ରଥମ ପର୍ଯ୍ୟାୟ ନିବାର୍ଚନରେ ଏନଡିଏ ୩୨-୩୪ ସିଟ୍ ପାଇବ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୨ରୁ ୨୪ଟି ସିଟ ପାଇବ। ବିହାର ଲୋକମାନେ ବିହାରର ବିକାଶ ଚାହୁଁଛନ୍ତି। ସେଥିପାଇଁ ବିହାର ସବୁ ବର୍ଗର ଲୋକେ ଏନଡିଏକୁ ଭୋଟ ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, କେବଳ ଶାସନ ଗାଦି ଅକ୍ତିଆର କରିବାକୁ ନୀତିଶ ଓ ଲାଲୁ ଏକାଠି ହୋଇଛନ୍ତି । ଉଭୟ କଂଗ୍ରେସ ବିରୋଧୀ । ହେଲେ କ୍ଷମତା ଲୋଭରେ ସେମାନେ କଂଗ୍ରେସ ସହ ହାତ ମିଳାଇଛନ୍ତି । ଲୋକଙ୍କ ନଜରରୁ ଏହାକୁ ହଟାଇବାକୁ ଗୋହତ୍ୟା ଓ ସଂରକ୍ଷଣ କଥା ଉଠାଉଛନ୍ତି । ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିକାଶ। ଆଉ ଆମର ପ୍ରଚାର ମଧ୍ୟ ଏହା ଉପରେ ଆଧାରିତ । ବିହାର ଏବେ ବି ପଛୁଆ ରାଜ୍ୟ ଭାବେ ଗଣାଯାଉଛି। ବିହାରରେ ଏନଡିଏ ସରକାର ଆସିବା ପରେ ସ୍ଥିତି ବଦଳିଯିବ । ବିଜେପି ସଂରକ୍ଷଣକୁ ସମର୍ଥନ କରେ ଓ ଏହାସହ ସବୁ ବର୍ଗ ଲୋକଙ୍କ ବିକାଶ ଚାହେଁ । କିଛି ଲୋକ ସଂରକ୍ଷଣକୁ ନେଇ ରାଜ୍ୟରେ ଉଚ୍ଚବର୍ଗ ଓ ପଛୁଆ ବର୍ଗଙ୍କ ମଧ୍ୟରେ ଦୂରତା ସୃଷ୍ଟି କରୁଛନ୍ତି । ବିଜେପି ଗରିବ ପରିବାରରୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ କରିଛି । ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରବାସୀଙ୍କ ବିକାଶ ଚାହୁଁଛନ୍ତି ।