ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):"ଏକ ହି ଦେଶ ମେଁ ଦୋ ବିଧାନ, ଦୋ ପ୍ରଧାନ ଔର୍ ଦୋ ନିଶାନ୍ ନହିଁ ଚଲେଗା"। ଏହି ନାରା ଦେଇ ୧୯୫୩ ମେ’ ୧୧ରେ ଜମ୍ମୁ କଶ୍ମୀରରେ ପ୍ରବେଶ କରିଥିଲେ ଜନସଂଘର ସଂସ୍ଥାପକ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ। ଧାରା ୩୭୦କୁ ବିରୋଧ କରି ଜମ୍ମୁ କଶ୍ମୀରରେ ପ୍ରବେଶ କରିଥିବା ଶ୍ୟାମା ପ୍ରସାଦଙ୍କୁ ଗିରଫ କରଗଲା। ଆଉ ଏହାର ହଠାତ୍ ମାସକ ପରେ ୨୩ ଜୁନ୍ ୧୯୫୩ରେ ତାଙ୍କର ରହସ୍ୟଜନକ ମୃତ୍ୟୁର ଖବର ଆସିଲା। କୁହାଯାଏ ବଳିଦାନ କେବେ ବ୍ୟର୍ଥ ଯାଏନି। ଧାରା-୩୭୦ ହଟାଇବା ପାଇଁ ଡ. ମୁଖାର୍ଜୀ ଯେଉଁ ସ୍ୱପ୍ନ ଦେଖିଥିଲେ, ତାହା ୭୩ ବର୍ଷ ପରେ ଆଜି ସଫଳ ହୋଇଛି। ଆଉ ଜନସଂଘରୁ ଜନ୍ମନେଇଥିବା ବିଜେପି ସମ୍ବିଧାନରୁ ସେଇ କଳାଦାଗକୁ ସବୁଦିନ ପାଇଁ ହଟାଇଦେଇ ଡ. ମୁଖାର୍ଜୀ ଦେଖିଥିବା ସ୍ଵପ୍ନକୁ ସାକାର କଲା କହିଲେ ଅତ୍ୟୁକ୍ତି ହେବ ନାହିଁ।
ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀ ଜଣେ ପ୍ରଚଣ୍ଡ ରାଷ୍ଟ୍ରଭକ୍ତ ଥିଲେ। ଦେଶର ଏକତା, ଅଖଣ୍ଡତାର ବିଚାରଧାରା ତାଙ୍କୁ ଏଭଳି ଉଦ୍ବୁଦ୍ଧ କରିଥିଲା ଯେ ଦେଶ ପାଇଁ ସେ ଜୀବନକୁ ବାଜି ଲଗାଇ ଦେଇଥିଲେ। ସେ ୧୯୦୧ ଜୁଲାଇ ୬ ତାରିଖରେ ପଶ୍ଚିମବଙ୍ଗରେ ଜନ୍ମ ଗ୍ରହଣ କରିଥିଲେ। ସେ ଦେଶ ବିଭାଜନ ପ୍ରସ୍ତାବର ଦୃଢ଼ ବିରୋଧୀ ଥିଲେ। ସେ ଭାରତୀୟ ମୂଲ୍ୟବୋଧ, ପରମ୍ପରା, ସଂସ୍କୃତି ଓ ଆଦର୍ଶର ପ୍ରବଳ ସମର୍ଥକ ଥିଲେ। ତେବେ ସ୍ୱାଧୀନତା ପରେ ଭାରତରେ ଜମ୍ମୁ-କାଶ୍ମୀରର ବିଲୟ ସେ ସମୟରେ ଏକ ଜଟିଳ ସମସ୍ୟା ଭାବେ ଉଭା ହୋଇଥିଲା। କଶ୍ମୀରର ରାଜ୍ୟମାନ୍ୟତାକୁ ନେଇ ଆଲୋଚନା ପ୍ରାୟ ୫ ବର୍ଷ ପର୍ଯ୍ୟନ୍ତ ଅର୍ଥାତ ୧୯୫୨ ମସିହା ପର୍ଯ୍ୟନ୍ତ ଚାଲିଥିଲା। କଶ୍ମୀର ପକ୍ଷରୁ ଶେଖ ଅବଦୁଲ୍ଲା ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ସହ ଆଲୋଚନା କରୁଥିଲେ ଏବଂ ଅବବ୍ଦୁଲ୍ଲା ଯାହା ଯେମିତି ଚାହୁଁଥିଲେ ସେଇ ଅନୁଯାୟୀ ସର୍ତ୍ତ ରଖୁଥିଲେ।
ସେ ସମୟରେ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ଉଦ୍ୟୋଗ ମନ୍ତ୍ରୀ ଥିବା ଶ୍ୟାମାପ୍ରସାଦ ମୁଖାର୍ଜୀ ଏହାକୁ ବିରୋଧ କରିଥିଲେ। ଅନ୍ୟ ରାଜ୍ୟ ଭଳି କଶ୍ମୀରକୁ ମଧ୍ୟ ଭାରତରେ ସମ୍ପୂର୍ଣ୍ଣ ବିଲୟ ଚାହୁଁଥିଲେ ମୁଖାର୍ଜୀ। ହେଲେ କଶ୍ମୀର ବାହାନାରେ ଅବଦୁଲ୍ଲା ଦେଶର କ୍ଷମତା ଡୋର ହାତେଇବା ଉଦ୍ଦେଶ୍ୟରେ ଥିଲେ। ଏଣୁ ସର୍ତ୍ତରେ ନିଜ ରାଜ୍ୟ ପାଇଁ ଭାରତର ଜାତୀୟ ପତାକା ବ୍ୟତୀତ ଅଲଗା ପତାକା, ପୃଥକ ସମ୍ବିଧାନ ଆଦି ସର୍ତ୍ତ ରଖିଥିଲେ। ଯାହାର ଫଳସୂରୁପ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ମିଳିବା ସଙ୍ଗେସଙ୍ଗେ ଧାରା ୩୭୦ ଜନ୍ମନେଇଥିଲା।
କଶ୍ମୀରର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥଲା ଓ ରାଜ୍ୟପାଳଙ୍କୁ ସଦର-ଏ- ରିୟାସତ ବୋଲି କୁହାଯାଉଥିଲା। ଗୋଟିଏ ଦେଶରେ ଦୁଇ-ଦୁଇ ଜଣ ପ୍ରଧାନମନ୍ତ୍ରୀ ଥିଲେ। କେବଳ ଏତିକି ନୁହେଁ କଶ୍ମୀରର ଜାତୀୟ ପତାକା ମଧ୍ୟ ଭାରତର ତ୍ରିରଙ୍ଗା ଠାରୁ ଅଲଗା ଥିଲା। ଜମ୍ମୁ- କଶ୍ମୀରର ଏକ ଅଲଗା ସମ୍ବିଧାନ ଥିଲା। ସେଠାକାର ନାଗରିକମାନଙ୍କୁ ଦୁଇଟି ନାଗରିକତା ମିଳି ଥିଲା। ସେମାନେ ଉଭୟ ଭାରତ ଓ ଜମ୍ମୁ- କଶ୍ମୀରର ନାଗରିକ ଥିଲେ।
ଶ୍ୟାମା ପ୍ରସାଦ ମୁଖାର୍ଜୀ ଏହି ଷଡ଼ଯନ୍ତ୍ରକୁ ଭଲ ଭାବରେ ବୁଝି ପାରିଥିଲେ। ସେ ନେହରୁଙ୍କ ଏହି ନୀତିକୁ ପ୍ରବଳ ବିରୋଧ କରିଥିଲେ। ନେହରୁଙ୍କ ସହ ମତଭେଦ ପରେ ସେ ମନ୍ତ୍ରିପଦରୁ ଇସ୍ତଫା ଦେଇଥିଲେ ଓ ଜନସଂଘର ସ୍ଥାପନା କରିଥିଲେ। ତାଙ୍କର ସ୍ଲୋଗାନ ଥିଲା 'ଏକ ଦେଶ ମେଁ ଦୋ ବିଧାନ, ଦୋ ପ୍ରଧାନ ଔର ଦୋ ନିଶାନ୍ ନହିଁ ଚଲେଗା"। ଅର୍ଥାତ ଗୋଟିଏ ଦେଶରେ ଦୁଇଟି ଭିନ୍ନ ଭିନ୍ନ ଆଇନ ଓ ସମ୍ବିଧାନ,ଭିନ୍ନ ପତାକା ଓ ଦୁଇଜଣ ପ୍ରଧାନମନ୍ତ୍ରୀ ଚଳିବ ନାହିଁ। କଶ୍ମୀରରୁ ଧାରା- ୩୭୦ ହଟାଇବା ଦାବିରେ ସେ ୧୯୫୩ ମସିହାରେ ଜମ୍ମୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେ ରାଜ୍ୟର ସୀମା ପ୍ରବେଶ କରିବା ମାତ୍ରେ ହିଁ ଜମ୍ମୁ କାଶ୍ମରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶେଖ ଅବଦୁଲ୍ଲାଙ୍କ ଆଦେଶ ବଳରେ ତାଙ୍କୁ ଗିରଫ କରାଯାଇଥିଲା ଓ ଜେଲରେ ରଖାଯାଇଥିଲା। ସେ ସମୟରେ କଶ୍ମୀରରେ ପ୍ରବେଶ ପାଇଁ ଏକ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ୁଥିଲା। ଏହାକୁ ପରମିଟ୍ ସିଷ୍ଟମ କୁହାଯାଉଥିଲା। ତେବେ ତାଙ୍କର ବିରୋଧ ଓ ଆନ୍ଦୋଳନ ଯୋଗୁ ଜମ୍ମୁ କଶ୍ମୀରରେ ଲଗାଯାଇଥିବା ପରମିଟ୍ ବ୍ୟବସ୍ଥା ହଟିଥିଲା। ଏହାର କିଛି ଦିନ ପରେ ଜେଲରୁ ତାଙ୍କ ମୃତ୍ୟୁର ଖବର ଆସିଲା।
୩୦ ଜୁନ୍ ୧୯୫୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମାଙ୍କୁ ଏକ ଚିଠି ଲେଖି ଶୋକ ସମ୍ବାଦ ଜଣାଇଥିଲେ। ଯାହାର ଜବାବରେ ତାଙ୍କ ମା’ ଯୋଗମାୟା ଦେବୀ ୪ ଜୁଲାଇ ୧୯୫୩ରେ ଏକ ଚିଠି ଲେଖିଥିଲେ। ଏହି ପତ୍ରରେ ସେ ନିଜ ପୁଅର ମୃତ୍ୟୁ ପାଇଁ କୌଣସି ସାନ୍ତ୍ୱନା ନୁହେଁ ବରଂ ତାଙ୍କୁ ନ୍ୟାୟ ମିଳିବା ଦରକାର ବୋଲି ଦାବି କରିଥିଲେ। ଚିଠିରେ ସେ ଲେଖିଥିଲେ ଯେ, ବିନା କୌଣସି ଟ୍ରାଏଲରେ ବନ୍ଦୀଭାବେ ତାଙ୍କ ପୁଅର ମୃତ୍ୟୁ ଘଟିଛି। ଜବାବରେ ନେହରୁ ଆଉ ଏକ ଚିଠି ଲେଖି ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମୃତ୍ୟୁ ସ୍ୱାଭାବିକ୍ ଭାବେ ହୋଇଛି, ତେଣୁ ଏହାର ତଦନ୍ତ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଜଣାଇଥିଲେ। 'ଦି ଲାଇଫ୍ ଆଣ୍ଡ ଟାଇମ୍ସ ଅଫ୍ ଡ. ଶ୍ୟମା ପ୍ରସାଦ୍ ମୁଖାର୍ଜୀ' ବହିରେ ଏ ବିଷୟରେ ଉଲ୍ଲେଖ ରହିଛି। ପଶ୍ଚିମବଙ୍ଗର ନେତା ତଥାଗତ ରୟ ଏହି ବହି ଲେଖିଛନ୍ତି।
ତେବେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସେହି ନାରାକୁ ବିଜେପି ନିଜ ଇସ୍ତାହାରରେ ବିଶେଷ ଗୁରୁତ୍ୱ ଦେଇ ଏହାକୁ ହଟାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ଆଉ ଗତକାଲି ଧାରା ୩୭୦ ଉଚ୍ଛେଦ କରି ବିଜେପି ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନର ଏକପ୍ରକାର ପ୍ରତିଶୋଧ ନେଇଥିବା କହିଲେ ଭୁଲ ହେବ ନାହିଁ। ଯାହା ସୋଶାଲ ମିଡିଆରେ ଭାଇରାଲ ହେଉଛି।