ନୂଆଦିଲ୍ଲୀ: ବିଜେପି ଝଡ଼ ଏବେ ଦକ୍ଷିଣ ଭାରତ ମୁହାଁ। ଦେଶରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ପଦ୍ମ ଫୁଟିବା ପରେ ଏବେ ଦକ୍ଷିଣ ଭାରତ ଉପରେ ନଜର ପକାଇଛି ବିଜେପି। ରିପୋର୍ଟ ଅନୁଯାୟୀ, ବିଜେପିର ମିଶନ ଦକ୍ଷିଣ ଭାରତର ମୂଳଦୁଆ ତାମିଲନାଡୁରୁ ହିଁ ପଡ଼ିବ। ଏଥିପାଇଁ ଆରମ୍ଭ ହେଲାଣି ବ୍ଲୁ ପ୍ରିଣ୍ଟ। ରାଜ୍ୟରେ କ୍ଷମତାରେ ଥିବା ଏଆଇଏଡିଏମ୍କେ ସରକାରକୁ ଏନଡିଏ ସରକାରରେ ସାମିଲ କରିବାକୁ ଆରମ୍ଭ ହୋଇଛି ପ୍ରୟାସ।
ରିପୋର୍ଟ ଅନୁଯାୟୀ, ବିଜେପିର ବରିଷ୍ଠ ନେତା ଓ କିଛି କେନ୍ଦ୍ରମନ୍ତ୍ରୀ ଏହି ବିଷୟରେ ଏଆଇଏଡିଏମ୍କେ ନେତାଙ୍କ ସହ ଆଲୋଚନା କରୁଛନ୍ତି। ଏହା ଭିତରେ ଆଜି ମୁଖ୍ୟମନ୍ତ୍ରୀ ପିଲାନିସ୍ୱାମୀ ବିଧାୟକ ଦଳ ବୈଠକ ଡାକିଛନ୍ତି। ଯଦି ଆଲୋଚନା ସଫଳ ହୁଏ, ତେବେ ଅଗଷ୍ଟ ମାସରେ କେନ୍ଦ୍ର କ୍ୟାବିନେଟ୍ରେ ଅଦଳବଦଳ ହେବା ସହ ଏଆଇଏଡିଏମକେକୁ ଏନଡିଏ ସରକାରରେ ସାମିଲ କରିପାରେ ବିଜେପି।
ପୂର୍ବରୁ ମଧ୍ୟ ଏଆଇଏଡିଏମକେ ଏନଡିଏ ପରିବାରରେ ରହି ସାରିଛି। ୧୯୯୯ରେ କେନ୍ଦ୍ରରେ ବାଜପେୟୀଙ୍କ ସରକାର ଥିବା ବେଳେ ଏନଡିଏ ସହ ସାମିଲ ହୋଇଥିଲା ଏଆଇଏଡ଼ିଏମକେ। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ଏଆଇଏଡିଏମକେରେ କ୍ଷମତା ଲଢେଇ ଆରମ୍ଭ ହୋଇଥିଲା। ସେତେବେଳେ କ୍ଷମତା ପାଇଁ ପଲାନିସ୍ୱାମୀ ଓ ପନିରସେଲଭମ୍ଙ୍କ ଲଢେଇ ଚର୍ଚ୍ଚାର ବିଷୟ ପାଲଟିଥିଲା।