ଲୋକସଭାର ନୂଆ ବାଚସ୍ପତି ଓମ୍ ବିର୍ଲାଙ୍କ ସମ୍ପର୍କରେ କଣ କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ରାଜସ୍ଥାନ କୋଟାର ବିଜେପି ସାଂସଦ ଓମ୍ ବିର୍ଲା ହୋଇଛନ୍ତି ୧୭ ତମ ଲୋକସଭାର ନୂଆ ବାଚସ୍ପତି। ବାଚନିକ ଭୋଟ ମାଧ୍ୟମରେ ସବୁଦଳର ସମର୍ଥନ ପରେ ଓମ୍ ବିର୍ଲା ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ଭାବେ ଓମ୍ ବିର୍ଲାଙ୍କ ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ପ୍ରସ୍ତାବ ରଖିଥିଲେ। ଏହାପରେ କାମଚଳା ବାଚସ୍ପତି ଵୀରେନ୍ଦ୍ର କୁମାର ଓମ୍ ବିର୍ଲାଙ୍କୁ ଲୋକସଭାର ନୂଆ ବାଚସ୍ପତି ହେଲେ ବୋଲି ଘୋଷଣା କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]

om birla with modi

Subhransu Sekhar
  • Published: Wednesday, 19 June 2019
  • , Updated: 19 June 2019, 07:59 PM IST

ନୂଆଦିଲ୍ଲୀ: ରାଜସ୍ଥାନ କୋଟାର ବିଜେପି ସାଂସଦ ଓମ୍ ବିର୍ଲା ହୋଇଛନ୍ତି ୧୭ ତମ ଲୋକସଭାର ନୂଆ ବାଚସ୍ପତି। ବାଚନିକ ଭୋଟ ମାଧ୍ୟମରେ ସବୁଦଳର ସମର୍ଥନ ପରେ ଓମ୍ ବିର୍ଲା ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ଭାବେ ଓମ୍ ବିର୍ଲାଙ୍କ ନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ପ୍ରସ୍ତାବ ରଖିଥିଲେ। ଏହାପରେ କାମଚଳା ବାଚସ୍ପତି ଵୀରେନ୍ଦ୍ର କୁମାର ଓମ୍ ବିର୍ଲାଙ୍କୁ ଲୋକସଭାର ନୂଆ ବାଚସ୍ପତି ହେଲେ ବୋଲି ଘୋଷଣା କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିର୍ଲାଙ୍କ ହାତ ଧରି ବାଚସ୍ପତିଙ୍କ ଚେୟାର ପର୍ଯ୍ୟନ୍ତ ନେଇ ଯାଇଥିଲେ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଗୃହରେ କହିଛନ୍ତି ଶ୍ରୀ ବିର୍ଲା ଜଣେ ଶାନ୍ତ ସ୍ୱଭାବର ବ୍ୟକ୍ତିତ୍ୱ। ଅଳ୍ପ ହସନ୍ତି ଏବଂ ଅଳ୍ପ କୁହନ୍ତି। ଏଭଳି ନମ୍ର ବ୍ୟକ୍ତିତ୍ୱ କେବେ ତାଙ୍କର ଏହି ପରିଚୟ ହରାଇବେନି ବୋଲି ମୋଦି କହିଛନ୍ତି। ନିଜ ନିର୍ବାଚନମଣ୍ଡଳୀ କୋଟାରେ କେହି ଭୋକରେ ମରିବେ ନାହଁ ବୋଲି ବିର୍ଲା ଶପଥ ନେଇଥିଲେ। ଆଜି ତାହା ସେ କରି ଦେଖାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟତଃ ଜନଆନ୍ଦୋଳନକୁ ବିର୍ଲା ଜନସେବାରେ ପରିଣତ କରିଛନ୍ତି ବୋଲି ମୋଦି କହିଛନ୍ତି।

ଏହାପରେ କଂଗ୍ରେସ ଲୋକସଭା ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ, ବିଜେଡିର ଲୋକସଭା ଦଳର ନେତା ପିନାକୀ ମିଶ୍ର ଆଦି ନେତା ଗୃହ ଚଳାଇବାରେ ତାଙ୍କ ଦଳ ସହଯୋଗ କରିବ ବୋଲି କହିଛନ୍ତି।

ବାଚସ୍ପତି ହେବା ପରେ ଓମ୍ ବିର୍ଲା ଗୃହରେ ଉଦବୋଧନ ଦେଇଥିଲେ । ଗୃହ କିପରି ଶାନ୍ତି ଶୃଙ୍ଖଳାର ସହ ନିରପେକ୍ଷ ଭାବେ ଚାଲିବ, ତାହା ତାଙ୍କର ପ୍ରଥମ କର୍ତ୍ତବ୍ୟ ହେବ ବୋଲି ସେ କହିଛନ୍ତି। "ଆମ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ରହିଛି, ସେ ସବୁକୁ ସାମ୍ନା କରି ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବାକୁ ପଡ଼ିବ", ବୋଲି ବାଚସ୍ପତି ଶ୍ରୀ ବିର୍ଲା କହିଛନ୍ତି।

ଏଥିସହ ଶ୍ରୀ ବିର୍ଲା ସମସ୍ତ ସାଂସଦଙ୍କୁ ଗୃହରେ ଲୋକଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗ ଉଠାଇବାକୁ କହିଛନ୍ତି। ନିର୍ବାଚିତ ସରକାର ସବୁ ସାଂସଦଙ୍କର ସମସ୍ତ ପ୍ରଶ୍ନର ସଠିକ୍ ଉତ୍ତର ଦେବେ ବୋଲି ସେ ଆଶା ରଖିଛନ୍ତି। ଶେଷରେ ସେ କାମଚଳା ବାଚସ୍ପତି ବୀରେନ୍ଦ୍ର କୁମାରଙ୍କୁ ଧନ୍ୟବାଦ ଦେଇଥିଲେ।

୧୬ ତମ ଲୋକସଭାରେ ସୁମିତ୍ରା ମହାଜନ ବାଚସ୍ପତି ଥିଲେ। ହେଲେ ଚଳିତଥର ସେ ନିର୍ବାଚନ ଲଢ଼ି ନଥିଲେ। କୋଟା ଆସନରୁ ମୋଟ ଦୁଇ ଥର ଓମ୍ ବିର୍ଲା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବରୁ କୋଟା ଦକ୍ଷିଣ ବିଧାନସଭା ଆସନରୁ ୩ଥର ବିଧାୟକ ନିର୍ବାଚିତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ରାମନରୀନ ମୀନାଙ୍କୁ ଓମ୍ ବିର୍ଲା ଚଳିତ ନିର୍ବାଚନରେ ୨.୭୯ ଲକ୍ଷ ଭୋଟ ବ୍ୟବଧାନରେ ହରାଇଛନ୍ତି।

Related story