ଲଣ୍ଡନ୍: ଟେରେସା ମେ’ଙ୍କ ବଦଳରେ ବୋରିସ୍ ଜନସନ୍ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ଭାବେ ମଙ୍ଗଳବାର ଦାୟିତ୍ୱ ନେଇଛନ୍ତି। ପୂର୍ବରୁ ଜନସନ୍ ପ୍ରତିଶ୍ରୁତି ଦେଇଥିଲେ ଯେ ହାଲୋୱିନ୍ର ସମର୍ଥନ ମିଳୁ କି ନମିଳୁ ସେ ବ୍ରିଟେନ୍କୁ ୟୁରୋପିଆନ୍ ୟୁନିଅନ୍ରୁ ଅଲଗା କରାଇବେ। ସେ କଞ୍ଜରଭେଟିଭ୍ ପାର୍ଟିର ନେତା ଭାବେ ନିର୍ବାଚିତ ହେବା ସହ ଶେଷରେ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ତାଲିକାରେ ନିଜ ନାଁ ଯୋଡ଼ିବାରେ ସଫଳ ହୋଇଛନ୍ତି।
୨୦୧୬ ମସିହା 'ବ୍ରେକ୍ଜିଟ୍ ରେଫରେଣ୍ଡମ୍'ର ଚେହେରା କୁହାଯାଉଥିବା ଜନସନ୍ କଞ୍ଜରଭେଟିଭ୍ ପାର୍ଟିର ୯୨,୧୫୩ ସଦସ୍ୟଙ୍କ ଭୋଟ୍ ପାଇଥିବାବେଳେ ତାଙ୍କ ବିପକ୍ଷରେ ୪୬,୬୫୬ ଭୋଟ୍ ଆସିଥିଲା ବୋଲି ବୈଦେଶିକ ସଚିବ ଜେରେମି ହଣ୍ଟ ସୂଚନା ଦେଇଛନ୍ତି। ଟେରେସା ମେ’ ପ୍ରଥମେ ବକିଂହାମ୍ ରାଜପ୍ରାସାଦ ଯାଇ ରାଣୀ ଏଲିଜାବେଥ୍ଙ୍କୁ ଭେଟିବେ ଏହାପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଛାଡ଼ିବେ। ଅନ୍ୟପକ୍ଷରେ ଜନସନ୍ ୧୦ ଡାଉନିଂ ଷ୍ଟ୍ରୀଟ୍ରେ ନୂତନ ଦାୟିତ୍ୱ ନେବା ପୂର୍ବରୁ ରାଣୀ ଏଲିଜାବେଥ୍ ହିଁ ତାଙ୍କୁ ବିଧିବଦ୍ଧ ଭାବେ ନିଯୁକ୍ତି ଦେବେ।
ନିର୍ବାଚନରେ ଜନସନ୍ ବ୍ରେକ୍ଜିଟ୍ ବା ୟୁରୋପିଆନ୍ ୟୁନିଅନ୍ରୁ ବ୍ରିଟେନ୍କୁ ଅଲଗା କରିବାକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ। ତାଙ୍କ ନିର୍ବାଚନୀ ମନ୍ତ୍ର ଥିଲା: “ବ୍ରେକ୍ଜିଟ୍ ଲାଗୁ କର, ଦେଶକୁ ଏକାଠି କର ଏବଂ ବିପକ୍ଷରେ ଥିବା ଜେରେମି କର୍ବିନ୍ଙ୍କୁ ହରାଅ। ଆଉ ଆମେ ତାହା ହିଁ କରି ଦେଖାଇବା” ସେ ବ୍ରିଟିଶ୍ ପାର୍ଲାମେଣ୍ଟର ସାମ୍ନା ପଟେ ଥିବା ରାଣୀ ଏଲିଜାବେଥ୍ ସମ୍ମିଳନୀ କକ୍ଷରେ ଉଦ୍ବୋଧନ ଦେଇ କହିଥିଲେ, “ ଆପଣ କ’ଣ ହତୋତ୍ସାହିତ ଅନୁଭବ କରୁଛନ୍ତି? ମୋତେ କାହିଁ ଲାଗୁନି ଆପଣମାନେ ହତୋତ୍ସାହିତ ହେଉଥିବେ। ଆମେ ବ୍ରେକ୍ଜିଟ୍ ଲାଗୁ କରାଇ ଦେଖାଇ ଦେବା।”
ଜନସନ୍ ଆସନ୍ତା ଅକ୍ଟୋବର ୩୧ ପୂର୍ବରୁ ବ୍ରିଟେନକୁ ୟୁରୋପିଆନ୍ ୟୁନିଅନ୍ରୁ ଅଲଗା କରାଇବାକୁ ପ୍ରୟାସ କରିବେ ବୋଲି କହିଛନ୍ତି। ତେବେ ଏହା ଏତେ ସହଜ କାମ ନୁହେଁ। କାରଣ ଏଥିପାଇଁ ଏକ ‘ଡିଭୋର୍ସ ଡିଲ୍’ କରିବାକୁ ହେବ, ଯାହା ଅସମ୍ଭବ ବୋଲି କୁହାଯାଉଛି। ତଥାପି ଜନସନ୍ ଏହା କରାଇବେ ବୋଲି ପ୍ରତିଶ୍ରୁତି ଦେଇସାରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବ୍ରିଟେନ୍ ପ୍ରଥମ ଥର ପାଇଁ ଏଭଳି ଏକ ବିରାଟ ପରିବର୍ତ୍ତନ ଦେଇ ଗତି କରୁଥିବା କୁହାଯାଉଛି।