ପାଟନା: ରାଜନୀତି ହେଉ ଅବା ଅନ୍ୟ କିଛି କାରଣ ବିହାର ସବୁ ବେଳେ ଚର୍ଚ୍ଚାରେ ରହିଥାଏ। ଖାସ୍ କରି ‘ଲାଲୁ କା ଫଣ୍ଡା’ ଓ ବିହାର ପୋଲିସ ନିଜ କାରନାମା ପାଇଁ ଗଣମାଧ୍ୟମରେ ରହିଥାନ୍ତି। ବିହାରରେ ଏବେ ଏମିତି ଏକ ଘଟଣା ଘଟିଛି, ଯାହା ସାରା ଦେଶରେ ଚର୍ଚ୍ଚା ହେଉଛି। ଏଥର ପୋଲିସ ବାବୁ କରିଛନ୍ତି କାରନାମା। ପୋଲିସ ବାବୁ ଅଭିଷେକ ନାମକ ଜଣେ କଲେଜ ଛାତ୍ରଙ୍କୁ ତିନିଦିନ ହାଜତରେ ରଖି ନିର୍ଧୁମ ପିଟିଛନ୍ତି। ଏବେ ଭାବୁଥିବେ ୩ ଦିନ ରଖି ପିଟିଛନ୍ତି ଯଦି ଛାତ୍ର ଜଣଙ୍କ କିଛି ବଡ଼ ଅପରାଧ କରିଥିବ, ନହେଲେ କାହିଁକି ପିଟିବେ ଏମିତି। ଜାଣିଲେ ଆଶ୍ଚର୍ଯ୍ୟ ହେବ ଅଭିଷେକ କୌଣସି ଅପରାଧ କରି ନଥିଲେ। ତାଙ୍କ ମାମୁଁଙ୍କୁ ଏକ ମାମଲାରେ ପୋଲିସ ଗିରଫ କରିଥିଲା। ଛାତ୍ର ଜଣଙ୍କ ଥାନାକୁ ଯାଇଥିଲେ କେଉଁ କାରଣ ପାଇଁ ତାଙ୍କ ମାମୁଁଙ୍କୁ ଗିରଫ କରାଯାଇଛି ବୁଝିବାକୁ। ତାଙ୍କର ଏତିକି ମାତ୍ର ଭୁଲ ଥିଲା ସେ ପୋଲିସ ସହ ଇଂଲିଶରେ କଥା ହୋଇଯାଇଥିଲେ। ଏହାପରେ ପୋଲିସ ବାଲାଙ୍କ ରାଗ ପଞ୍ଚମ ହୋଇଯାଇଥିଲା। ସାଙ୍ଗେ ସାଙ୍ଗେ ଛାତ୍ର ଜଣଙ୍କୁ ହାଜତ ଭିତରକୁ ଟେକି ନେଇ ମାଡ଼ ମାରିବା ଆରମ୍ଭ କରିଦେଇଥିଲେ।
ଖାକିଗିରି ପଛର ରହସ୍ୟ
ଘଟଣା ଅନୁଯାୟୀ, ଖଗଡିଆ ଜିଲ୍ଲାରେ କିଛିଦିନ ହେବ ଗାଡି ଚୋରି ବଢ଼ି ଯାଇଥିବାରୁ ପୋଲିସ କିଛିଟା ଶକ୍ତ ହୋଇଯାଇଛି। ଏହି ମାମଲାରେ ପୋଲିସ କିଛି ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଥିଲା। ସେମାନଙ୍କ ମଧ୍ୟରେ ଅଭିଷେକଙ୍କ ମାମୁଁ ଥିଲେ। ଅଭିଷେକ ସେହି ଗାଁର ଦ୍ୱାଦଶ ଶ୍ରେଣୀ ଛାତ୍ର। ମାମୁଁଙ୍କୁ ଅଟକ ଖବର ପାଇ ସେ ଥାନାରେ ପହଞ୍ଚିଥିଲେ। କଥାବାର୍ତ୍ତା ବେଳେ ସେ ପୋଲିସ ବାବୁଙ୍କୁ ପଚାରିଥିଲେ- What is the reason behind his detention ? ଅର୍ଥାତ ଏମିତି ଅଟକ ରଖାଯିବା ପଛର କାରଣ କଣ ? ବାସ୍ ଏତିକି ପଚାରିବା ପରେ ଆରମ୍ଭ ହୋଇଥିଲା ପୋଲିସ୍ର ଦବଙ୍ଗଗିରି। ଘଣ୍ଟେ ନୁହେଁ କି ଦୁଇ ଘଣ୍ଟା ନୁହେଁ ପୂରା ତିନିଦିନ ଅଭିଷେକଙ୍କୁ ହାଜତରେ ରଖି ନିର୍ଧୁମ ପିଟିଥିଲେ।
ଖବର ପାଇ ଅଭିଷେକଙ୍କ ପରିବାର ଲୋକେ ଥାନାରେ ପହଞ୍ଚି ବଣ୍ଡ ପେପର ଦେବା ପରେ ପୋଲିସ ଛାଡିଥିଲା। ଏହାପରେ ପରିବାର ଲୋକେ ଅଭିଷେକଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ତଦନ୍ତ ପରେ ଅଭିଷାକଙ୍କୁ ମାଡ ମାରିଥିବା ଦୁଇ ପୋଲିସ ଅଫିସର ଏସ୍ଏଚ୍ଓ ମୁକେଶ କୁମାର ଏବଂ ଏଏସ୍ଆଇ ଶ୍ୟାମ ସୁନ୍ଦର ସିଂ ଦୋଷୀ ସାବ୍ୟସ୍ତ ହୋଇଥିଲେ। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସେମାନଙ୍କୁ ନିଲମ୍ବନ କରିଦିଆଯାଇଛି।