ଶ୍ରୀନଗର: ୨୦୧୬ ମସିହାରେ ଶ୍ରୀନଗରଠାରେ ଏକ ଆତଙ୍କବାଦୀ ଆକ୍ରମଣର ସାମ୍ନା କରିବାକୁ ଯାଇ ୮ଟି ଗୁଳି ଖାଇଥିଲେ ସିଆରପିଏଫ୍ ଯବାନ ଖୁର୍ସିଦ୍ ଅହମ୍ମଦ। ତାଙ୍କ ମେରୁଦଣ୍ଡରେ ଯେଉଁଭଳି ଆଘାତ ଲାଗିଥିଲା ସେ ତାଙ୍କ ଜୀବନରେ କେବେ ଆଉ ଚାଲିପାରିବେନି ବୋଲି ଡାକ୍ତର କହିଥିଲେ। ତାଙ୍କ ପାଇଁ ସବୁକିଛି ଯେମିତି ଅନ୍ଧାର ହୋଇଯାଇଥିଲା, କିନ୍ତୁ ସେ ସାହସ ହାରିନଥିଲେ।
ପ୍ରବଳ ଇଚ୍ଛାଶକ୍ତି ଓ ଅଦମ୍ୟ ସାହସ ବଳରେ ସେ ଆଜି ବିନା ସାହାରାରେ ନିଜ ଗୋଡ଼ରେ ଠିଆ ହୋଇ ପାରୁଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ ବହୁ ଲଢ଼େଇ ଲଢ଼ିଥିବା ଅହମ୍ମଦ ଯନ୍ତ୍ରଣା ସହ ଲଢ଼େଇ କରି ଜିତିଛନ୍ତି। ଏବେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ କହିଛନ୍ତି, ମୋ ସାଥୀ ମାନଙ୍କ ପାଇଁ ମୁଁ ଏବେ କାଗଜପତ୍ର କାମ କରୁଛି। ଟ୍ରାନ୍ସଫର ଏବଂ ଅନ୍ୟ ଅଫିସ୍ କାମ ମଧ୍ୟ କରୁଛି।
ତାଙ୍କ ସହ ଏହି ଦୁଃଖଦ ଘଟଣା ଘଟିଥିଲା ୨୫ ଜୁନ୍ ୨୦୧୬ ମସିହାରେ। ଅହମ୍ମଦ ଏବଂ ଅନ୍ୟ କିଛି ଯବାନ ଲେଥୁପୁରାଠାରେ ଶୁଟିଂ ଅଭ୍ୟାସ ସାରି ଫେରୁଥାନ୍ତି। ହଠାତ ୪ ଜଣ ଆତଙ୍କବାଦୀ ଅତର୍କିତ ଭାବେ ତାଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ। ଏଥିରେ ୮ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ ଏବଂ ୨୨ ଜଣ ଆହତ ହୋଇଥିଲେ।
ଗୁରୁତର ଆହତ ଅହମ୍ମଦ ୨ ମାସ ପାଇଁ ହସ୍ପିଟାଲର ଆଇସିୟୁରେ ଥିଲେ। ଏହାପରେ ତାଙ୍କୁ ଏମସର ଟ୍ରମା ସେଣ୍ଟରକୁ ପଠାଯାଇଥିଲା, ସେଠାରେ ହିଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିଥିବା ସେ ଅନୁଭବ କରିଥିଲେ। ଏହି କଷ୍ଟକର ସମୟରେ ସହାୟତା ଏବଂ ସମର୍ଥନ ଦେଇଥିବା ସିଆରପିଏଫ୍ ଏବଂ ପରିବାର ଲୋକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। କିନ୍ତୁ ତାଙ୍କୁ ଜମ୍ମୁକଶ୍ମୀର ସରକାର କୌଣସି ପ୍ରକାର ସାହାଯ୍ୟ କରିନଥିଲେ ବୋଲି ସେ କହିଛନ୍ତି। ନିଜ ଅନୁଭୂତିରୁ ଅହମ୍ମଦ କହିଛନ୍ତି ସିଆରପିଏଫ୍ ପାଇଁ ଏକ ଏୟାର ଆମ୍ବୁଲାନ୍ସ ରହିବା ନିହାତି ଦରକାର, ଯାହା ଏଭଳି ସମୟରେ ଆହତ ଯବାନଙ୍କୁ ତୁରନ୍ତ ହସ୍ପିଟାଲ ନେଇପାରିବ।